www.samajalive.in
Thursday, December 11, 2025
16.1 C
Bhubaneswar

ପୁରୀର ଭିତ୍ତିଭୂମି ବିକାଶ, କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ମଠ ପୁରନୁଦ୍ଧାର ପାଇଁ ୫୦୦ କୋଟିର ପ୍ୟାକେଜ

ଭୁବନେଶ୍ବର : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ିତୋଳିବା ପାଇଁ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିସହିତ ଶ୍ରୀମନ୍ଦିରର ନିରାପତ୍ତାକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଶୁକ୍ରବାର ଲୋକସେବା ଭବନଠାରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ଘୋଷଣା ଅବସରରେ ଶ୍ରୀମନ୍ଦିର ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି କହିବା ସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବା ପାଇଁ ପୁରୀବାସୀଙ୍କୁ ସେ ଅନୁରୋଧ କରିଛନ୍ତି। ପୁରୀ ଧାମର ଗରିମା ବୃଦ୍ଧି ପାଇଁ ସେ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।

ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଶୁକ୍ରବାର ପୂର୍ବାହ୍ନରେ ପୁରୀ ପ୍ୟାକେଜ ଘୋଷଣା ଅବସରରେ ଏକ ଭାବବିହ୍ବଳ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ। ସେ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ପ୍ରତ୍ୟେକ ଓଡ଼ିଆର ଧର୍ମ। ସଂପ୍ରତି ଆତଙ୍କବାଦ ସାରା ବିଶ୍ବରେ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଆତଙ୍କବାଦର ଧର୍ମ ନାହିଁ। ବିଭିନ୍ନ ଧର୍ମାନୁଷ୍ଠାନ ଏବେ ଆତଙ୍କବାଦୀ ନିଶାଣରେ। ଏଭଳି ସ୍ଥିତିରେ ଶ୍ରୀ ମନ୍ଦିର ନିରାପତ୍ତା ପାଇଁ ଜଷ୍ଟିସ ବିମଳାପ୍ରସାଦ ଦାସ କମିସନଙ୍କ ପକ୍ଷରୁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ଗୁରୁତ୍ବପୂର୍ଣ୍ଣ। ଶହଶହ ବର୍ଷ ଧରି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଓଡ଼ିଆ ଜାତି ଅନେକ ତ୍ୟାଗ ଓ ବଳିଦାନ ଦେଇଛି। ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିବା ସହ ବର୍ଷବର୍ଷ ଧରି ପାତାଳି ହେବା ଆଦି ଇତିହାସ ରହିଛି। କିନ୍ତୁ ଓଡ଼ିଆ ଜାତିଠାରୁ ତା’ର ଆତ୍ମା ମହାପ୍ରଭୁଙ୍କୁ କେହି ଅଲଗା କରିପାରି ନାହାନ୍ତି କି କରିପାରିବେ ନାହିଁ। ବିଶର ମହାନ୍ତିଙ୍କ ତ୍ୟାଗ ଏ ଜାତି କେବେ ଭୁଲିବ ନାହିଁ ବୋଲି ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
କମିଶନଙ୍କ ସୁପାରିସ ଓ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ମେଘନାଦ ପାଚେରିର ଚତୁଃପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ସରକାରୀ ଓ ସେରକାରୀ ନିର୍ମାଣକୁ ଉଚ୍ଛେଦ ନେଇ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ମୁଁ ଜାଣିଛି, ଏଥିରେ କିଛି ପରିବାର ପ୍ରଭାବିତ ହୋଇପାରନ୍ତି। କିନ୍ତୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ସେମାନଙ୍କ ତ୍ୟାଗ ଗୁରୁତ୍ବପୂର୍ଣ୍ଣ। ଆମ ଭବିଷ୍ୟତ ପିଢ଼ି ପାଇଁ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ଜରୁରୀ। ମୁଁ ଚାହେଁ, ଆପଣମାନେ ଏହାକୁ ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ। ଆପଣଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ମନେ ରଖିବ। ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କୁ କଥା ଦେଉଛି ଉଚ୍ଛେଦରେ ଯେଉଁମାନେ ପ୍ରଭାବିତ ହେବେ ଠିକଣା ଭାବରେ ସେମାନଙ୍କର ଥଇଥାନ କରାଯିବ। ସେହିପରି ସୁରକ୍ଷା ବଳୟ ମଧ୍ୟରେ ଆସୁଥିବା ମଠଗୁଡ଼ିକୁ ସ୍ଥାନାନ୍ତର
କରାଯାଇ ପୁଣି ଗଢ଼ିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ମଠ ସଂସ୍କୃତିର ସୁରକ୍ଷା ପାଇଁ ସରକାର ଅବଢ଼ା ଯୋଜନାରେ ପ୍ରଥମ ଦଫାରେ ୧୦୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମହାବାତ୍ୟା ‘ଫଣି’ ପରେ ପୁରୀର ଅବସ୍ଥା ଦେଖି ଏହାକୁ ବିଶ୍ବ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ମୁଁ ସଙ୍କଳ୍ପ ନେଇଥିଲି। ଏହାକୁ ସାକାର କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ବୈଠକ​‌ରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ପୁଲିସ ଡିଜି, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ପୁରୀ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories