ଲାଗି ରହିବ କାଳବୈଶାଖୀ

0

ଭୁବନେଶ୍ୱର : ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ୫୦-୬୦ କିମି ବେଗରେ ବହିବା ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି। କାଳବୈଶାଖୀ ପ୍ରଭାବରେ ରବିବାର ରାତି ଓ ସୋମବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଅନୁଗୋଳ ଓ ଢେଙ୍କାନାଳର କେତୋଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଉପକୂଳରେ ପବନର ବେଗ ଅଧିକ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମେ’ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଜପତି, କୋରାପୁଟ, ରାୟଗଡ଼ା ପ୍ରଭୃତି ଅଞ୍ଚଳରେ ପବନ ଓ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି।
ମେ’ ୫ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବ। ତେବେ ପଶ୍ଚିମରେ ଅସହ୍ୟ ତାତି ଅବ୍ୟାହତ ରହିଛି। ସୋମବାର ରାଜ୍ୟର ଚାରିଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ବଲାଙ୍ଗିରରେ ୪୦.୫, ଟିଟିଲାଗଡ଼ରେ ୪୧.୫ ଓ ମାଲକାନଗିରିରେ ୪୧.୪ ଡିଗ୍ରୀ ରହିଛି।
ଅନ୍ୟପକ୍ଷରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱରରେ ତାପମାତ୍ରା ୩୬.୮, କଟକରେ ୩୬.୨, ବାଲେଶ୍ୱରରେ ୩୪.୪, ଚାନ୍ଦବାଲିରେ ୩୭.୨, ପାରଦ୍ୱୀପରେ ୩୨.୦, ଗୋପାଳପୁରରେ ୩୨.୪, ପୁରୀରେ ୩୨.୮, ଅନୁଗୋଳରେ ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

Leave A Reply