କଲ୍ୟାଣସିଂହପୁର: ଜଣେ ଷଷ୍ଠ ଶ୍ରେଣୀ ୬ମାସର ଅନ୍ତସତ୍ତ୍ଵା ଥିବା ଜଣାପଡ଼ିବା ପରେ ପରିବାର ଲୋକେ ତା’କୁ ଅଭିଯୁକ୍ତ ଘରେ ଛାଡ଼ି ଆସିଲେ। ଏହି ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ୧୩ ବର୍ଷୀୟା ଏହି ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳର ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ରାୟଗଡା ସଦର ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ବର୍ଷୀୟ ନାବାଳକ କଲ୍ୟାଣସିଂହପୁରରେ ଥିବା ଏକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଛନ୍ତି। ଉକ୍ତ ନାବାଳିକାକୁ ପ୍ରେମ ଜାଲରେ ଫସାଇ ନାବାଳକ ଛାତ୍ର ଜଣକ ତା’ ସହିତ ଶରିରୀକ ସମ୍ପର୍କ ରଖିଥିଲା। ନାବାଳିକା ଜଣକ ୬ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଫଳରେ ସେମାନେ ଝିଅକୁ ନାବାଳକ ଗ୍ରାମରେ ଛାଡି ଦେଇଥିଲେ। ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସ୍ଥାନୀୟ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହଯୋଗରେ ନାବାଳିକାକୁ ଉଦ୍ଧାର କରି ସିଡବ୍ଲ୍ୟୁସି ନିକଟରେ ହାଜର କରାଇଛି। ଘଟଣାର ତଦନ୍ତ ଚାଲିଥିବା ସିଡବ୍ଲ୍ୟୁସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।



