ବଅଁରପାଳ : ହାତୀ ଲାଙ୍ଗୁଡରେ ହାତ ମାରି ଜଣେ ଯୁବକ ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାନୁଯାୟୀ, ଏହି ବ୍ଲକ ଅଞ୍ଚଳରେ ବୁଲୁଥିବା ଏକ ଜଙ୍ଗଲୀ ଗୋଠଛଡା ଦନ୍ତାହାତୀର ଲାଙ୍ଗୁଡ଼କୁ ଟାଣି ଜଣେ ଯୁବକ ଗିରଫ ହୋଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ଫଳରେ ବନ ବିଭାଗର ନଜରକୁ ଆସିଥିଲା। ଗତ ୬ ତାରିଖ ଦିନ ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମ ନିକଟସ୍ଥ ଆଲୁମିନିୟମ ପାର୍କ ପ୍ରକଳ୍ପ ପରିସରରେ ଏକ ଜଙ୍ଗଲୀ ଗୋଠଛଡା ଦନ୍ତାହାତୀ ବୁଲୁଥିଲା। ତାକୁ ଦେଖିବାକୁ ବହୁତ ଲୋକଙ୍କ ଭିଡ଼ ହୋଇଥିଲା। ସେହି ଭିଡ଼ ମଧ୍ୟରୁ ଜଣେ ଯୁବକ ହାତୀ ପଛକୁ ଯାଇ ତାର ଲାଙ୍ଗୁଡ଼କୁ ଟାଣି ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ହାତୀଟି ପଛକୁ ବୁଲି ଉକ୍ତ ଯୁବକକୁ ଖଣ୍ଡେ ବାଟ ଗୋଡ଼ାଇଥିଲା। ଏହି ଦୃଶ୍ୟକୁ ଦେଖଣାହାରୀଙ୍କ ଭିତରୁ କେହି ନିଜ ମୋବାଇଲରେ ରେକର୍ଡ଼ିଂ କରି ଭାଇରାଲ କରି ଦେଇଥିଲୋ ରେକର୍ଡ଼ିଂକୁ ଭିତ୍ତି କରି ଅନୁସନ୍ଧାନ କରି ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଯୁବକକୁ ଡିଏଫଓ ବିବେକ କୁମାରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଗିରଫ କରି ମାମଲା ରୁଜୁ କରିବା ସହ ଅଦାଲତ ଚାଲାଣ କରିଛନ୍ତି। ସମ୍ପୃକ୍ତ ଯୁବକ ହେଉଛନ୍ତି ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଦିନେଶ ସାହୁ ବୋଲି ଜଣାପଡିଛି।
ହାତୀ ଲାଙ୍ଗୁଡରେ ହାତ ମାରି ଯୁବକ ଗିରଫ
Popular Categories



