ଜେହାନାବାଦ ଯୌନ ଉତ୍ପୀଡ଼ନ ମାମଲାରେ ୪ ଗିରଫ

0

ପାଟନା : ବିହାର ରାଜଧାନୀ ପାଟନା ଜୋନାଲ ଆଇଜି ନାୟାର ହାସନ ଖାନଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ସୋମବାର ଜେହାନାବାଦ ଯୌନ ଉତ୍ପୀଡ଼ନ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ଜାଗଡୁ ଯାଦବଙ୍କ ପୁଅ ଅମର କୁମାର (୧୮), ଦୀନେଶ ଯାଦବଙ୍କ ପୁଅ ଦୀପକ କୁମାର (୧୮), କପିଲ ଯାଦବଙ୍କ ପୁଅ ସୁନୀଲ କୁମାର (୧୮) ଏବଂ ଜଣେ ୧୪ ବର୍ଷର ନାବଳକ । ଦିବା ଲୋକରେ ଜଣେ ନାବାଳିକା ସହ ୮ ଜଣ ଯୁବକଙ୍କ ଯୌନ ଉତ୍ପୀଡ଼ନର ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ନାବାଳିକା ଜଣକ ତାକୁ ଛାଡ଼ି ଦେବା ପାଇଁ ନେହୁରା ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା । ଶନିବାର ରାତିରେ ସାମାଜିକ ଗଣମାଧ୍ୟମରେ ଏହି ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓରୁ ପୁଲିସ୍‌ ଉତ୍ପୀଡ଼ନର ସ୍ଥାନ ଏବଂ ଅଞ୍ଚଳ ବିଷୟରେ ଜାଣିବାକୁ ପାଇଥିଲା । ଜେହାନାବାଦ ଜିଲାର ଭାରତୁଆ ଗ୍ରାମରେ ଏହି ଘଟଣା ଘଟିଥିଲା । ସାଇବର କ୍ରାଇମ ସେଲ ସାମାଜିକ ଗଣମାଧ୍ୟମରୁ ଏହି ଭିଡ଼ିଓକୁ ହଟାଇ ଦେଇଛି । ଭିଡିଓରେ ଥିବା ବାଇକ୍‌ ନମ୍ବରକୁ ଆଧାର କରି ପୁଲିସ୍‌ ଅପରାଧୀଙ୍କୁ ଧରିଛି । ଏପର୍ଯ୍ୟନ୍ତ ବାଇକ୍‌ ମାଲିକକୁ ଗିରଫ କରାଯାଇନାହିଁ । ଘଟଣାର ଭିଡ଼ିଓ ଉତ୍ତୋଳନ କରାଯାଇଥିବା ମୋବାଇଲ ଫୋନ୍‌କୁ ଗିରଫ ଅମର କୁମାର ନିକଟରୁ ଜବତ କରାଯାଇଛି ।

ସାମାଜିକ ଗଣମାଧ୍ୟମରେ ଅପଲୋଡ ଭିଡ଼ଓରେ ଦେଖିବାକୁ ମିଳୁଛି ଯେ ଦିବାଲୋକରେ ସର୍ବସମ୍ମୁଖରେ ଜଣେ ନାବାଳିକାକୁ କେତେକ ଯୁବକ ଘେରିଯାଇ ବିବସ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି । ନାବାଳିକା ଜଣକ ନିଜକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଛାଡ଼ିଦେବାକୁ ନେହୁରା ହେଉଛି । ହେଲେ କାମ ପିପାଷୁ ଯୁବକମାନେ ନାବାଳିକାକୁ ଗୋଡ଼ଇ ଗୋଡ଼ାଇ ଉତ୍ପୀଡ଼ନ କରୁଛନ୍ତି । କେତେକ ଯୁବକ ଏହି ଘଟଣାର ଭିଡ଼ଓ ଉତ୍ତୋଳନ କରୁଛନ୍ତି । ୨ ଜଣ ଯୁବକ ନାବାଳିକା ପିନ୍ଧିଥିବା ପୋଷାକକୁ ଚିରି ପକାଉଛନ୍ତି । ସେ ଯେତେ ନେହୁରା ହେଉଛି ଯୁବକମାନେ ସେତେ ହସୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ୍ ନିଜ ପକ୍ଷରୁ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ।

Leave A Reply