www.samajalive.in
Wednesday, December 10, 2025
16.1 C
Bhubaneswar

ଉତ୍କଳ ସାହିତ୍ୟ ସମାଜର ୧୧୭ତମ ସମାବର୍ତ୍ତନ ଉତ୍ସବ ଉଦ୍‍ଘାଟିତ

କଟକ : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବା ଏତେ ମହତ୍ୱପୂର୍ଣ୍ଣ ଥିଲା ଯେ ସେତେବେଳେ ସବୁପ୍ରକାର ଲୋକ ଏକୀଭୂତ ହୋଇଯାଇଥିଲେ। ଗାନ୍ଧୀ ଦର୍ଶନର ପ୍ରଭାବ ଓଡ଼ିଆ ସାହିତ୍ୟ ଉପରେ ପଡ଼ିଥିଲା। ଫଳସ୍ୱରୂପ ଫକୀରମୋହନ ସେନାପତି, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଠାରୁ ନେଇ ବର୍ତ୍ତମାନର ସ୍ରଷ୍ଟାମାନେ ଗାନ୍ଧୀ ଦର୍ଶନକୁ ସେମାନଙ୍କ ସାହିତ୍ୟରେ ସଫଳ ଭାବେ ରୂପାୟିତ କରିଛନ୍ତି। ଉତ୍କଳ ସାହିତ୍ୟ ସମାଜର ଦୁଇଦିନିଆ ସମାବର୍ତ୍ତନ ଉତ୍ସବର ଶନିବାର ସନ୍ଧ୍ୟା ଉଦ୍‍ଘାଟନୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହକୁ ସାଂସଦ ଭର୍ତ୍ତୃହରି ମହତାବ ଉଦ୍‍ଘାଟନ କରି କହିଲେ, ଗାନ୍ଧୀ ଦର୍ଶନକୁ ନେଇ ଲେଖାଯାଉଥିବା ଓଡ଼ିଆ ସାହିତ୍ୟ ପର୍ଯ୍ୟାୟକ୍ରମେ ସମାଜକୁ ପ୍ରଭାବିତ କରିଆସିଛି। ଗାନ୍ଧୀଜୀଙ୍କ କାର୍ଯ୍ୟଗୁଡ଼ିକ ଲିପିବଦ୍ଧ ହୋଇ ସାହିତ୍ୟ ଆକାରରେ ପ୍ରକାଶ ପାଉଥିଲା ଯାହା ଏବେ ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି।
ଉତ୍ସବର ମୁଖ୍ୟ ଅତିଥି ଡ. ମନୋରମା ମହାପାତ୍ର କହିଲେ, ଗାନ୍ଧିଜୀଙ୍କ ଦର୍ଶନର ପ୍ରଭାବ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ରହିଥିଲା। ସେହି କାରଣରୁ ଅନେକ ସମୃଦ୍ଧ ସାହିତ୍ୟ ମଧ୍ୟ ରୂପାୟିତ ହୋଇପାରିଥିଲା। ମୁଖ୍ୟବକ୍ତା ଡ. ସଂଗ୍ରାମ ଜେନା କହିଲେ, କାଳିନ୍ଦୀଚରଣଙ୍କ ମାଟିର ମଣିଷରେ ଗାନ୍ଧୀ ଦର୍ଶନର ସିଧାସଳଖ ପ୍ରଭାବ ପଡ଼ିଥିଲା। ଦ୍ୱନ୍ଦ୍ୱମୁକ୍ତ ସମାଜ ଥିଲା ଗାନ୍ଧୀଜୀଙ୍କ ଲକ୍ଷ୍ୟ। ଗାନ୍ଧୀବାଦୀ ଦର୍ଶନରେ ବହୁ କବିତା ଓ ଗଳ୍ପ ଲେଖାଯାଇଛି ଯାହା ଓଡ଼ିଆ ସାରସ୍ୱତ ଜଗତରେ ଏକ ପ୍ରମୁଖ ଅଙ୍ଗ ପାଲଟିଛି ବୋଲି ସେ କହିଥିଲେ। ‘ଓଡ଼ିଆ ସାହିତ୍ୟରେ ଗାନ୍ଧୀ ଦର୍ଶନ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବେ କବି ଶୈଳଜ ରବି ଯୋଗଦେଇ କହିଲେ, ଓଡ଼ିଆ ଭାଷାରେ ଗାନ୍ଧୀ ସାହିତ୍ୟ ପ୍ରକାଶର ୧୦୦ ବର୍ଷ ଚାଲିଛି। ଗାନ୍ଧୀ କବିତା ରଚନା କ୍ଷେତ୍ରରେ ଅନେକ ଆଙ୍ଗିକ ସମସ୍ୟା ରହିଛି। ତେବେ ଗାନ୍ଧିଙ୍କୁ କେବଳ ସଭା, ସମିତିରେ ସୀମିତ ନରଖି ବାସ୍ତବ କ୍ଷେତ୍ରରେ କାର୍ଯ୍ୟରେ ପରିଣତ କରିଦେଖାଇବା ଦରକାର। ଅନ୍ୟତମ ବକ୍ତା ଡକ୍ଟର ପାବକ କାନୁନ୍‍ଗୋ କହିଲେ, ଗାନ୍ଧୀ ଓଡ଼ିଶାକୁ ବହୁତ ଭଲ ପାଉଥିଲେ। ସେ ଓଡ଼ିଶାରୁ ଅନେକ ପ୍ରେରଣା ପାଇଥିବା କହିଛନ୍ତି। ମାତ୍ର ଆମେ ଗାନ୍ଧିଙ୍କୁ ଯେତିକି ସମ୍ମାନ ଦେବା କଥା ସରକାରୀ ସ୍ତରରେ ତାହା ହୋଇନଥିବା ଡ. କାନୁନ୍‍ଗୋ କହିଥିଲେ।
ଏହି ଅବସରରେ ମାଟ୍ରିକ୍‍ ପରୀକ୍ଷାର ସମଗ୍ର ରାଜ୍ୟରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ସର୍ବୋଚ୍ଚ ୯୯ନମ୍ବର ରଖିଥିବା ଆଠଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କୃଷ୍ଣପ୍ରିୟା ନାୟକଙ୍କୁ ‘ଗୋବିନ୍ଦ ପାଣି-ସୁଶୀଳା ଦେବୀ ମୋଧା ପୁରସ୍କାର’ ପ୍ରଦାନ କରାଯାଇଥିଲା। କୁଞ୍ଜବିହାରୀ ଉପନ୍ୟାସ ପୁରସ୍କାର- ପ୍ରମୋଦ କୁମାର ଜେନା, ଗୌରୀଶଙ୍କର ପ୍ରବନ୍ଧ ପୁରସ୍କାର- ବୈଶାଖୀ ପ୍ରିୟଦର୍ଶିନୀ ସାହୁ, ଉତ୍କଳ ସାହିତ୍ୟ ସମାଜ ପ୍ରବନ୍ଧ ପୁରସ୍କାର- ରବୀନ୍ଦ୍ର କୁମାର ସାହୁ, ମନମୋହିନୀ କବିତା ପୁରସ୍କାର- ସଂଘମିତ୍ରା ରାଏଗୁରୁ(୧ମ), ରୀନାରାଣୀ ସାହୁ(୨ୟ), ନିରୂପମା ମିଶ୍ର(୩ୟ), ଅନ୍ନପୂର୍ଣ୍ଣା ପ୍ରବନ୍ଧ ପୁରସ୍କାର- ମୀରା ବେଉରା, ଗିରିଜାଶଙ୍କର ପ୍ରବନ୍ଧ ପୁରସ୍କାର- ଗଦାଧର ସାମଲ, ବିଜୟ ଗୋବିନ୍ଦ ବିଜ୍ଞାନ ପ୍ରବନ୍ଧ ପୁରସ୍କାର- ବର୍ଷା ବୈଶାଳୀ ବିଷ୍ଣୁଦର୍ଶିନୀ, ସବୁଜ ସାହିତ୍ୟ ପ୍ରବନ୍ଧ ପୁରସ୍କାର- ନିର୍ମଳା କୁମାରୀ ମହାପାତ୍ର, ବିପିନ ବିହାରୀ ପ୍ରବନ୍ଧ ପୁରସ୍କାର- ଯଜ୍ଞଶିଖା ସାହୁ, ପର୍ଶୁରାମ କ୍ଷୁଦ୍ରଗଳ୍ପ ସମ୍ମାନ- ଅମ୍ବିକା ବାରିକ୍‍, ମଧୁସୂଦନ ସ୍ମାରକୀ ପ୍ରବନ୍ଧ ପୁରସ୍କାର- କୈବଲ୍ୟ ପ୍ରସାଦ ଶତପଥୀ, ଗୌରାଙ୍ଗ ଚରଣ ସଂସ୍କୃତ ଶ୍ଳୋକ ଆବୃତ୍ତି ପୁରସ୍କାର-ଶତାୟନୀ ପଟ୍ଟନାୟକ(୧ମ), ପ୍ରତୀକ୍ଷା ଦେହୁରୀ(୨ୟ) ଓ ଅନ୍ୱେଷା ପଣ୍ଡା(୩ୟ), ତାରାମଣି କବିତା ଆବୃତ୍ତି ପୁରସ୍କାର- ରାଗିଣୀ ପଟ୍ଟନାୟକ(୧ମ), ରାଜଲକ୍ଷ୍ମୀ ଦାସ(୨ୟ) ଓ ରାଜଲକ୍ଷ୍ମୀ ବେରା(୩ୟ)। ଉତ୍କଳଗୌରବ ମଧୁସୂଦନ କବିତା ଆବୃତ୍ତିି ପୁରସ୍କାର-ରାନିତା ମିଶ୍ର(୧ମ), ରାଜଲକ୍ଷ୍ମୀ ଦାସ ଓ କୈବଲ୍ୟ ପ୍ରସାଦ ଶତପଥୀ(୨ୟ)ଙ୍କୁ ପ୍ରଦାନ କରାଯାଇଥିଲା।
ଏଥିସହ ଡ. ରବି ନାରାୟଣ ମହାରଣାଙ୍କ ରଚିତ ଜଗନ୍ନାଥ ପ୍ରସାଦ ଦାସଙ୍କ ଜୀବନୀ ପୁସ୍ତକ ‘ଜେପି ଜୀବନୀ’ ଓ ଉତ୍କଳ ସାହିତ୍ୟ ସମାଜର ମୁଖପତ୍ର ‘ସାହିତ୍ୟ ପତ୍ର’ ଉନ୍ମୋଚିତ ହୋଇଥିଲା। ଉପସଭାପତି ମନୋଜ ପଟ୍ଟନାୟକ ଅତିଥିଙ୍କୁୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ପୁରସ୍କାର ସମାରୋହ ପରିଚାଳନା କରିଥିଲେ। ଉପସଭାପତି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ।
ପୂର୍ବାହ୍ନ ୮ଟା ୩୦ମି. ସମୟରେ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଅନୁଷ୍ଠାନର ପତାକା ଉତ୍ତୋଳନ କରିବା ସହ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଚାରାରୋପଣ କରାଯାଇଥିଲା। ପୂର୍ବାହ୍ନ ୧୦ଟାରେ ରାଜ୍ୟସ୍ତରୀୟ ଆବାହକ ଓ ସଂଯୋଜକମାନଙ୍କ ବୈଠକ ଓ ସାରସ୍ୱତ ସମାବେଶର ଆୟୋଜନ ହୋଇଥିଲା। ୩୦ ଜିଲ୍ଲା ଶାଖା ଓ କୋଲକାତା, ନୂଆଦିଲ୍ଲୀ ଶାଖାର ଆବାହକ ଓ ସଂଯୋଜକଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟସଭ୍ୟା ଏକାଠି ହୋଇ ଓଡ଼ିଆ ବିଭିନ୍ନ ପ୍ରାନ୍ତର ସାହିତ୍ୟ ଓ ସାହିତ୍ୟର ବିକାଶରେ ଜିଲ୍ଲା ଶାଖାର ଭୂମିକା ସଂପର୍କରେ ବିଚାର ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories