ଆରଡି : ଭଦ୍ରକ କିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦପୁର ପଞ୍ଚାୟତରେ ଚାଷ ପ୍ରାରମ୍ଭରୁ ମରୁଡି ଓ ବନ୍ୟା ପରେ ଏବେ ସବାଖିଆ ପୋକଙ୍କ ପ୍ରାର୍ଦୁଭାବ ଯୋଗୁ ଚାଷୀକୂଳ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ବର୍ତ୍ତମାନ ଚାଷଜମିରେ ଧାନ ଥୋଡ ବାହାରୁ ଥିବାରୁ ଗତ ଲଗାଣ ବର୍ଷା ପ୍ରଭାବରେ ସବାଖିଆ ପୋକ ଏବେ ଧାନଥୋଡକୁ ଖାଇ ଦେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ପୋକଙ୍କ ଦମନ ପାଇଁ ଚାଷଜମିରେ କିଟନାଶକ ସ୍ପ୍ରେ କରୁଥିଲେ ମଧ୍ୟ କିଛି କାମ କରୁନି ବୋଲି ଚାଷୀ ମଦନମୋହନ ନାୟକ, ଆନ୍ଦଚନ୍ଦ୍ର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ ଚାଷ ପ୍ରାରମ୍ଭରୁ ବିହନ ଧାନ କ୍ଷେତରେ ପକାଇଥିଲେ ମଧ୍ୟ ବର୍ଷା ଅଭାବରୁ ମରୁଡି ଦେଖା ଦେବା ସହ ବିହନ ଧାନ ସବୁ ନଷ୍ଟ ହୋଇଯାଇଥିଲା। ପରେ ଧାନତଳି ରୋପଣ ବେଳକୁ ଲଗାଣ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଦେଖା ଦେବାରୁ ଦୀର୍ଘ ୧୨/୧୫ଦିନ ଧରି ଚାଷଜମିରେ ବନ୍ୟାପାଣି ଲହଡି ମାରିବା ଫଳରେ ଧାନତଳି ପଚି ଯାଇଥିଲା। ହେଲେ କ୍ଷେତରେ ଯାହାକିଛି ବଳକା ଥିଲା ତାହା ଏବେ ସବାଖିଆ ପୋକ ଖାଇ ଯାଉଛନ୍ତି। ଯାହାକୁ ନେଇ ଏହି ୨ଚାଷିଙ୍କ ପରି ଆରଡି, ଶୀତଳପୁର, ବାତୋଳ, ସିଂହିପୁର, କୋଇଲିଖା, ଭୂଇଁପୁର, ପାଲଟପୁର, ବାଙ୍କମୁଆଁ, ନାନ୍ଦପୁର, ଓଳଗ, ପହଣା, ଷାଠିବାଙ୍କୁଡା, ବୋଡକ, ଦୋହରା, ସୁନ୍ଦରପୁର ଆଦି ୩୦ଟି ଗାଁର ଶତାଧିକ ଚାଷୀ ଏବେ ଋଣ ପରିଷୋଧ ଚିନ୍ତାରେ ମୁଣ୍ଡରେ ହାତ ବସିଛନ୍ତି।



