www.samajalive.in
Saturday, December 13, 2025
26.1 C
Bhubaneswar

ଜୁନ୍‍ ୭ରେ ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ବିବାହ ଉତ୍ସବ; ଉଠିଲା ଶୁଭଲଗ୍ନ ଥାଳ

ଆରଡି  : ଭଦ୍ରକ ଜିଲାର ପ୍ରଶିଦ୍ଧ ଶୈବପିଠ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆସନ୍ତା ଜୁନ୍‍ ୭ରେ ମହା ଆଡମ୍ବର ସହ ପାଳିତ ହେବ।ଏଥିନିମନ୍ତେ ଶନିବାର ବୈଦିକ ରୀତିନୀତି ଓ ଲୋକାଚାରରେ ଲଗ୍ନ ଚିଟାଉ କାର୍ଯ୍ୟ ସମ୍ପନ୍ନ ହେବା ସହ ଶୁଭଥାଳ ଉଠିଛି। ଏହି ଲଗ୍ନଧରା କାର୍ଯ୍ୟ ଠାରୁ ମଣିବାବାଙ୍କ ବିବାହ ଉତ୍ସବର ନୀତିକାନ୍ତି ଆରମ୍ଭ ହୋଇଛି। ଆଷାଢମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଦେବଦମ୍ପତ୍ତିଙ୍କର ହସ୍ତଗଣ୍ଠି ପଡିବ ବୋଲି ବ୍ରାହ୍ମଣ , ସେବାୟତ ଓ ଜ୍ୟୋତିଷଙ୍କ ଦ୍ୱାରା ସ୍ଥିରିକୃତ ହୋଇଛି । ଏହି ବିବାହ ଉତ୍ସବରେ ବରପିତା ଭାବେ ସେବାୟତ ସୁଶାନ୍ତ ପାଢୀଙ୍କ ଦାତା ବାଲେଶ୍ୱରସ୍ଥିତ କାର୍ତ୍ତିକ ବେହେରାଙ୍କୁ ସୈାଭଗ୍ୟ ପ୍ରାପ୍ତି ହୋଇଥିବା ବେଳେ କନ୍ୟାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଦାତା ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶଙ୍କୁ ସୈାଭଗ୍ୟ ମିଳିଛି। ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଲୋକାଚାର ଅନୁଷ୍ଠିତ ହେବା ସହ ବିବାହ ବେଦୀରେ ଦେବଦେବ ମହାଦେବ ‘ଆଖଣ୍ଡଳମଣି’ ଯୌତୁକ ବାବଦକୁ ନେବେ ୧୦୦୧ଟଙ୍କା ସହ ୨ହଳ ବୃଷଭ, ୫ହଳ ନାଗନାଗୁଣୀ ଓ ୨ଏକର ଶଶ୍ମାନ ଜମି ନେବେ ବୋଲି ଉଭୟଙ୍କ ପକ୍ଷରୁ ସ୍ଥିରିକୃତ ହୋଇଛି। ଯାହା କନ୍ୟାପିତା ବରପିତାଙ୍କୁ ପ୍ରଦାନ କରିବେ ବୋଲି ଏହି ଲଗ୍ନ କାର୍ଯ୍ୟରେ ଉପସ୍ଥିତ ଥିବା ଜ୍ଞାତିକୁଟୁମ୍ବ ଓ ପରିଜନଙ୍କ ଗହଣରେ ପ୍ରକାଶ ପାଇଛି। ଏହି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ଶନିବାର ମନ୍ଦିରର ରୀତିନୀତି ଅନୁଯାୟୀ ଭୋର ମନ୍ଦିର ପହଡ ଖୋଲିବା ପରେ ଦୈନଦିନ ନୀତିନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତୀ କରାଯିବା ସହିତ ମଣିବାବାଙ୍କୁ ମହୁ, ଘୃତ,ପଞ୍ଚାମୃତରେ ମହାସ୍ନାନ କରାଯିବା ସହ ଜଳାଭିଷେକ ଓ ରୁଦ୍ରାଭିଷେକ କରାଯାଇଥିଲା। ପରେ ମଣିବାବାଙ୍କୁ ଚନ୍ଦନ ଫୁଲରେ ଦିଗମ୍ବର ବେଶରେ ସଜିତ କରାଯାଇ ପହିଲି ବାଲ୍ୟ ଭୋଗ ଲାଗି କରାଯାଇଥିଲା। ଅପରାହ୍ନ ୩ଟା ସୁଦ୍ଧା ମଣିବାବାଙ୍କର ସମସ୍ତ ସକାଳ ଧୂପ ସରିବା ପରେ ବିଧିବିଧାନ ଅନୁଯାୟୀ ମଣିବାବାଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ବରପିତା ଭାବେ ଚୟନ ହୋଇଥିବା କାର୍ତ୍ତିକ ବେହେରା ମନ୍ଦିର ନିକଟରୁ ଲଗ୍ନ କାର୍ଯ୍ୟ ନିମନ୍ତେ ଏକ ବିରାଟ ପଟୁଆର ସହ ମାଆ ପାର୍ବତୀଙ୍କୁ ବଧୁବେଶରେ ସଜେଇ ଦେବା ପାଇଁ ଶଙ୍ଖା, ସିନ୍ଦୁର, ଶାଢି ସହ ବିଭିନ୍ନ ମିଷ୍ଟାନ ଓ ଫଳ ଆଦି ଶୋଭାଯାତ୍ରା ବାହାରିଥିଲେ କନ୍ୟା ପିତାଙ୍କ ଘର ଅଭିମୁଖେ।

ଏହି ଶୋଭାଯାତ୍ରାରେ ସକିଂର୍ତ୍ତନ ମଣ୍ଡଳୀଙ୍କ ସମେତ ମନ୍ଦିରର ସେବାକାରୀ ମାଳି, ବାରିକମାନଙ୍କ ପକ୍ଷରୁ ଆଲର୍ଟ, ଚାମର ଆଦି ପାରମ୍ପରିକ ବାଦ୍ୟରେ ଲଗ୍ନକାର୍ଯ୍ୟ ନିମନ୍ତେ ସମସ୍ତ ସାମଗ୍ରୀକୁ ମନ୍ଦିରର ବେଢା ପରିକ୍ରମା କରାଯିବା ସହ ନଗରୀ ପରିକ୍ରମା କରାଯାଇ କନ୍ୟାପିତା ଭାବେ ଚୟନ ହୋଇଥିବା ଚନ୍ଦ୍ରମଣି ପାଢଙ୍କ ଘରେ ପହଁଚିବା ପରେ ଶଙ୍କ ଘଣ୍ଟ ଚାମର ଦ୍ୱାରା ସ୍ୱାଗତ କରାଯାଇ ଗୃହ ମଧ୍ୟକୁ ପ୍ରବେଶ କରାଯାଇଥିଲା। ସେଠାରେ ବ୍ରାହ୍ମଣ, ଜୈାତିଷ, ଭଣ୍ଡାରୀ, ମାଳି ସେବକଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇ ଜ୍ୟୋତିଷ୍ୟଙ୍କ ଦ୍ୱାରା ଲଗ୍ନ ଚିଟାଉ ତାଳପତ୍ର ଓ ଲିଖନି ଦ୍ୱାରା ଲେଖା ହେବା ପରେ ବସିଥିବା ବରିଷ୍ଠ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଗହଣରେ ପାଠ କରାଯାଇଥିଲା। ପରେ ଉକ୍ତ ଲଗ୍ନ ଚିଟାଉକୁ କନ୍ୟାପିତା ଚନ୍ଦ୍ରମଣି ପାଢୀଙ୍କ ଦାତା ଚନ୍ଦ୍ରଶେଖର ଦାଶ ବରପିତା କାର୍ତ୍ତିକ ବେହେରାଙ୍କ ପ୍ରତିନିଧି ସୁଶାନ୍ତ ପାଢୀଙ୍କ ହସ୍ତକୁ ପ୍ରଦାନ କରିଥିଲେ। ଏହି ଲଗ୍ନ ଚିଟାଉ ବରପିତା ପାଇବା ପରେ ପୁର୍ନବାର ଘଣ୍ଟ, କିର୍ତ୍ତନ ଓ ଆଲଟ, ଚାମର, ଛତ୍ର ଦ୍ୱାରା ନଗରୀ ପରିକ୍ରମା କରାଯାଇ ବରପିତାଙ୍କ ବାସଗୃହରେ ପଠନ କରାଯାଇଥିଲା। ଏଥିସହ ରାଜ୍ୟର ପ୍ରମୁଖ ଜିଲା ଗୁଡିକରୁ ଆସୁଥିବା ବାଦ୍ୟକାରମାନଙ୍କୁ ବଇନା ଦିଆଯିବା ପାଇଁ ମଧ୍ୟ ସ୍ଥିରିକୃତ ହୋଇଥିଲା। ଏପରିକି ଶୁଭଲଗ୍ନ(ବିବାହ)ଦିନ ଶ୍ରୀକ୍ଷେତ୍ର ପୁରୀର ସାହିମେଢ, ଶଣ୍ଢନାଚ, ବାଘନାଚ, ବନାଟି, ବାଲେଶ୍ୱରର ପାଇକ ଆଖଡା, ଅଶୁରନାଚ, ପଶ୍ଚିମ ଓଡିଶାର ମାଦଲ ବାଜା, ଦୁଲୁଦୁଲି, ଷଣ୍ଢ ଲଢେଇ, ଲଉଡି ବାଦ୍ୟ, ମୟୁରଭଞ ଧୁମସା ବାଦ୍ୟ, ବ୍ରହ୍ମପୁରର ଯୋଡିଶଙ୍ଖ ଆଦି ବାଦ୍ୟ ଗୁଡିକୁ ବଇନା ଦିଆଯିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସ୍ଥିର ହୋଇଥିଲା। ଏହି ଶୋଭାଯାତ୍ରାରେ ମନ୍ଦିରର ସମସ୍ତ ସେବାକାରୀଙ୍କ ସହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories