ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଲୁଚିଥିବା ପ୍ରାୟ ୨୫୦ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଘେରି ହତ୍ୟା କରିବାକୁ ଯୋଜନା କରିଛି ସେନା। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଯୋଜନା ଅନୁସାରେ ଥଣ୍ଡା ପାଗରେ ଘାଟିରେ ଯେତେବେଳେ ବରଫପାତ ହେଉଥିବ ଏବଂ ସମସ୍ତ ପ୍ରଶାସନିକ କାର୍ଯ୍ୟ ଜାମ୍ମୁରେ ସଞ୍ଚାଳିତ ହେବ, ସେହି ସମୟରେ ସେନା ଆତଙ୍କୀ ନିପାତ ଅଭିଯାନ ଆରମ୍ଭ କରିବ। ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଯୋଜନା ପ୍ରସ୍ତୁତ ହୋଇଛି।
ସୁରକ୍ଷା ବ୍ୟାପାରରେ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଜାମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇବା ପରେ ସେଠାକାର ପରିସ୍ଥିତି ଦ୍ରୁତଗତିରେ ସାଧାରଣ ଅବସ୍ଥାକୁ ଫେରୁଥିବା ସଙ୍କେତ ମିଳୁଛି। ସେଠାକାର ଯୁବକମାନେ ସେନାରେ ସାମିଲ ହେବାକୁ ନିଯୁକ୍ତି କ୍ୟାମ୍ପରେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି।



