ୱାଘା ସୀମାରେ ହାସନ୍‍ଙ୍କ ଅରୁଚିକର ଆଚରଣ ; ବିଏସ୍ଏଫ କ୍ଷୁବ୍ଧ

0

ଅମୃତସର : ପଞ୍ଜାବର ୱାଘା ସୀମାନ୍ତରେ ସାନ୍ଧ୍ୟକାଳୀନ ଧ୍ୱଜା ଅବତରଣ ସମୟରେ ପାକିସ୍ତାନୀ କ୍ରିକେଟ୍‍ର ହାସନ ଅଲ୍ଲୀଙ୍କ ଅରୁଚିକର ଆଚରଣକୁ ନେଇ ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ) ଅଧିକାରୀ ବେଶ୍‍ କ୍ଷୁବ୍ଧ ଥିବା ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ଧ୍ୱଜା ଅବତରଣ ଚାଲିଥିବା ବେଳେ ହାସନ୍‍ ହଠାତ୍‍ ଗ୍ୟାଲେରୀରୁ ଓହ୍ଲାଇ ପଡ଼ି ପ୍ୟାରେଡ୍‍ ସ୍ଥଳକୁ ଆସି ଭାରତୀୟ ଦର୍ଶକ ଓ ବିଏସ୍‍ଏଫ ଯବାନଙ୍କ ଆଡ଼କୁ ବିଭିନ୍ନ ଭାବଭଙ୍ଗୀ ପ୍ରଦର୍ଶନ କରିଥିଲେ। ନିୟମ ଅନୁଯାୟୀ ଧ୍ୱଜା ଅବତରଣ ସମୟରେ ଭାରତ ପକ୍ଷରୁ ବିଏସ୍‍ଏଫ ଓ ପାକିସ୍ତାନ ପକ୍ଷରୁ ରେଞ୍ଜର୍ସମାନେ ଭାଗ ନେଇଥାନ୍ତି।
ଅନ୍ୟ କୌଣସି ସାଧାରଣ ନାଗରିକ ଏହି କାର୍ଯ୍ୟକ୍ରମ ମଧ୍ୟରେ ପ୍ରବେଶ କରିବା ଅନୁଚିତ୍‍। ତେବେ ହାସନ ଯେପରି ଭାବେ ବ୍ୟବହାର ପ୍ରଦର୍ଶନ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଏସ୍‍ଏଫ୍‍ ତରଫରୁ ଦର୍ଶାଯିବା ସହ ଏ ସଂପର୍କରେ ପାକିସ୍ତାନୀ ରେଞ୍ଜର୍ସଙ୍କ ନିକଟରେ ବିଧିବଦ୍ଧ ଭାବେ ପ୍ରତିବାଦ ଜଣାଇ ଦିଆଯିବ ବୋଲି ବିଏସ୍‍ଏଫ୍‍ ଆଇଜି ମୁକୁଲ ଗୋଏଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗ୍ୟାଲେରୀରେ ଥିବା ଉଭୟ ଦେଶର ଦର୍ଶକ ଯେକୌଣସି ଭାବଭଙ୍ଗୀ ପ୍ରଦର୍ଶନ କରିବାରେ କୌଣସି ଅସୁବିଧା ନାହିଁ। ତେବେ ସେମାନେ ପରେଡ ଆୟୋଜିତ ହେଉଥିବା ସ୍ଥାନକୁ ଆସି ପ୍ରତିପକ୍ଷଙ୍କ ପ୍ରତି କୌଣସି ପ୍ରକାର ଭାବଭଙ୍ଗୀ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଗୋଏଲ୍‍ ସ୍ପଷ୍ଟ କରି ଦେଇଛନ୍ତି। ଏ ସଂପର୍କରେ ବିଏସ୍‍ଏଫ ମୁଖପାତ୍ର ତଥା ଡିଆଇଜି ଆରଏସ୍‍ କଟାରିଆ କହିଛନ୍ତି ସେ ଶନିବାର ଛୁଟିରେ ଥିଲେ। ତେବେ ପାକିସ୍ତାନ ଜାତୀୟ କ୍ରିକେଟ୍‍ ଦଳର ଜଣେ ଖେଳାଳି ଧ୍ୱଜା ଅବତରଣ ସମୟରେ ପରେଡ୍‍ସ୍ଥଳୀରେ ପ୍ରବେଶ କରି ଭାରତୀୟ ଦର୍ଶକ ଓ ବିଏସ୍‍ଏଫ ଯବାନଙ୍କ ପ୍ରତି ଅରୁଚିକର ଭାବଭଙ୍ଗୀ ପ୍ରଦର୍ଶନ କରିଥିବା ଖବର ପାଇଛନ୍ତି। ଏ ସଂପର୍କରେ ଖୁବ୍‍ଶୀଘ୍ର ପାକିସ୍ତାନୀ ରେଞ୍ଜର୍ସ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ହାସନଙ୍କ ଅରୁଚିକର ଆଚରଣ ସଂପର୍କିତ ୪୦ ସେକେଣ୍ଡର ଭିଡିଓ ଭାଇରାଲ୍‍ ହୋଇଛି। ଯେଉଁଥିରେ ହାସନ ପାକିସ୍ତାନୀ ରେଞ୍ଜର୍ସଙ୍କ ଭଳି ଜଂଘ ବାଡେଇବା ସହ ହାତ ଉପରକୁ ଉଠାଉଥିବା ଦେଖିବାକୁ ମିଳିଥିଲା। ସେହିପରି ପାକିସ୍ତାନ କ୍ରିକେଟ୍‍ ବୋର୍ଡ (ପିସିବି) ତରଫରୁ କେତେଗୁଡ଼ିଏ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି। ଯେଉଁଥିରେ ହାସନଙ୍କ ସମେତ ଅନେକ ପାକିସ୍ତାନୀ କ୍ରିକେଟ୍‍ର ୱାଘା ସୀମାନ୍ତରେ ଧ୍ୱଜା ଅବତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Leave A Reply