ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ସ୍ଥିତି ପରେ ପରାଜୟର କାରଣ ଖୋଜା ଚାଲିଛି। ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। କଂଗ୍ରେସରେ ନେହରୁ-ଗାନ୍ଧୀ ପରିବାର ନେତୃତ୍ୱ ଏକପ୍ରକାର ଫେଲ୍ ମାରିଛି ବୋଲି କୁହାଯାଉଛି।
ଚଳିତ ଥର ନେହରୁ- ଗାନ୍ଧୀ ପରିବାରର ନୂଆ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପାଦ ଥାପିଥିଲେ। ତାଙ୍କ ଆଗମନରେ ଦଳ ଭଲ ପ୍ରଦର୍ଶନ କରିବେ ବୋଲି କୁହାଯାଉଥିଲା। ମାତ୍ର ତାଙ୍କ ପ୍ରଚାର ଓ ପ୍ରସାରର କୌଣସି ଫଳ ମିଳିଥିବା ପରି ଲାଗୁନାହିଁ।
ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩୮ଟି ର୍ୟାଲି କରିଥିଲେ। ଏହା ମଧ୍ୟରୁ ୨୬ଟି ର୍ୟାଲି କେବଳ ଉତ୍ତରପ୍ରଦେଶରେ ଓ ବାକି ର୍ୟାଲି ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ କରିଥିଲେ। ତେବେ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିଥିବା ୯୭% ଆସନରେ କଂଗ୍ରେସ ହାରି ଯାଇଛି। ପ୍ରିୟାଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶ ଓ ଜ୍ୟୋତିରାଦିତ୍ୟ ସିଦ୍ଧିଆଙ୍କୁ ପଶ୍ଚିମ ଉତ୍ତରପ୍ରଦେର ପ୍ରଭାରୀ କରାଯାଇଥିଲା। ଉତ୍ତରପ୍ରଦେଶରେ ତ୍ରିକୋଣୀୟ ଲଢେଇ ଥିଲା। ହେଲେ ଉତ୍ତରପ୍ରଦେଶରେ ତୃତୀୟ ସ୍ଥାନରେ ରହି କଂଗ୍ରେସ ନିର୍ବାଚନୀ ଅଭିଯାନ ଶେଷ କରିଛି। ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ପ୍ରିୟଙ୍କା ପ୍ରଚାର କରିଥିବା ଆସନରେ କଂଗ୍ରେସ ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଲୋକସଭା ଆସନ ଅମେଠିରେ ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଛନ୍ତି। କେବଳ ଗୋଟିଏ ଆସନ ଭାବେ ତାଙ୍କ ମା’ ସୋନିଆ ଗାନ୍ଧୀ ରାୟବରେଲିରୁ ବିଜୟୀ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜର ପାରମ୍ପରିକ ଗୁଣା ଲୋକସଭା ଆସନରୁ ପରାଜିତ ହୋଇଛନ୍ତି।



