www.samajalive.in
Saturday, December 6, 2025
23.1 C
Bhubaneswar

‘ଜୟ ଯବାନ, ଜୟ କିଷାନ’ର ବାସ୍ତବ ରୂପ : ପଡ଼ିଆ ଜମିରେ ଫସଲ ଫଳାଇଲେ ବାୟୁସେନା ଅଧିକାରୀ

ପାତ୍ରପୁର (ରବୀନ୍ଦ୍ରକୁମାର ମିଶ୍ର): ଦେଶ ସୁରକ୍ଷାରେ ଢେର୍‌ ବର୍ଷ ବିତାଇଲେ। ଅବସର ନେଇ ଗ୍ରାମକୁ ଫେରିଲେ; ହେଲେ ବସି ରହିବାକୁ ପସନ୍ଦ କଲେନି। ସଦାସର୍ବଦା କର୍ମଚଞ୍ଚଳତା ରହିବା ତାଙ୍କର ପସନ୍ଦ। ଏଥିପାଇଁ ଗାଁ ନିକଟରେ ଜମି କିଣି ଆରମ୍ଭ କଲେ ପରିବା ଚାଷ। ତାହାପୁଣି ସମ୍ପୂର୍ଣ୍ଣ ପ୍ରାକୃତିକ। ଜୈବିକ ପଦ୍ଧତିରେ ଫସଲ ଫଳାଉଛନ୍ତି। ଚାଷରୁ ମୁହଁ ଫେରାଉଥିବା ଚାଷୀଙ୍କ ପାଇଁ ସଂପ୍ରତି ସେ ପାଲଟିଛନ୍ତି ପ୍ରେରଣାଦାୟୀ। ଏଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଚିକିଟି ବ୍ଲକ କଳବାଡ଼ ପଞ୍ଚାୟତ ମୈଷାନପୁର ଗ୍ରାମର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ହୃଦୟାନନ୍ଦ ପଣ୍ଡା। ଜୈବିକ ପ୍ରଣାଳୀରେ ପରିବା ଚାଷ କରି ଜୟ ଯବାନ ଜୟ କିଷାନର ମହତ୍ବ ସାବ୍ୟସ୍ତ କରିଛନ୍ତି ହୃଦୟାନନ୍ଦ।

ସ୍କୁଲ ଓ କଲେଜରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ବାୟୁସେନାରେ ୧୯୯୨ ମସିହାରେ ଯୋଗ ଦେଇଥିଲେ। ୨୬ ବର୍ଷ କାର୍ଯ୍ୟ କରି ୱାରେଣ୍ଟ ଅଫିସର ଭାବେ ଅବସର ନେଇଥିଲେ। ଚାକିରି ପରେ ଗଁାକୁ ଯାଇ ଜମି କିଣି ଜୈବିକ ପଦ୍ଧତିରେ ପରିବା ଚାଷ କରିବାକୁ ସେ ମନ ବଳାଇଥିଲେ। ପାତ୍ରପୁର ବ୍ଲକର ସୁନାଦେଇ ଏବଂ ଭୀମପୁର ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ସହଯୋଗରେ ଚାଷ ଆରମ୍ଭ କରିଥିଲେ। ୨୦୧୨ ମସିହାରେ ସୁରଙ୍ଗୀ ପଞ୍ଚାୟତ ବୃନ୍ଦାବନ ନଗର ନିକଟ ଋଷିମାଳ ପାହାଡ ତଳେ ପଡ଼ିଆ ପଡିଥିବା ୬ ଏକର ଜମିକୁ ତଣ୍ଡିପୁରପୁର ଏବଂ ସୁରଙ୍ଗୀର ୧୨ ଜଣଙ୍କଠାରୁ କିଣିଥିଲେ ହଦୃୟାନନ୍ଦ।

