ଚିନି କଳ ମାଲିକଙ୍କ ବିରୋଧରେ ୨୦୦ କୋଟିର ଋଣ ଠକେଇ ଅଭିଯୋଗ

0

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ଏକ ଚିନିକଳର ମାଲିକ ଓରିଏଣ୍ଟାଲ ବ୍ୟାଙ୍କ ଅପ କମର୍ସରୁ ୨୦୦କୋଟି ଋଣ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ସିବିଆଇ ଚିନି କଳ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଋଣ ଠକେଇ କରିଥିବା ଚିନିକଳ ହେଉଛି ସିମଭୌଲି ସୁଗାରସ୍‌ ଲିମିଟେଡ। ସିବିଆଇ ସିମଭୌଲି ସୁଗାରସ୍‌ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦେଶକ (ସିଏମଡି) ଗୁରମିତ ସିଂହ ମନ୍‌, ସହକାରୀ ପରିଚାଳନା ନିର୍ଦେଶକ ଗୁରପାଲ ସିଂହ ଓ ଅନ୍ୟ ୮ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଠକେଇ ଅଭିଯୁକ୍ତ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି କମ୍ପାନୀର ସିଏଫଓ, କାର୍ଯ୍ୟନିର୍ବାହୀ ଓ ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ। ଏହି ଋଣ ଠକେଇ ପଛରେ କେତେକ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସିବିଆଇ ଏହାର ମାମଲାରେ ଉଲ୍ଲେଖ କରିଛି। ମିରଟସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସରୁ ୨୦୧୧ ଓ ୨୦୧୫ରେ ଏହି ଚିନିକଳ ଋଣ ଉଠାଇଥିଲା।
୨୦୧୧ରେ ଏହି ଚିନି କଳ ୧୫୦କୋଟି ଋଣ ନେବା ଲାଗି ବ୍ୟାଙ୍କରେ ଆବେଦନ କରିଥିଲା। ୫୨୦୦ ଆଖୁ ଚାଷୀଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ଏହି ଋଣ ଆବେଦନ କରିଥିଲା। ସହାୟତା ରାଶି କୃଷକଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ ଦିଆଯାଇଥିଲା। ତେବେ କୃଷକଙ୍କ ନାମରେ ଦିଆଯାଇଥିବା ଏହି ଅର୍ଥକୁ କମ୍ପାନୀ ଅନ୍ୟ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଥିଲା। ୨୦୧୫ରେ ମଧ୍ୟ କମ୍ପାନୀ ଏହି ବ୍ୟାଙ୍କରୁ ୧୧୦କୋଟି ଋଣ ନେଇଥିଲା। ସିମଭୌଲି ସୁଗାରସ୍‌ ଲିମିଟେଡ ଦେଶର ଅନ୍ୟତମ ବୃହତ ସୁଗାର ରିଫାଇନାରି କମ୍ପାନୀ। ଏହା ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ।

Leave A Reply