ବିମାନବନ୍ଦରରୁ ପୁଣି ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ

0

ଭୁବନେଶ୍ୱର  : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଗୁରୁବାର ପୁଣି ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ କରାଯାଇଛି। ସୀମାଶୁଳ୍କ ଆୟୋଗ(ନିରୋଧ) ଶାଖାର ଅଧିକାରୀ ଜଣେ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ତାଙ୍କ ନିକଟରୁ ୩୫୫ ଗ୍ରାମରୁ ଅଧିକ ଓଜନର ସୁନାର ଗୁଣ୍ଡ ମିଳିଛି। ବ୍ୟାଙ୍ଗକକ୍‍ରୁ ଏୟାର ଏସିଆ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିବା କେରଳର ଖୋଜିକେଡ଼ିିର ଏହି ଯାତ୍ରୀ ଜଣକ ସୁନାକୁ ଲୁଚାଇ ଆଣୁଥିବା ବେଳେ ଧରାପଡିଥିଲେ। ସୁନାକୁ ଗୁଣ୍ଡ କରି ବାଦାମି ରଙ୍ଗର ଏକ ପେଷ୍ଟରେ ମିଶାଇ ୪ଟି କ୍ୟାପସୁଲ୍‍ ଭିତରେ ଭର୍ତ୍ତି କରି ଯାତ୍ରୀ ଜଣକ ମଳଦ୍ୱାର ଭିତରେ ଲୁଚାଇ ଆଣୁଥିଲେ। ଲାବୋରେଟୋରିରେ କ୍ୟାପସୁଲ୍‍ ଯାଞ୍ଚ ବେଳେ ସୁନା ଗୁଣ୍ଡ ମିଳିଥିଲା। ଯାହାର ଓଜର ୩୫୫.୧୨୦ଗ୍ରାମ ଥିଲା। ଜବତ ସୁନାର ମୂଲ୍ୟ ୧୧,୩୭,୦୯୪ ଟଙ୍କା ବୋଲି ବିଭାଗର ଅଧିକାରୀ କହିଛନ୍ତି।
ପୂର୍ବରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଏକାଧିକ ସୁନା ବେପାରୀ ବିଭିନ୍ନ ଉପାୟରେ ସୁନା ବିସ୍କୁଟ୍‍କୁ ଲୁଚାଇ ଆଣୁଥିବାବେଳେ ଧରାପଡିଥିଲେ। ମାର୍ଚ୍ଚ ୬ରେ କୁଆଲାଲୁମ୍ପୁରରୁ ଆସୁଥିବା ଏୟାର ଏସିଆର ବିମାନରେ ଜଣେ ଯାତ୍ରୀ ୫ ଖଣ୍ଡ ସୁନା ବିସ୍କୁଟ୍‍କୁ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ ଧରାପଡିଥିଲେ। ୬୦୦ ଗ୍ରାମ ଓଜନର ଏହି ସୁନା ବିସ୍କୁଟ୍‍ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା। ସେହିପରି ମାର୍ଚ୍ଚ ୨୯ରେ ୨ ଜଣ ଯାତ୍ରୀ ମଳଦ୍ୱାରରେ ୧୫ ଖଣ୍ଡ ସୁନାକୁ ଲୁଚାଇ ଆଣି ଆସୁଥିବା ବେଳେ ଧରାପଡିଥିଲେ। ସେମାନଙ୍କଠାରୁ ଜବତ ସୁନା ଖଣ୍ଡର ଓଜନ ୧୧୪୩.୭୮ ଗ୍ରାମ। ଯାହାର ମୂଲ୍ୟ ୩୪,୯୦,୮୧୬ ଟଙ୍କା ଥିଲା। ବିମାନବନ୍ଦରରୁ ବାହାରିବା ବେଳେ ସୀମାଶୁଳ୍କ ବିଭାଗର ଅଧିକାରୀମାନେ ଏହି ୨ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ସୁନା ଖଣ୍ଡ ମିଳିଥିଲା।

Leave A Reply