ଗଛ କଟାକୁ ନେଇ ଉତ୍ତେଜନା, ଫରେଷ୍ଟର, ଗାର୍ଡ଼ ଓ ଜଙ୍ଗଲ ସୁରକ୍ଷା କମିଟି ସଭାପତିଙ୍କୁ ଘେରିଲେ ଗ୍ରାମବାସୀ

ବଡ଼ସାହି: ଡୁକୁରା ରେଞ୍ଜ ଅଧୀନ ସୁହାଗପୁର ପଞ୍ଚାୟତ କଉଡିଖଣି ଗ୍ରାମରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ଗ୍ରାମ୍ୟ ଓ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟିବାକୁ ବିରୋଧ କରି ଗ୍ରାମବାସୀ ବଡ଼ସାହି ଫରେଷ୍ଟର, ଗାର୍ଡ଼ ଓ ଜଙ୍ଗଲ ସୁରକ୍ଷା କମିଟିର ସଭାପତିଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ଡୁକୁରା ରେଞ୍ଜର ଓ ବାରିପଦା ଡିଏଫଓଙ୍କୁ ଖବର ଦେଇଥିଲେ। ତେବେ ବିଭାଗ ପକ୍ଷରୁ କେହି ନପହଞ୍ଚିବାରୁ ଜନ ଅସନ୍ତୋଷ ଉତ୍ତେଜନା ରୂପ ନେଇଥିଲା। କିଛି ଦିନ ପୂର୍ବେ କାଳବୈଶାଖରେ କଉଡିଖଣି ଗ୍ରାମ୍ୟ ଓ ସଂରକ୍ଷିତ ଜଙ୍ଗଲରେ ଥିବା ବହୁ ଆକାଶିଆ ଗଛ ଭାଙ୍ଗିବା ସହ ଉପୁଡିଯାଇଥିଲା। ଏହି ଗଛକୁ କାଟିବା ପାଇଁ ଜଙ୍ଗଲ ସୁରକ୍ଷା କମିଟି ଓ ବିଭାଗୀୟ ଅଧିକାରୀ ଏକ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରିଥିଲେ। ନିୟମାନୁଯାୟୀ ଏଭଳି ଭାଙ୍ଗିଥିବା ଓ ଉପୁଡିଥିବା ଗଛ ମଧ୍ୟରୁ ଅଧା-ଅଧା ଉଭୟ ଗ୍ରାମ୍ୟ କମିଟି ଓ ବିଭାଗ ନେବାର ନିୟମ ରହିଛି। ଯାହାକୁ ଡିଏଫଓଙ୍କ କାର୍ୟ୍ୟାଳୟରୁ ଡୁକୁରା ରେଞ୍ଜ ଅଫିସରଙ୍କୁ ଅବଗତ କରାଯାଇଥିଲା। ୮ଦିନ ଧରି ବଡ଼ସାହି ଫରେଷ୍ଟରଙ୍କ ଉପସ୍ଥିତିରେ ଗଛ କାଟିବା ଆରମ୍ଭ ହୋଇଥିଲା। ତେବେ ବିଭାଗର ଚିଠିର ନିୟମକୁ ଉଲଙ୍ଘନ କରି ଅଧିକ ସଂଖ୍ୟକ ଗଛ କାଟିବା ନେଇ ଗ୍ରାମବାସୀ ବନଅଧିକାରୀଙ୍କୁ ଜଣାଇ ବିରୋଧ କରିଥିଲେ। ଏଭଳି ଅବ୍ୟବସ୍ଥାକୁ ନେଇ କମିଟି ପକ୍ଷରୁ ୧୭ତାରିଖରେ ବାରିପଦା ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର କାଠ ମାଫିଆ ଓ କିଛି ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ଗଛ କଟା ବନ୍ଦ ହୋଇ ନଥିଲା। କେତେକ ଭଲ ଗଛକୁ ମଧ୍ୟ ସେମାନେ କାଟି ପକାଇଥିଲେ। ଯାହାକୁ ନେଇ ଶୁକ୍ରବାର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବେଆଇନ ଗଛ କଟାକୁ ପ୍ରଶ୍ରୟ ଦେଉଥିବା ବନପାଳ ଓ ଗାର୍ଡ଼ ସେମାନେ ଜଙ୍ଗଲରେ ଘେରାଉ କରିବା ସହ କାଠ ନେବାକୁ ଆସିଥିବା ଟ୍ରକକୁ ଅଟକ ରଖିଥିଲେ। ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଜାଲ ଦସ୍ତଖତ ସଂଗ୍ରହ ପୂର୍ବକ ଚକ୍ରାନ୍ତ କରି ଅଧିକ ଗଛ କାଟିବାକୁ ଦେଇଥିବା କମିଟି ସଭାପତିଙ୍କୁ ମଧ୍ୟ ସେମାନେ ଅଟକ ରଖିଥିଲେ। ବନ ସୁରକ୍ଷା ସମିତିର ସଦସ୍ୟ ତଥା ୧୦ନଂ ୱାର୍ଡ ସଦସ୍ୟା ଲକ୍ଷ୍ମୀ ସିଂ କୁନା ହେମ୍ବ୍ରମ, ଯଦୁନାଥ ମାରାଣ୍ଡି, ପାର୍ବତୀ ମାଝୀ ଓ ବିକାଶ ସିଂଙ୍କ କହିବାନୁଯାୟୀ ୫୦ଟି ଗଛ କାଟିବା ପାଇଁ ଡିଏଫଓ ନିର୍ଦ୍ଦେଶ ଦେଇଥିବା ବେଳେ ୧୩୦ଟି ଗଛ ବେଆଇନ ଭାବେ କାଟି ଦିଆଯାଇଛି।

kalyan agarbati

Comments are closed.