ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ସମଝୋତା ଏକ୍ସପ୍ରେସ ଟ୍ରେନ ଚଳାଚଳ ବାତିଲ କରିବା ପରେ ଶୁକ୍ରବାର ଭାରତ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିଛି। ଯୋଧପୁରର ଭଗତ କି କୋଠି ଷ୍ଟେସନରୁ ପ୍ରତି ଶୁକ୍ରବାର ରାତିରେ କରାଚୀକୁ ଯାଉଥିବା ଥର ଲିଙ୍କ ଏକ୍ସପ୍ରେସ ଟ୍ରେନ ସେବାକୁ ବନ୍ଦ କରିଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଶ୍ନ କରିବା ଏବଂ ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାରା ବିଶ୍ୱରେ ଭାରତ ବିରୁଦ୍ଧରେ ଅପପ୍ରଚାର ଚଳାଇବା ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ବାତାବରଣ ସୃଷ୍ଟି ହୋଇଛି।
ଭାରତ କହିଛି, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପାକିସ୍ତାନ ଭୟଭୀତ ହୋଇପଡିଛି ଏବଂ ଇସ୍ଲାମାବାଦ ସେହି ଅଂଚଳରେ ଲୋକମାନଙ୍କୁ ମିଥ୍ୟା ତଥ୍ୟ ଆଧାରରେ ପ୍ରବର୍ତାଇବାକୁ ଚେଷ୍ଟା କରୁଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜାମ୍ମୁ କାଶ୍ମୀରର ବିକାଶ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଭାରତ ଗ୍ରହଣ କରୁଛି ଏବଂ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ବିଫଳ ହୋଇଛି।



