ଟ୍ରେନକୁ ଚଢି ସେଲ୍ଫି ନେବା ହେଲା କାଳ,ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର
କଣ୍ଟାବାଞ୍ଜି:ସ୍ଥାନ, କାଳ ଓ ପାତ୍ର କିଛି ମାନୁନି ସେଲ୍ଫି। ବର୍ତ୍ତମାନର ଯୁବକ ସମାଜଠାରୁ ଆରମ୍ଭ ବିଭିନ୍ନ ବୟସ ବର୍ଗର ଲୋକଙ୍କୁ ସେଲ୍ଫି ମାନିଆ ଘାରିଛି। ଯାହା ଫଳରେ ଅନେକ ଦୁର୍ଘଟଣା ଘଟୁଥିବା ବେଳେ ଲୋକଙ୍କ ଧନ ଜୀବନ ବି ନଷ୍ଟ ହେଉଛି। କିନ୍ତୁ ସେଲ୍ଫି ନିଶା ଉତୁରିବାର ନାଁ ନେଉ ନାହିଁ। ସେଲ୍ଫି ନେବାକୁ ଯାଇ କଣ୍ଟାବାଞ୍ଜି ଅଞ୍ଚଳର ଜଣେ ଯୁବକ ଟ୍ରେନ ଉପରେ ଚଢିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।
ବୁଧବାର ସଂଧ୍ୟା ସମୟରେ କଣ୍ଟାବାଞ୍ଜି ରେଳ ଷ୍ଟେସନର ପ୍ଲାଟ ଫର୍ମ ନମ୍ବର ୨ରେ ରାୟପୁର ଅଭିମୁଖେ ଯିବାକୁ ଠିଆ ହୋଇଥିଲା ତେଲ ବୋଝେଇ ମାଲବାହି ଟ୍ରେନ। ଟ୍ରେନ ଉପରକୁ ଚଢି ସେଲ୍ଫି ନେଉଥିବା ବେଳେ ୩୦ ବର୍ଷୀୟ ଜଗଦିଶ ମାଝି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଛତିଶଗଡ ରାଜ୍ୟ ଦେଭୋଗ ଥାନା ଗରିଆବନ୍ଦ ଅଞ୍ଚଳର ଜଗଦିଶ ସ୍ଥାନୀୟ ଅଞ୍ଚଳର ଭଜନାଥ ମାଝି ,ନିଳାମ୍ବର ମାଝି ଙ୍କ ସହ ମୁରିବାହାଲ ଥାନା ତେନ୍ତୁଲିଖୁଂଟି ଗାଁକୁ ଆସିଥିଲେ। ସେଠାରୁ ଏହି ତିନି ଜଣ କଣ୍ଟାବାଞ୍ଜି ବୁଲିବାକୁ ଆସି ରେଳ ଷ୍ଟେସନରେ ଛିଡା ହୋଇଥବା ଥିବା ମାଲବାହି ଟ୍ରେନ ଉପରକୁ ଚଢି ନିଜ ମୋବାଇଲରେ ସେଲ୍ଫି ଉଠାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜଗଦିଶଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଜନାଥ ଓ ନିଳାମ୍ବର। ଜଗଦିଶଙ୍କର ଗୋଡ ଦୁଇଟି ପୋଡି ଯାଇଥିବା ବେଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି।
Comments are closed.