ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ରାଜ୍ୟ ରାଜଧାନୀଠାରୁ ଆରମ୍ଭ କରି ଜିଲା ଏବଂ ବ୍ଲକ୍ ସ୍ତରରେ ଚକାଜାମ୍ ଆନ୍ଦୋଳନ ସଙ୍ଗଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲା ଏବଂ ବ୍ଲକ୍ରେ ମୁଖ୍ୟ ରାସ୍ତାଗୁଡ଼ିକୁ କୃଷକ କର୍ମୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ସଙ୍ଗଠିତ କରିଛନ୍ତି। ଭୁବନେଶ୍ୱରରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଚକାଜାମ୍ ଆନ୍ଦୋଳନ କରି ବହୁ ନେତା ଏବଂ କର୍ମୀ ଗିରଫ ହୋଇଛନ୍ତି। ଆଜିକାର କୃଷକ ଆନ୍ଦୋଳନରେ ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ଏବଂ ଅତ୍ୟାଚାର ବନ୍ଦ କରିବା, ଆନ୍ଦୋଳନ ସ୍ଥଳରେ ପିଇବା ପାଣି, ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍ ସଂଯୋଗକୁ କାର୍ଯ୍ୟକ୍ଷମ କରିବା, ଗିରଫ କରାଯାଇଥିବା କୃଷକ ନେତା ଏବଂ ଆନ୍ଦୋଳନକାରୀ କୃଷକମାନଙ୍କୁ ତୁରନ୍ତ ମୁକ୍ତ କରିବା, କୃଷକ ବିରୋଧୀ ୩ଟି କୃଷି ଆଇନକୁ ଅବିଳମ୍ବେ ରଦ୍ଦ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ପ୍ରଦାନ ପାଇଁ ଏମ୍.ଏସ୍. ସ୍ୱାମୀନାଥନ୍ କମିଶନ୍ ରିପୋର୍ଟକୁ ଲାଗୁ କରିବା ନିମନ୍ତେ ଆଇନଗତ ବ୍ୟବସ୍ଥା ଗ୍ରହଣ କରିବା, ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨,୯୩୫ ଟଙ୍କା ଧାର୍ଯ୍ୟ ନ ହେଲା ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତ୍ୟେକ ଧାନ କ୍ୱିଣ୍ଟାଲରେ ୧ ହଜାର ଟଙ୍କା ବୋନସ୍ ପ୍ରଦାନ କରିବା, ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବା ପାଇଁ ଧାନ ସଂଗ୍ରହକୁ ଜାରି ରଖିବା, ଭାଗଚାଷୀଙ୍କ ସୁରକ୍ଷା ନିମନ୍ତେ ଏକ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ କରିବା ଇତ୍ୟାଦି ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପିତ କରାଯାଇଛି।

ମୋଦି ସରକାର ନିଜର ଜିଦ୍ଖୋର, ଅହଂକାରୀ ଏବଂ ଅଗଣତାନ୍ତ୍ରିକ ମନୋବୃତ୍ତିକୁ ପରିହାର କରି କୃଷକମାନଙ୍କ ସହିତ ଆଲୋଚନା କରି ସମସ୍ତ ଦାବିଗୁଡ଼ିକୁ ମାନିନେବା ପାଇଁ ଦାବି କରାଯାଇଛି। ଦୀର୍ଘ ୭୪ ଦିନର ଆନ୍ଦୋଳନରେ ୧୯୪ ଜଣ ଆନ୍ଦୋଳନକାରୀ କୃଷକ ଶହୀଦ ହେବା ଗଭୀର ଉଦ୍ବେଗଜନକ ବିଷୟ ବୋଲି କୁହାଯାଇଛି। ଯେତେଦିନ ପର୍ଯ୍ୟନ୍ତ ସରକାର କୃଷି ଏବଂ କୃଷକର ଏହି ନ୍ୟାଯ୍ୟ ଦାବିଗୁଡ଼ିକୁ ମାନିନାହାଁନ୍ତି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ତରଫରୁ କୁହାଯାଇଛି।
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ସଂଗଠିତ ହୋଇଥିବା ଏହି ଆନ୍ଦୋଳନରେ କୃଷକନେତା ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର, ଶଶୀଭୂଷଣ ସ୍ୱାଇଁ, ଜ୍ୟୋତିରଞ୍ଜନ ମହାପାତ୍ର, ଅମିୟ କୁମାର ପଟ୍ଟନାୟକ, ମହେନ୍ଦ୍ର ପରିଡ଼ା, ସୁଦର୍ଶନ ପ୍ରଧାନ, ସୁଦର୍ଶନ ଦାସ, ପ୍ରମିଳା ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ। କୃଷକ ଆନ୍ଦୋଳନକୁ ସଂହତି ଏବଂ ସମର୍ଥନ ଜଣାଇ ଶ୍ରମିକ ନେତା ଜନାର୍ଦ୍ଦନ ପତି, ସନ୍ତୋଷ ଦାସ, ରାମକୃଷ୍ଣ ପଣ୍ଡା, ଜୟନ୍ତ ଦାସ, ବିଜୟ ମହାନ୍ତି, ଅଶୋକ ସାହୁ, ବିଜୟ ବେହେରା, ବଂଶୀଧର ପରିଡ଼ା, ବିଶିଷ୍ଟ ସାମାଜିକ କର୍ମୀ ଦେବପ୍ରସାଦ ରାୟମହାପାତ୍ର, ସତୀଶ ମିଶ୍ର, ମହିଳା ନେତ୍ରୀ ପ୍ରମୋଦିନୀ ସାହୁ, ହେନାରାଣୀ ବାରିକ, ଆଦିବାସୀ ନେତା ରବିନ୍ଦ୍ର ଟୁଡୁ, ଚାମ୍ବୁରୁ ସୋରେନ, ଦଳିତ ନେତା ଜୟପ୍ରକାଶ ଭଞ୍ଜଦେଓ, ଯୁବନେତା ସୁଶାନ୍ତ ଗୌଡ଼, ଶିବଶଙ୍କର ସୋରେନ୍ ପ୍ରମୁଖ ବହୁ ନେତୃବୃନ୍ଦ ଆନ୍ଦୋଳନରେ ଅଂଶଗ୍ରହଣ କରି ଗିରଫ ହୋଇଥିଲେ। ରାଜ୍ୟ ତମାମ୍ ଚକାବନ୍ଦ/ ରାସ୍ତାରୋକ ଆନ୍ଦୋଳନ ନିମନ୍ତେ ରାଜ୍ୟବାସୀଙ୍କ ସମର୍ଥନ ଓ ସହଯୋଗ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।



