www.samajalive.in
Monday, December 8, 2025
24.1 C
Bhubaneswar

ନବୀନଙ୍କ ନୂଆ ଟିମ୍‍

ମନ୍ତ୍ରିମଣ୍ଡଳରେ ଦକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ବ

ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରି ଓଡ଼ିଶା ରାଜନୈତିକ ଇତିହାସରେ ଆଉ ଏକ ନୂତନ ଅଧ୍ୟାୟ ଲେଖିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ୨୦ ଜଣିଆ ମନ୍ତ୍ରିମଣ୍ଡଳ ସହିତ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ମନ୍ତ୍ରିପରିଷଦ ପାଇଁ ଯୋଗ୍ୟତା ମାପକାଠି ନିର୍ଣ୍ଣୟ ଜରିଆରେ ବିଜେଡି ମୁଖ୍ୟ ରାଜ୍ୟବାସୀ, ବିରୋଧୀ ଏବଂ ବିଜେଡି ପରିବାରକୁ ଏକାଧିକ ସନ୍ଦେଶ ଦେଇଛନ୍ତି।
ପ୍ରଥମତଃ ବିଜେଡିର ୫ମ ପାଳିର ପ୍ରଥମ ପର୍ଯ୍ୟାୟ ମନ୍ତ୍ରିପରିଷଦରେ ୧୦ ନୂଆ ମୁହଁ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣ ପ୍ରଥମ ଥର ବିଧାୟକ ହୋଇ ମଧ୍ୟ ମନ୍ତ୍ରୀ ପଦ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚତୁର୍ଥ ପାଳିର ଶେଷ ପର୍ଯ୍ୟାୟରେ ମନ୍ତ୍ରିପରିଷଦର ୮ ଜଣ ମନ୍ତ୍ରୀଙ୍କୁ ଏଥର ବାଦ୍‍ ଦିଆଯାଇଛି। ୬ ଜଣ ପୂର୍ବତନ ମନ୍ତ୍ରୀ ଫେରିଛନ୍ତି। ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା କେନ୍ଦ୍ରାପଡ଼ା ଓ ଯାଜପୁର ସମେତ ୧୩ଟି ଜିଲାରୁ କୌଣସି ନିର୍ବାଚିତ ସଦସ୍ୟଙ୍କୁ ମନ୍ତ୍ରୀ ପଦ ମିଳିନି। ଏହାଦ୍ୱାରା ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଏହି ସଙ୍କେତ ଦେଇଛନ୍ତି ଯେ ଦକ୍ଷତା, ପରିଶ୍ରମ ଓ ଲୋକଙ୍କ କଲ୍ୟାଣ ପାଇଁ ସମର୍ପିତ ହେବାର ନିଷ୍ଠା ହିଁ ଯୋଗ୍ୟତାର ଏକମାତ୍ର ମାପକାଠି। ବାଦ୍‍ ପଡ଼ିଥିବା ବହୁ ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଯେ ଆଦୌ ସନ୍ତୋଷଜନକ ନଥିଲା ତାହା ଏହି ସଂକେତରୁ ସ୍ପଷ୍ଟ ହୋଇଛି। ୭ ଥର ବିଧାୟକ ଭାବେ ନିର୍ବାଚିତ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ଆସନ ଦେଇ ଆନୁଗତ୍ୟକୁ ନବୀନ ମୋହର ମାରିଛନ୍ତି।
ଦ୍ୱିତୀୟତଃ ମନ୍ତ୍ରିମଣ୍ଡଳରେ ୪୦% ଯୁବବର୍ଗ। ଦଳୀୟ ସଂଗଠନ ଓ ରାଜ୍ୟ ଶାସନରେ ଯୁବଶକ୍ତିର ଭୂମିକା ଯେ ଅପରିହାର୍ଯ୍ୟ, ଏଥିରୁ ଏହି ସନ୍ଦେଶ ମିଳୁଛି। ବସ୍ତୁତଃ ବରିଷ୍ଠ-କନିଷ୍ଠ, ଅଭିଜ୍ଞ-ନବାଗତ, ଦକ୍ଷ-ଆନୁଗତ୍ୟଙ୍କୁ ନେଇ ନବୀନ ବାବୁ ଏକ ସମତୁଲ ମନ୍ତ୍ରିପରିଷଦ ଗଠନ ପାଇଁ ଉଦ୍ୟମ କରିଛନ୍ତି। ନବୀନ ସରକାରରେ ଅଭିଜ୍ଞମାନେ ଉପେକ୍ଷିତ ଓ ଅନୁଗତମାନେ ଅନୁଗୃହୀତ ବୋଲି ଗତ ପାଳିରେ ଯେଉଁ କେତେଜଣ ଅଭିଯୋଗ କରି ଆସୁଥିଲେ ସେମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳର ସମୀକରଣରୁ ସଠିକ ଜବାବ ମିଳିଛି ବୋଲି କୁହାଯାଇପାରେ।
ତୃତୀୟତଃ ୨୧ଟି ଲୋକସଭା ଆସନରୁ ୩୩% ମହିଳାଙ୍କୁ ପ୍ରାର୍ଥୀ ଘୋଷଣା କରି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ପ୍ରଥମରୁ ହିଁ ଦୁଇ ମହିଳା ବିଧାୟିକାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ସେମାନଙ୍କ ମଧ୍ୟରୁ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ନବାଗତା ହୋଇଥିବା ବେଳେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଦ୍ୱିତୀୟ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ଜଣ ସରକାରୀ ବିଧିବ୍ୟବସ୍ଥା ସମ୍ପର୍କରେ ଅନଭିଜ୍ଞ ହେଲେ ମଧ୍ୟ ବିଜେଡି ମୁଖିଆ ମହିଳା ଶକ୍ତି ଉପରେ ଭରସା କରିଛନ୍ତି। କେବଳ ସେତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ ସରକାରୀ ମୁଖ୍ୟ ସଚେତକ ପଦ ମଧ୍ୟ ପ୍ରମିଳା ମଲ୍ଲିକଙ୍କୁ ମିଳିଛି।
ଚତୁର୍ଥରେ ରାଜନୀତି ବିଶାରଦଙ୍କୁ ଚମତ୍କୃତ କରିବା ଭଳି ଅନ୍ୟ ଦଳରୁ ଆସି ନିର୍ବାଚନ ଜିତିଥିବା ତିନି ବିଧାୟକଙ୍କୁ ତତ୍କାଳ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଆନୀତଙ୍କ ‘ୱିନେବିଲିଟି’ ବା ଜିତିବାର କ୍ଷମତା ଉପରେ ଭରସା କରି ନିର୍ବାଚନରେ ଟିକଟ୍‍ ଦେଇଥିବା ନବୀନ ପଟ୍ଟନାୟକ ସେମାନଙ୍କ ଦକ୍ଷତାକୁ ମଧ୍ୟ ମାପିପାରିଛନ୍ତି। ସେହି ଭାଗ୍ୟଶାଳୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ, ପୂର୍ବତନ ବିଜେପି ନେତା ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ ପୂର୍ବତନ ବିଜେପି ନେତା ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା। ନବ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରଘୁନନ୍ଦନଙ୍କୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବା ବେଳେ ତୁଷାରକାନ୍ତିଙ୍କୁ କ୍ରୀଡ଼ା, ଯୁବବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପରି ଆହ୍ୱାନପୂର୍ଣ୍ଣ ବିଭାଗ ମିଳିଛି। ଆନୀତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ବିଜେଡି ମୁଖ୍ୟ ବିରୋଧୀଙ୍କୁ ଏହି ସନ୍ଦେଶ ଦେବାକୁ ଚାହିଁଛନ୍ତି ଯେ ଦକ୍ଷତା ଓ ପ୍ରତିଭାକୁ ଉପେକ୍ଷା କରିବାର ଫଳ ଭୋଗିବାକୁ ପଡ଼େ। ସବୁ ଦଳରେ ଦକ୍ଷ, ଗୁଣୀ ଓ ପ୍ରତିଭାବାନ ନେତା ଅଛନ୍ତି। କେବଳ ଗୁଣ ଚିହ୍ନିବା ପାଇଁ ଗୁଣିଆ ଆବଶ୍ୟକ।
ପଞ୍ଚମରେ ଏକ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ ସରକାର ଲାଗି ପ୍ରତିଶ୍ରୁତିବଦ୍ଧ ନବୀନ ପଟ୍ଟନାୟକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ, ତାହା ନୂଆ ମନ୍ତ୍ରିମଣ୍ଡଳରୁ ସଂକେତ ମିଳୁଛି। କାରଣ ଟିକଟ୍‍ ବଣ୍ଟନ ଓ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କେତେଜଣ ପ୍ରଭାବଶାଳୀ ନେତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି ଆଲୋଚନା ହେଉଥିଲା। ତୃତୀୟ ମହଲା ସହିତ ନିକଟତମ ଭାବେ ଜଣାଶୁଣା କିଛି ପ୍ରଭାବଶାଳୀ ନେତାଙ୍କ ମନ୍ତ୍ରୀ ପଦ ଏକପ୍ରକାର ନିଶ୍ଚିତ ଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରରେ ମଧ୍ୟ ସମାଲୋଚକମାନଙ୍କୁ ହତାଶ ହେବାକୁ ପଡ଼ିଛି। ଏକ ସ୍ୱଚ୍ଛ, ଦକ୍ଷ ତଥା ଜନକଲ୍ୟାଣମୁଖୀ ଓ ଉତ୍ତରଦାୟୀ ସରକାର ଯେ ସମ୍ପୂର୍ଣ୍ଣ ଚାପମୁକ୍ତ, ତାହା ପ୍ରମାଣ କରିବା ପାଇଁ ବିଜେଡି ମୁଖିଆଙ୍କ ପଞ୍ଚମ ପାଳିର ନୂଆ ମନ୍ତ୍ରିମଣ୍ଡଳ ଯଥେଷ୍ଟ ବୋଲି କୁହାଯାଇପାରେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories