Patra electronics

ଆତିଶୀଙ୍କ କ୍ୟାବିନେଟରେ ମୁକେଶ ନୂଆ ମୁହଁ

ନୂଆଦିଲ୍ଲୀ: ଆପ୍‌ ନେତ୍ରୀ ଆତିଶୀ ଆସନ୍ତା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ତେବେ ଆତିଶୀଙ୍କ କ୍ୟାବିନେଟରେ ୪ ଜଣ ପୁରୁଣା ମନ୍ତ୍ରୀଙ୍କ ସ୍ଥାନ ସୁରକ୍ଷିତ ଥିବାବେଳେ ଏକମାତ୍ର ନୂଆ ମୁହଁ ଭାବେ ମୁକେଶ ଆହଲାୱତ୍‌ ସାମିଲ ହେବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କ୍ୟାବିନେଟରେ ସାମିଲ ଥିବା ସୌରଭ ଭରଦ୍ବାଜ, କୈଳାସ ଗେହଲଟ୍‌, ଗୋପାଳ ରାୟ ଏବଂ ଇମ୍ରାନ ହୁସେନ ଉକ୍ତ ଦିନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୁଲତାନପୁର ମାଜରା ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ମୁକେଶ ହେଉଛନ୍ତି ଜଣେ ଦଳିତ ନେତା। ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ପାଞ୍ଚ ମନ୍ତ୍ରୀ ଶପଥ ନେବା ପରେ କ୍ୟାବିନେଟରେ ଆଉ ଗୋଟିଏ ମନ୍ତ୍ରିପଦ ଖାଲି ପଡିବ ବୋଲି ଜଣାପଡିଛି।

୪୩ ବର୍ଷୀୟା ଆତିଶୀ କାଲକାଜୀ ଆସନରୁ ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି। କେଜରିୱାଲଙ୍କ କ୍ୟାବିନେଟରେ ସେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତୁଲାଉଥିଲେ। ତେବେ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଓ ମନୀଷ ସିସୋଦିଆ ଜେଲ ଯିବା ପରେ ଆତିଶୀ ୧୪ଟି ବିଭାଗର ଦାୟିତ୍ବ ସମ୍ଭାଳୁଥିଲେ। ସୂଚନାଯୋଗ୍ୟ ଜାମିନରେ ଆସିବା ପରେ କେଜରିୱାଲ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟ ମିଳିଥିଲେ ସୁଦ୍ଧା ଦିଲ୍ଲୀବାସୀ ଯେପର୍ଯ୍ୟନ୍ତ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇନାହାନ୍ତି, ସେପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ (ଇସି)ଙ୍କ କାର୍ଯ୍ୟସୂଚୀ ମୁତାବକ ୨୦୨୫ ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କେଜରିୱାଲ ଅବଶ୍ୟ ଆଗୁଆ ନିର୍ବାଚନ ସପକ୍ଷରେ ମତ ଦେଇସାରିଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳ ଘୋଷିତ ହେବା ପର୍ଯ୍ୟନ୍ତ ଆତିଶୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବା ନିଶ୍ଚିତ ଜଣାପଡୁଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ ହେବା ପରେ ଆତିଶୀ ଆପ୍‌ ସଂଯୋଜକ ତଥା ଦଳୀୟ ସୁପ୍ରିମୋ କେଜରିୱାଲଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଜଣେ ନବାଗତା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନସୀନ କରାଇବା ନିଷ୍ପତ୍ତି ଭାରତରେ ବିରଳ ବୋଲି ଆତିଶୀ କହିଛନ୍ତି। ସେ ଯଦି ଅନ୍ୟ କୌଣସି ଦଳରେ ଥାନ୍ତେ, ତେବେ ନିର୍ବାଚନ ଲଢିବାକୁ ଦଳୀୟ ଟିକଟ ପାଇବା କଷ୍ଟକର ହୋଇଥାନ୍ତା ବୋଲି ଆତିଶୀ କହିଛନ୍ତି।

 

Comments are closed.