ଶାନ୍ତିଶୃଙ୍ଖଳାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପନ୍ନ: ଡିଜି
ଭୁବନେଶ୍ବର : ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନ ସମୟରେ ଗଣ୍ଡଗୋଳ ଓ ଉତ୍ତେଜନାକୁ ବାଦ୍ ଦେଲେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ମୋଟାମୋଟି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ବଡ଼ଧରଣର ହିଂସାକାଣ୍ଡ କୌଣସିଠାରେ ଘଟିନାହିଁ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ଭଳି ଭାବେ ଶାନ୍ତିଶୃଙ୍ଖଳାରେ ମତଦାନ କରାଯାଇଥିଲା ସେହିପରି ତୃତୀୟ ପର୍ଯ୍ୟାୟରେ ମଧ୍ୟ ମତଦାନ ହୋଇଛି। ସତ୍ୟବାଦୀ ଅଞ୍ଚଳରେ ଇଭିଏମ୍ ବାରମ୍ବାର ତ୍ରୁଟି ଯୋଗୁଁ ଜଣେ ପ୍ରାର୍ଥୀ ଏକ ବୁଥ୍ରେ ଇଭିଏମ୍ ମେସିନ୍କୁ ଭାଙ୍ଗି ଦେଇଥିଲେ। ତେବେ ଏନେଇ ପୁଲିଂ ଅଫିସର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ନିର୍ବାଚନ ସମୟରେ କିଛି ବି ହିଂସାତ୍ମକ ଘଟଣାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଯେ କେହି ବି, ଯେକୌଣସି ପଦପଦବିରେ ଥାଆନ୍ତୁ ନା କାହିଁକି ଆଇନକୁ ହାତକୁ ନେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଯେଉଁସବୁ ସ୍ଥାନରେ ବୁଥ୍ରେ ଉତ୍ତେଜନା ଦେଖିବାକୁ ମିଳିଛି ଏହା କେବଳ ଇଭିଏମ୍ ତ୍ରୁଟିକୁ ନେଇ। ବୁଥ୍ ରିଗିଂ(ଜବରଦଖଲ) ଭଳି ଘଟଣା କେଉଁଠାରେ ଘଟିନାହିଁ। ଖୋର୍ଦ୍ଧା ବୋଲଗଡ଼ରେ ମତଦାନ ସମୟରେ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ହେଲେ ଏହା ବୁଥ୍ଠାରୁ ବହୁଦୂରରେ। ପୂର୍ବ ବିବାଦକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏହା ଘଟିଛି ଯାହା ମତଦାନକୁ କୌଣସି ପ୍ରଭାବ ପକାଇନାହିଁ। ବୁଥ୍ ରିଗିଂ କରାଯିବା ଭଳି କୌଣସି ଘଟଣା ନଜରକୁ ଆସିନାହିଁ। ମତଦାନ ହାର ଅପରାହ୍ଣରେ ବୃଦ୍ଧି ପାଇଛି। ଯେଉଁ କାରଣରୁ ସଂଧ୍ୟା ପର୍ଯ୍ୟନ୍ତ ଅନେକ ବୁଥରେ ମତଦାନ ଚାଲିଥିଲା।
Comments are closed.