- Advertisement -

ଗତବର୍ଷ ମାର୍ଚ୍ଚ ମାସରେ ଚାକିରିରୁ ଅଵସର ନେବା ପରେ ପଡ଼ିଆ ପଡି ଜଙ୍ଗଲ ପାଲଟି ଥିବା ଏହି ଜମିରେ ଚାଷ ଆରମ୍ଭ କରିଥିଲେ। ଜମିରେ ଏବେ କଲରା, ବାଇଗଣ, କଖାରୁ, ଭେଣ୍ଡି, ଦେଶୀ ପୋଟଳ, ବିନ୍‌ସ, ଅଲଡ଼ି ଏବଂ ବିଭିନ୍ନ କିସମର ଶାଗ ଲଗାଇଛନ୍ତି। ପରିବା କ୍ଷେତକୁ ପାଣି ମଡ଼ାଇବା ପାଇଁ ଦୁଇଟି ଗଭୀର ନଳକୂପ ମଧ୍ୟ ଖନନ କରିଛନ୍ତି। ବିଦ୍ୟୁତ୍‌ ମୋଟର ଏବଂ ଡିଜେଲଚାଳିତ ମୋଟର ଯୋଗେ ସ୍ପ୍ରିଙ୍କ୍‌ଲର ମାଧ୍ୟମରେ ଜମିରେ ପାଣି ମଡ଼ାଉଛନ୍ତି। ନିଜେ ମଞ୍ଜି ଲଗାଇବାଠାରୁ ଆରମ୍ଭ କରି ମାଙ୍କଡ଼ ଦାଉରୁ ଫସଲକୁ ରକ୍ଷା କରିବା, ପାଣି ମଡାଇବା, ଲକଡାଉନ ବେଳେ ବିଭିନ୍ନ ଗ୍ରାମକୁ ବାଇକ ଯୋଗେ ନେଇ ସାହିସାହି ବୁଲି ଉତ୍ପାଦିତ ପରିବା ବିକ୍ରି କରି କର୍ମ କରିବାରେ କୌଣସି ପ୍ରକାର ବାଛବିଚାର ତାଙ୍କର ନ ଥାଏ କଥାକୁ ସେ ବାସ୍ତବ ରୂପ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟ ସମ୍ପାଦନରେ ତାଙ୍କୁ ଚାରିଜଣ ନିୟମିତ ଓ ୬ଜଣ ଦିନ ମଜୁରିଆ ସହାୟତା କରୁଛନ୍ତି। ଏବେ ଏହି ଜମିରେ ମାଛ ଚାଷ ପାଇଁ ଦୁଇଟି ପୋଖରୀ ଖୋଳିଛନ୍ତି। କ୍ଷେତର ଫାଟକ ନିକଟରେ ପରିବା ବିକ୍ରି ପାଇଁ ଦୋକାନ ଖୋଲିଛନ୍ତି। ଜୈବିକ ପଦ୍ଧତିରେ ଚାଷ କରି ହୃଦୟାନନ୍ଦ ବାବୁ ପରିବା ଉତ୍ପାଦନ କରୁଥିବା ସୂଚନା ପାଇବା ପରେ ଏବେ ଅଞ୍ଚଳବାସୀ ତାଙ୍କଠାରୁ ପରିବା ନେବାକୁ ଆଗୁଆ ବରାଦ କରି ଯାଉଛନ୍ତି।

ଚିକିଟି ପେଣ୍ଠ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପ୍ରଥମ ବ୍ୟାଚ୍‌ ଭାବେ ପ୍ରଥମ ଶ୍ରେଣୀରେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ। ଛତ୍ରପୁର କଲେଜରେ ମଧ୍ୟ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ଏୟାରମ୍ୟାନ ଭାବେ ବାୟୁସେନାରେ ଯୋଗ ଦେଇଥିଲେ। ୨୬ବର୍ଷ ବାୟୁସେନାର କାର୍ଯ କରିବା ଭିତରେ କେଦାରନାଥ ଭୂ-ସ୍ଖଳନବେଳେ ପାଇଲଟଙ୍କ ସହ ପ୍ରଥମେ ହେଲିକପ୍ଟରରେ ପହଞ୍ଚିବା, ମିଳିତ ଜାତିସଂଘକୁ ଶାନ୍ତିଦୂତ ଭାବେ ୨୦୦୯ ଜୁନ୍‌ ମାସରେ ହେଲିକପ୍ଟର ଧରି କଙ୍ଗୋ ଯାଇ ୧୩ ମାସ କାର୍ଯ୍ୟ ସମ୍ପାଦନ କରିବା ଆଦି ନିଆରା ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ହୃଦୟାନନ୍ଦ। ସିଆଚୀନ ଗ୍ଲେସିୟରରେ କାମ କରିବା ସହ ବିଭିନ୍ନ ସମୟରେ ବାୟୁସେନା ମୁଖ୍ୟଙ୍କଠାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଜୟ ଯବାନ ଜୟ କିଷାନ ​‌େ​‌ସ୍ଲାଗାନ୍‌କୁ କାର୍ଯ୍ୟରେ ପରିଣତ କରିବା ପାଇଁ ବାପା ଜୁର୍‌ ପଣ୍ଡା ଓ ମା’ ସ୍ବରସ୍ବତୀ ପଣ୍ଡାଙ୍କ ପ୍ରେରଣା ଆଗକୁ ବଢ଼ାଇଛି ବୋଲି ସେ କହିଛନ୍ତି। ଦେଶ ମାତୃକାର ସେବା କରିବା ପରେ ଜନ୍ମମାଟିର ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। କୌଣସି କାମକୁ ଘୃଣା ନ କରି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories