ଶିକ୍ଷକଙ୍କ ଅନୁପସ୍ଥିତି : ଘଣ୍ଟିଆଦର ପ୍ରାଥମିକ ବିଦ୍ୟାଳୟ ବନ୍ଦ

୫୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ

ଠାକୁରମୁଣ୍ଡା :  “ସଭିଏଁ ବଢିବା ସଭିଏଁ ପଢିବା” ରାଜ୍ୟ ସରକାରଙ୍କ ଏଇ ନାରା ଦୀର୍ଘଦିନ ଧରି ଦିଆ ଯାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା। କୋଉଁଠି ସ୍କୁଲ ଭିତ୍ତିଭୂମି ନାହିଁ ତ ଆଉ କୋଉଁଠି ଭିତ୍ତିଭୂମି ଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଏବେ ଚୁଲିକି ଗୋଲାଣି । ଇଏ ହେଉଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟ ଅନ୍ତର୍ଗତ ଘଣ୍ଟିଆଦର ପ୍ରାଥମିକ ବିଦ୍ୟାଳୟ। ଏଠାରେ ଶିକ୍ଷା ବିଭାଗର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ବୁଧବାର ଦିନ ଶିକ୍ଷକ ଅନୁପସ୍ଥିତ ଥିବା କାରଣରୁ ବିଦ୍ୟାଳୟରେ ପାଠ ପଢା ସମ୍ପୁର୍ଣ୍ଣ ବନ୍ଦ ହେବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୫୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା କାରଣରୁ ଏହି ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ନିଯୁକ୍ତି ପାଇଥିବା ଶିକ୍ଷକ ଜଣକ ୨ ଦିନ ପାଇଁ ଛୁଟିରେ ଥିବାରୁ ଆଉ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ୨ ଦିନ ପାଇଁ ଦାୟିତ୍ବ ଦିଆ ଯାଇଥିଲା । ୨ ଦିନ ପରେ ଡେପୁଟେସନରେ ଆସିଥିବା ଶିକ୍ଷକ ତାଙ୍କ ନିଜ ବିଦ୍ୟାଳୟକୁ ଫେରିଯିବା ପରେ ଛୁଟି ରେ ଥିବା ସ୍ଥାୟୀ ଶିକ୍ଷକ ପଵିତ୍ର ମୋହନ ମହାଳିକ ଛୁଟି ସରିଯିବା ପରେ ମଧ୍ୟ ବିଦ୍ୟାଳୟରେ ଅନୁପସ୍ଥିତ ଥିବା କାରଣରୁ ଆଜି ବିଦ୍ୟାଳୟରେ ପାଠ ପଢିବାକୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କେତେକ ନିଜ ନିଜ ମଧ୍ୟରେ ମାରାପିଟ ହେବା ସହ କାନ୍ଦି କାନ୍ଦି ଘରକୁ ଫେରି ଆସିବାରୁ ଗ୍ରାମବାସୀ ମାନେ ବିଦ୍ୟାଳୟକୁ ଆସି ଶିକ୍ଷକ ଅନୁପସ୍ଥିତ ଥିବା ଜାଣି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନ ଯୋଗେ ଏ ସମ୍ପର୍କରେ ଅବଗତ କରାଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଏ ସମ୍ପର୍କରେ ଜାଣିବା ପରେ ଗୁରବାର ଦିନ ଅନ୍ୟଜଣେ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଦେବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବା ସହ ଅନୁପସ୍ଥିତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗ୍ରାମବାସୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ। ଠାକୁରମୁଣ୍ଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବାରୁ ଶିକ୍ଷା ବିଭାଗ ଆଖି ବନ୍ଦ କରିଦେଇଛି। ଯାହା ଫଳରେ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗୁ ଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ତେବେ ଏଇ ସ୍କୁଲର ଶିକ୍ଷକ ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ଗ୍ରାମବାସୀ ଦାବି କରିଛନ୍ତି ।

kalyan agarbati

Comments are closed.