ହିଜବୁଲ ଆତଙ୍କବାଦୀ ଟାଇଗର ନିହତ

0

କାଶ୍ମୀର : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲା ଦ୍ରୁବଗାମରେ ସୋମବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ କୁଖ୍ୟାତ ହିଜବୁଲ ମୁଜାହିଦିନ ଆତଙ୍କବାଦୀ ଟାଇଗର ଓ ତାର ସାଥୀ ପ୍ରାଣ ହରାଇଛନ୍ତି । ମୃତ କୁଖ୍ୟାତ ଆତଙ୍କବାଦୀ ସମୀର ଭଟ ଓରଫ ସମୀର ଟାଇଗର ଘର ଦ୍ରୁବଗାମରେ ଏବଂ ତାର ସାଥୀ ଆତଙ୍କବାଦୀ ଆକ୍ୟୁବ୍‌ ଖାନର ଘର ରାଜପୋରା ଅଞ୍ଚଳରେ ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି । ଏକକାଉଣ୍ଟର ସମୟରେ ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ସୁରକ୍ଷା କର୍ମୀଙ୍କ ଉପରକୁ ଢେଲା ପଥର ଫିଙ୍ଗିଥିଲେ । ଫଳରେ ସୁରକ୍ଷା କର୍ମୀଙ୍କୁ ଗୁଳି ମାଡ଼ କରିବାକୁ ପଡିଥିଲା । ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିଲାବେଳେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି । ସେନା ଅଧିକାରୀଙ୍କ ସୂଚନା ଅନୁସାରେ ସୀମର ଅହମଦ ଭଟ ଓରଫ ସୀମର ଟାଇଗର (ଏ-ପ୍ଲସ୍‌-ପ୍ଲସ୍‌) ଶ୍ରେଣୀର କୁଖ୍ୟାତ ଆତଙ୍କବାଦୀ । ସମୀର ହିଜବୁଲ ମୁଜାହିଦିନ ପାଇଁ କାର୍ଯ୍ୟ କରୁଥିଲା ଓ ଜଣେ ପେଶାଦାର ପଥ ଫିଙ୍ଗାଳି ଭାବେ ଜଣାଶୁଣା ଥିଲା । ପଥର ଫିଙ୍ଗା ପାଇଁ ୨୦୧୬ ମାର୍ଚ୍ଚ ୨୪ରେ ସମୀର ଟାଇଗରକୁ ଗିରଫ କରାଯାଇଥିଲା ଓ ୫ ଦିନ ପରେ ମାର୍ଚ୍ଚ ୨୯ରେ ସେ ଜେଲରୁ ମୁକୁଳିଥିଲା । ଏହାପରେ ସେ ହିଜବୁଲ ମୁଜାହିଦିନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ପୁଲୱାମା ଜିଲାର ଦ୍ରୁବଗାମ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମଳିଥିଲା । ସୋମବାର ସକାଳେ ସେନା, ଏସ୍‌ଓଜି, ସିଆରପିଏଫ ଯବାନ ଓ ସ୍ଥାନୀୟ ପୁଲିସ୍ ଦ୍ରୁବଗାମକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀମାନେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ନିକଟରେ ପହଞ୍ଚିବା ପରେ ସେମାନେ ପଦାକୁ ବାହାରି ଆଖି ବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୨ ଜଣ ସୈନ୍ୟ ଓ ଜଣେ ମେଜର ପାହ୍ୟାର ଅଧିକାରୀ ଆହତ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ଆହତ ଯବାନଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପଥର ମାଡ଼ କରୁଥିବାବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଯୁବକର ନାମ ଶାହିଦ ଦାର ଏବଂ ତାକୁ ୨୫ ବର୍ଷ ବୟସ ବୋଲି ଜାଣିବାକୁ ମିଳିଛି । ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଗିଲାନୀ, ମିରୱାଜ ଉମର ଫାରୁକ୍‌, ମୋହମ୍ମଦ ୟାସିନ ମଲ୍ଲିକ ସୁରକ୍ଷା କର୍ମୀଙ୍କ ଗୁଳିରେ ଛାତ୍ର ଶାହିଦର ମୃତ୍ୟୁକୁ କଡ଼ା ନିନ୍ଦା କରିବା ସହ ମେ ୧ରେ କାଶ୍ମୀର ବନ୍ଦ ଡାକରା ଦେଇଛନ୍ତି ।

Leave A Reply