ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ବରରେ ଡାକ୍ତର, ଆବାସିକ ଡାକ୍ତର, ପାରାମେଡିକାଲ, ନର୍ସ(ସେବିକା), ସଫେଇ କର୍ମଚାରୀ କରୋନା ସଂକ୍ରମିତ ହେଉଛନ୍ତି। ପ୍ରତିଦିନ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେବା ଦ୍ବାରା କର୍ତ୍ତୃପକ୍ଷ ବହିର୍ବିଭାଗ (ଓପିଡି)କୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ତୃତୀୟ ଲହର ଆରମ୍ଭରୁ ଏଯାବତ୍ ପ୍ରାୟ ୨୬୦ରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେଲେଣି ବୋଲି ଜଣାପଡ଼ିଛି। ଏମ୍ସରେ ଦିନକୁ ପ୍ରାୟ ୩୫୦ ନମୁନା ପରୀକ୍ଷା କରାଯାଉଛି। ବାହାର ଲୋକଙ୍କ ନମୁନା ପରୀକ୍ଷା ସହ ଡାକ୍ତରଖାନା ସ୍ବାସ୍ଥ୍ୟ କର୍ମୀଙ୍କ ନମୁନା ପରୀକ୍ଷା ହେଉଛି।
ଶନିବାର ଏମ୍ସରେ ପ୍ରାୟ ୩୫୦ କରୋନା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଇଥିଲା। ୧୩୬ଜଣଙ୍କ ବିବରଣୀ ସଂକ୍ରମିତ ବୋଲି ଆସିଥିଲା। ସେମାନଙ୍କ ମଧ୍ୟରୁ ୫୮ଜଣ ଏମ୍ସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ବହୁ ଡାକ୍ତର ଅଛନ୍ତି। ଚିହ୍ନଟ କର୍ମଚାରୀ ଡାକ୍ତରଖାନାେର ଭର୍ତ୍ତି ନହୋଇ ଘରେ ୭ଦିନ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ଦ୍ବାରା ଡାକ୍ତରଖାନାରେ କରୋନା ନିୟମ କଡ଼ାକଡ଼ି ପାଳନ କରାଯିବ। ନିହାତି ଜରୁରୀ ନଥିବା ରୋଗୀଙ୍କୁ ଡାକ୍ତରଖାନା ଆସିବାକୁ ବାରଣ କରାଯାଇଛି। ରୋଗୀଙ୍କୁ ଡାକ୍ତରଖାନା ମୁଖ୍ୟ ଦ୍ୱାରରେ କରୋନା ଟିକାକରଣ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବାକୁ କୁହାଯାଇଛି। କିନ୍ତୁ ଜରୁରୀ ଅେସ୍ତ୍ରାପଚାର ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ଅେସ୍ତ୍ରାପଚାର କରାଯିବ। କରୋନା ପାଇଁ ଏମ୍ସ ପକ୍ଷରୁ ରୋଗୀ ସେବା ବନ୍ଦ କରାଯିବ ନାହିଁ।



