BJD Bijuli 480×75 Mob

ବିଶ୍ବକପ ପାଇଁ ବିସିସିଆଇର ଅନୁମତି:୨୧ ଦିନ ପରେ ହିଁ ଖେଳାଳିଙ୍କ ସହ ରହିପାରିବେ ପତ୍ନୀ

BJD Bijuli 480×75 Mob

ନୂଆଦିଲ୍ଲୀ : ଚଳିତମାସ ୩୦ରୁ ଇଂଲଣ୍ଡ ଓ ୱେଲ୍‌ସରେ ଆଇସିସି ବିଶ୍ବକପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ତିନି ସପ୍ତାହ ଅର୍ଥାତ ୨୧ ଦିନ ପରେ ହିଁ ଭାରତୀୟ କ୍ରିକେଟରଙ୍କ ସହ ରହିବାକୁ ସେମାନଙ୍କ ପତ୍ନୀ, ବାନ୍ଧବୀ କିମ୍ବା ପରିବାର ସଦସ୍ୟଙ୍କୁ ଅନୁମତି ମିଳିବ ବୋଲି ବିସିସିଆଇ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ପୁନଶ୍ଚ ସଂପୃକ୍ତ ପତ୍ନୀ କିମ୍ବା ବାନ୍ଧବୀ ମାତ୍ର ୧୫ ଦିନ ପାଇଁ ଖେଳାଳିଙ୍କ ନିକଟରେ ରହିପାରିବେ ବୋଲି କଟକଣା ଜାରି କରାଯାଇଛି। ଯଦି ମେ ୩୦ରୁ ଏହି ୨୧ ଦିନିଆ ସମୟସୀମା ଆରମ୍ଭ ହୁଏ, ତେବେ ଜୁନ ୧୬ରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ଦେଖିବାରୁ ଏମାନେ ବଞ୍ଚିତ ହେବେ ବୋଲି ଜଣାପଡିଛି। ଅପରପକ୍ଷରେ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଯଦି ସ୍ବାମୀ ସହ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ରହିବାକୁ ଚାହିଁବେ, ତାହାହେଲେ ଅନୁଷ୍କାଙ୍କୁ ସ୍ବତନ୍ତ୍ର ଯୋଜନା କରିବାକୁ ପଡିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଗତ ଡିସେମ୍ବର-ଜାନୁଆରୀରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ଖେଳାଳି/ସପୋର୍ଟ ଷ୍ଟାଫ୍‌ଙ୍କ ପତ୍ନୀ କିମ୍ବା ବାନ୍ଧବୀଙ୍କ ରହଣିକୁ ନେଇ ବିସିସିଆଇ କର୍ତ୍ତୃପକ୍ଷ ଅଡୁଆରେ ପଡିଥିଲେ। ସେହି ଗସ୍ତ ସମୟରେ ପତ୍ନୀ/ବାନ୍ଧବୀଙ୍କ ସଂଖ୍ୟା ୩୭ ଛୁଇଁଥିଲା। ଖେଳାଳିଙ୍କ ସହ ପତ୍ନୀ କିମ୍ବା ବାନ୍ଧବୀଙ୍କୁ ଏକା ହୋଟେଲରେ ରଖିବା, ଷ୍ଟାଡିୟମକୁ ନେବାଆଣିବା କରିବାରେ ନାହିଁନଥିବା ଅସୁବିଧା ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ବିଶ୍ବକପ ନିମନ୍ତେ ଅଲଗା ବ୍ୟବସ୍ଥା କରାଯାଇଛି। ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାହାର ବିଶ୍ବକପ ଅଭିଯାନ ଆରମ୍ଭ କରିବ।

Comments are closed.