www.samajalive.in
Wednesday, December 10, 2025
16.1 C
Bhubaneswar

ବିଧାୟକଙ୍କ ନାଁରେ ମାମଲା ରୁଜୁ ; କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡା ମାରିଥିଲେ ନିର୍ବାହୀ ଯନ୍ତ୍ରୀ

ପାଟଣାଗଡ :  ଜଣେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ୫ ତାରିଖ ଦିନ ବିଚ ରାସ୍ତାରେ କାନ ଧରି ବସଉଠ କରାଇବା ଏବଂ ନିର୍ଦ୍ଦେଶ ନ ମାନିଲେ ଲୋକଙ୍କ ଦ୍ୱାରା ମାଡ ମରାଇବାର ଧମକ ଦେବା ଘଟଣା ସୋସିଆଲ ମିଡିଆରେ ବହୁଳ ଭାବରେ ପ୍ରସାରିତ ହେବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ତେବେ ଏହି ଘଟଣା ପରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜହଂସ ଗୁରୁବାର ସଂଧ୍ୟାରେ ତାଙ୍କ ସ୍ୱାମୀ ୫ ତାରିଖଠାରୁ ନିଖୋଜ ଥିବା ସହ ବିଧାୟକ ତାଙ୍କୁ ଅପହରଣ କରି କିଛି ଅଘଟଣ ଘଟାଇଥିବା ଆଶଙ୍କା ପ୍ରକାଶ କରି ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ଭିନ୍ନ ମୋଡ ନେଇଥିଲା। ପୁଲିସ ପ୍ରବୀଣାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ବିଧାୟକ ସରୋଜ କୁମାର ମେହେରଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୪୧/୩୬୩/୨୯୪/୩୨୩/୩୫୩/୩୫୫/୫୦୦/୩୪ ଏବଂ ୩ ଏସ୍‍ସି/ଏସ୍‍ଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ତେବେ ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ ଉଦ୍ଧାର କରାଯିବା ପରେ ଗଣମାଧ୍ୟମ ସାମ୍ନାରେ ତାଙ୍କର ବୟାନରୁ ବହୁ ରୋଚକ ତଥ୍ୟ ପଦାକୁ ଆସିଛି।
ସେହି ଦିନ ସକାଳେ ପାଟଣାଗଡ ବିଧାୟକ ସରୋଜ ମେହେର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ପୂର୍ତ୍ତ ବିଭାଗର ଏକ ସମୀକ୍ଷା ବୈଠକ ଡାକିଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ କେତୋଟି ରାସ୍ତା କାମ ଚାଲିଛି ଏବଂ କେତୋଟି କାମ ସରିଛି ସେ ସଂପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ସବିଶେଷ ବିବରଣୀ ମାଗିବା ପରେ କାମ ଗୁଡିକୁ ନିଜେ ବୁଲି ଦେଖିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ। ତେବେ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର କହିବା ସହ ୧୭ ତାରିଖ ପରେ ଯେ କୌଣସି ଦିନ ବିଧାୟକଙ୍କୁ ବୁଲାଇ ଦେଖାଇବା ପାଇଁ ପ୍ରତିଶୃତି ଦେବା ପରେ ତାଙ୍କୁ ଅଣଦେଖା କରୁଥିବା ଦର୍ଶାଇ ବିଧାୟକ ରାଗି ଯାଇଥିଲେ। କେବଳ ସେତିକି ନୁହେଁ ଉକ୍ତ ଦିନ ସେହିଠାରୁ ହିଁ କାର୍ଯ୍ୟ ଗୁଡିକୁ ଦେଖିବା ପାଇଁ ବିଧାୟକ ବାହାରି ପଡିଥିଲେ। ତେବେ ପ୍ରଥମେ ପାଟଣାଗଡ-ଟିକ୍ରାପଡା ଏବଂ ବେଲପଡା-ଧୁମାଭଟା ରାସ୍ତା ବୁଲି ଦେଖିବା ପରେ ଘାଗୁର୍ଲି- ବୈଜଲସାଗର ରାସ୍ତା ଦେଖିବା ପାଇଁ ସେ ପହଞ୍ଚିଥିଲେ। ଇତି ମଧ୍ୟରେ ପାଟଣାଗଡରେ ଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବେଲପଡା ପହଞ୍ଚିବା ପାଇଁ ନିର୍ବାହୀ ଯନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଥିଲେ। ଉକ୍ତ ରାସ୍ତା ଗୋଟିଏ ସ୍ଥାନରେ ଖୋଳିବା ସହ ଯେତିକି ପରିମାଣର ଚିପ୍‍ସ ମେଟାଇ ଇତ୍ୟାଦି ରହିବା କଥା ତାହା ନଥିବା କହିବା ସହ ବିଧାୟକ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ସର୍ବ ସମ୍ମୁଖରେ ୫ ମିନିଟ ମଧ୍ୟରେ ୧୦୦ ଥର କାନ ଧରି ବସଉଠ ହେବାକୁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ଶବର କହିଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀ ନିଜ ଅଧସ୍ତନ କର୍ମଚାରୀଙ୍କୁ ସୁରକ୍ଷା ଦେବା ବଦଳରେ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଚାପୁଡା ମାରିଥିଲେ। ଏହି ସବୁ ଘଟଣା ଗଣମାଧ୍ୟମ ଆଗରେ ପ୍ରକାଶ କଲାବେଳେ ଅତି ଅସହାୟ ଭାବରେ କାନ୍ଦି ଉଠିଥିଲେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବର। ତାଙ୍କୁ ଅପହରଣ କରାଯାଇଥିବା ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ଶବର କହିଥିଲେ ଯେ, ବେଲପଡାର ଗଣେଶ କୁମ୍ଭାର ଏବଂ ପ୍ରବୀର ମହାକୁଡ ନାମକ ଦୁଇଜଣ ଯୁବକ ତାଙ୍କୁ ଖରିଆର ବୁଲିଯିବା ପାଇଁ ଡାକି ନେଇଥିବା କହିବା ସହ ତିଖାଲି ଡ୍ୟାମ ଅଞ୍ଚଳରେ ବୁଲାବୁଲି କରାଇବା ପରେ ଖରିଆରରେ ରଖିଥିଲେ। ଗତକାଲି ରାତିରେ ବିଧାୟକଙ୍କ ଗାଡିରେ ତାଙ୍କର କିଛି ସମର୍ଥକ ତାଙ୍କୁ ଖରିଆରରୁ ନେଇ ଆସି ବେଲପଡା ଥାନାରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ପାଟଣାଗଡ ପୁଲିସ ତାଙ୍କୁ ପାଟଣାଗଡ ନେଇ ଆସିଥିବା ସେ କହିଥିଲେ।
ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ଏହା ମାନବିକ ଅଧିକାରର ଉଲଂଘନ କରୁଥିବା ଏକ ଅଗଣତାନ୍ତ୍ରିକ କାର୍ଯ୍ୟ ବୋଲି ଦୃଢ ନିନ୍ଦା କରୁଥିବା ବେଳେ ବିଧାୟକଙ୍କ କିଛି ସମର୍ଥକ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବାକୁ ପଛାଉ ନାହାନ୍ତି। ଅନ୍ୟ ପକ୍ଷରେ ଅତ୍ୟନ୍ତ ଗମ୍ଭିରତାର ସହ ଏହି ଘଟଣାକୁ ନେଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ବିଧାୟକଙ୍କୁ ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ତୀବ୍ର ଆନ୍ଦୋଳନ କରିବାର ଚେତାବନୀ ଦେଇଛି ସଂଘ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories