ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ସୁଷମା ସ୍ୱରାଜ ଏକ ଧାରାରେ ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ସୁପ୍ରିମକୋର୍ଟର ପୂର୍ବତନ ଆଇନଜୀବୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଥିଲେ ଭାରତର ଦ୍ଵିତୀୟ ବିଦେଶ ମନ୍ତ୍ରୀ ଯେ ସଫଳତାର ସହ ୨୦୧୪ ମେ ୨୬ରୁ ୨୦୧୯ ମେ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁଷମା ଥିଲେ ସାଧାରଣ ଜନତାର ଅସାଧାରଣ ନେତ୍ରୀ। ଯେ କେହି ବି ଟ୍ୱିଟ କଲେ ଉତ୍ତର ଦେଉଥିଲେ ସୁଷମା। ସଂସଦକୁ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ସୁଷମା ସ୍ୱରାଜ ୧୯୭୭ ମସିହାରେ ମାତ୍ର ୨୫ ବର୍ଷ ବୟସରେ ହରିୟାଣା ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ସୁଷମା।
୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ହରିୟାଣାର ଅମ୍ବାଲା କାଣ୍ଟରେ ଜନ୍ମ ଗ୍ରହଣ କରିଥିଲେ ସୁଷମା ସ୍ୱରାଜ। ସୁଷମାଙ୍କ ପିତା ହରଦେବ ଶର୍ମା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିଲେ ଓ ଏହାର ପ୍ରଭାବ ତାଙ୍କ ରାଜନୈତିକ ଜୀବନରେ ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ଦେବୀ ଥିଲେ ସୁଷମାଙ୍କ ମା’। ଅମ୍ବାଲା କ୍ୟାଣ୍ଟନମେଣ୍ଟ ସ୍ଥିତ ସନାତନ ଧର୍ମ କଲେଜରୁ ସୁଷମା ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କଲାପରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ରୁ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ। ସାରା ବିଶ୍ୱରେ ଜଣେ ଉଚ୍ଚ କୋଟିର ବକ୍ତା ଭାବେ ଜଣାଶୁଣା ସୁଷମାଙ୍କ ପ୍ରତିଭା ସେ ସମୟରୁ ଜଣାପଡିଥିଲା ଯେବେ ସେ ହରିୟାଣା ଭାଷା ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଲଗାତାର ତିନି ଥର ଶ୍ରେଷ୍ଠ ହିନ୍ଦୀ ବକ୍ତା ବିବେଚିତ ହୋଇଥିଲେ।
୧୯୭୩ ମସିହାରେ ସୁଷମା ସ୍ୱରାଜ ସର୍ବୋଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତା ପୂର୍ବରୁ ୧୯୭୦ରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇଥିଲେ ଓ ସେହିଠାରୁ ତାଙ୍କ ଜୀବନରେ ରାଜନୈତିକ ସଂଗ୍ରାମ ଆରମ୍ଭ ହୋଇଥିଲା। ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଳ ସମାଜବାଦୀ ନେତା ଜର୍ଜ ଫର୍ନାଣ୍ଡିଜ ସହ ମିଶି କାର୍ଯ୍ୟ କରୁଥିଲେ ତେଣୁ ସେ ଜର୍ଜ ଫର୍ନାଣ୍ଡିଜଙ୍କ ସହ ନ୍ୟାୟିକ ଗୋଷ୍ଠିରେ ୧୯୭୫ରେ ସାମିଲ ହୋଇଥିଲେ। ପରେ ସେ ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ଆହୂତ ‘ସମ୍ପୂର୍ଣ କ୍ରାନ୍ତି ଆନ୍ଦୋଳନ’ରେ ସକ୍ରିୟ ଭାବେ ଗ୍ରହଣ କରିଥିଲେ। ସେହି ବର୍ଷ ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ସୁଷମା ସ୍ୱରାଜ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ସେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ। ୧୯୯୬ରେ ଲୋକସଭାରେ ଦେବଗୌଡ଼ା ସରକାରଙ୍କ ବିରୁଦ୍ଧରେ ଆସ୍ଥା ଭୋଟ ଗ୍ରହଣ ପୂର୍ବରୁ ସୁଷମାଙ୍କ ସାର ଗର୍ଭକ ଉଦବୋଧନ ଆଜି ବି ସ୍ମରଣୀୟ।
ସେ ୨୫ ବର୍ଷ ବୟସରେ ୧୯୭୭ରେ ପ୍ରଥମ ଥର ପାଇଁ ଅମ୍ବାଲା କ୍ୟାଣ୍ଟନମେଣ୍ଟ ଆସନରୁ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ମୁଖ୍ୟମନ୍ତ୍ରୀ ଦେବୀ ଲାଲଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରରେ କ୍ୟାବିନେଟ ମନ୍ତ୍ରୀ ଆସନ ଗ୍ରହଣ କରିଥିଲେ ଏବଂ ପରେ ୧୯୮୭ରେ ଦ୍ଵିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେଲାପରେ ୨୭ ବର୍ଷ ବୟସରେ ହରିୟାଣା ଜନତା ଦଳର ରାଜ୍ୟ ସଭାପତି ପଦ ଅଳଙ୍କୃତ କରିଥିଲେ। ପୁଣି ତୃତୀୟ ଥର ପାଇଁ ସେ ଭାରତୀୟ ଜନତା ପାର୍ଟି ଓ ଲୋକ ଦଳ ମେଣ୍ଟ ସରକାରରେ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ଶିକ୍ଷା ମନ୍ତ୍ରୀ ରହିଥିଲେ।
ଏକ ବିଶେଷ ଘଟଣାକ୍ରମରେ ସୁଷମା ସ୍ୱରାଜ ୧୯୯୮ ଅକ୍ଟୋବରରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ଓ ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୁନଶ୍ଚ ସେ ବିଧାନସଭାରୁ ଇସ୍ତଫା ଦେଇ ଜାତୀୟ ରାଜନୀତିକୁ ଫେରିଥିଲେ। ୧୯୯୦ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୯୬ରେ ଏକାଦଶ ଲୋକସଭାକୁ ଦକ୍ଷିଣ ଦିଲ୍ଲୀରୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୂଚନା ଓ ପ୍ରସାରଣ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଆସନରୁ ସୁଷମା ଦ୍ଵିତୀୟ ଥର ପାଇଁ ଦ୍ୱାଦଶ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ଓ ସୂଚନା ଓ ପ୍ରସାରଣ କ୍ୟାବିନେଟ ମନ୍ତ୍ରୀ ସହ ଟେଲିକମ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ଚଳଚ୍ଚିତ୍ର ପ୍ରସ୍ତୁତିକୁ ସେ ଉଦ୍ୟୋଗର ମାନ୍ୟତା ଦେଇଥିଲେ ଯାହା ଫଳରେ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗକୁ ବ୍ୟାଙ୍କରୁ ଋଣ ମିଳିବ ସମ୍ଭବ ହୋଇଥିଲା।
୧୯୯୯ ସେପ୍ଟେମ୍ବରରେ ସୁଷମା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିପକ୍ଷରେ ତ୍ରୟୋଦଶ ଲୋକସଭା ନିର୍ବାଚନରେ କର୍ଣ୍ଣାଟକ ବେଲାରୀ ଆସନରୁ ଅବତୀର୍ଣ ହୋଇଥିଲେ। ତେବେ ୧୯୫୧-୫୨ରୁ କଂଗ୍ରେସ ଜିତାପଟ ହାସଲ କରୁଥିବା ବେଲାରୀ ଆସନରେ ସୁଷମା ମାତ୍ର ୧୨ ଦିନ ପାଇଁ ପ୍ରଚାର କରିଥିଲେ ଓ କନ୍ନଡ଼ ଭାଷାରେ ନିର୍ବାଚନ ପ୍ରଚାର କରିଥିଲେ। ଯଦିଓ ସେ କେବଳ ୭ ପ୍ରତିଶତ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କିନ୍ତୁ ୩ ଲକ୍ଷ ୫୮ ହଜାର ଭୋଟ ପାଇଥିଲେ। ୨୦୦୦ ମସିହାରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ଆସିଥିଲେ ଓ ପୁଣି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳି ଥିଲେ। ୨୦୦୩ରେ ସୁଷମା କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ରହିଥିଲେ। ତାଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ କାଳରେ ଓଡିଶା, ରାଜସ୍ଥାନ, ବିହାର, ଛତିଶଗଡ଼ ଏବଂ ଉତ୍ତରାଖଣ୍ଡରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଖୋଲିବା ନିଷ୍ପତ୍ତି ହୋଇଥିଲା।
ସୁଷମା ପଞ୍ଚଦଶ ଲୋକସଭାକୁ ମଧ୍ୟପ୍ରଦେଶର ବିଦିସା ଆସନରୁ ୪ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ ଓ ଲୋକସଭାରେ ବିରୋଧୀ ଦଳ ନେତ୍ରୀ ଭାବରେ ଲାଲ କୃଷ୍ଣ ଆଡ଼ୱାଣୀଙ୍କ ସ୍ଥାନ ନେଇଥିଲେ। ବୈଦେଶିକ ମନ୍ତ୍ରୀ ଭାବରେ ଜାତିସଂଘର ୭୩ତମ ବୈଠକରେ ସୁଷମାଙ୍କ ଅଗ୍ନିବର୍ଷୀ ଭାଷଣକୁ ଲୋକମାନେ ଆଜିଯାଏଁ ମନେ ରଖିଛନ୍ତି। କେବଳ ଯେ ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ ହେବା ନୁହେଁ ବରଂ ସେ ଅନେକ କ୍ଷେତ୍ରରେ ଥିଲେ ପ୍ରଥମ। ଏକ ଜାତୀୟ ରାଜନୈତିକ ଦଳର ପ୍ରଥମ ମହିଳା ମୁଖପାତ୍ର, ବିଜେପିର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ବିଜେପିର ପ୍ରଥମ ମହିଳା କେନ୍ଦ୍ର ମନ୍ତ୍ରୀ, ବିଜେପିର ପ୍ରଥମ ମହିଳା ସାଧାରଣ ସଚିବ ଏବଂ ବିଜେପିର ପ୍ରଥମ ମହିଳା ବିରୋଧୀ ଦଳ ନେତ୍ରୀ ଥିଲେ ସୁଷମା।
୧୧ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସୁଷମା ସ୍ୱରାଜ ୪ ଥର ହରିୟାଣା ହିନ୍ଦୀ ସାହିତ୍ୟ ସମ୍ମେଳନର ଅଧ୍ୟକ୍ଷ ପଦରେ
ରହିଥିଲେ। ନେପାଳ ଭୂମିକମ୍ପରେ ଉଦ୍ଧାର ବେଳେ ତାଙ୍କ ଉଚ୍ଚକୋଟୀର କାର୍ଯ୍ୟ ପାଇଁ ସ୍ପେନ ସରକାର ସୁଷମାଙ୍କୁ ‘ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ସିଭିଲ ମେରିଟ’ ସମ୍ମାନ ପ୍ରଦାନ କରିଥିଲେ। ତେବେ ନିଜର ସ୍ପଷ୍ଟ ଅଭିବ୍ୟକ୍ତି ପାଇଁ ସୁଷମାଙ୍କୁ ଅନେକ ଥର ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ଲଳିତ ମୋଦୀଙ୍କୁ ଭିସା ପ୍ରଦାନ ନେଇ ବିରୋଧୀ ଦଳ ତାଙ୍କ ଇସ୍ତଫା ଦାବି କରିଥିଲେ। ସେ ୨୦୧୪ରେ ଭାଗବତ ଗୀତାକୁ ଜାତୀୟ ପୁସ୍ତକ ଘୋଷଣା କରିବା ଦାବି କରି ସମାଲୋଚିତ ହୋଇଥିଲେ।
ତେବେ ସୁଷମା ତାଙ୍କ ଜୀବନର ଶେଷ ଭାଗରେ ଅସୁସ୍ଥତା ଯୋଗୁ ସକ୍ରିୟ ରାଜନୀତିରୁ ଦୁରେଇ ରହିଥିଲେ। କିଡ଼ନୀ ପ୍ରତିରୋପଣ ପରେ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସେ ୨୦୧୯ ସାଧାରଣ ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୯ ଅଗଷ୍ଟ ୬ରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ଲୋକସଭାରେ ପାସ ହେବା ପରେ ସୁଷମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଥିଲେ ଓ ତାହା ଥିଲା ତାଙ୍କର ଶେଷ ଟ୍ୱିଟ।
ସତେ ଯେମିତି ସେ ଅପେକ୍ଷା କରିଥିଲେ ସେହି ଦିନକୁ। ସେହିଦିନ ହୃଦଘାତରେ ନିଜ ପରିବାର, ସମର୍ଥକ ଓ ପ୍ରଶଂସକଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲିଗଲେ ସୁଷମା ସ୍ୱରାଜ….ଯାହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।



