ଭୋପାଳ: ବାବ୍ରି ମସଜିଦ ସମ୍ପର୍କରେ ବିବାଦୀୟ ବୟାନ ଦେବା ଘଟଣାରେ ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରତିଦ୍ବନ୍ଦୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଏହି ଏତଲା ଦାୟର କରାଯାଇଥିବା ଜଣାପଡିଛି। ସେହି ଘଟଣାରେ ନିର୍ବାଚନ କମିଶନ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଟିଟି ନଗର ପୁଲିସ ଥାନାରେ ଏହି ଏତଲା ଦାୟର କରାଯାଇଛି।
ଭୋପାଳ ମୁଖ୍ୟ ନିର୍ବାଚନ ଅଧିକାରୀ ବି.ଏଲ.କାନ୍ତାରାଓ କହିଛନ୍ତି, ପ୍ରଜ୍ଞା ସିଂହ ଠାକୁରଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୧୮୮ ଅନୁଯାୟୀ ଏତଲା ଦାୟର କରାଯାଇଛି। ବାବ୍ରି ମସଜିଦ ଭାଙ୍ଗିବା ଓ ହେମନ୍ତ କରକରେଙ୍କ ଉପରେ ସାଧ୍ୱୀ ପ୍ରଜ୍ଞା ଦେଇଥିବା ବିବାଦୀୟ ବୟାନ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ବିସ୍ତୃତ ରିପୋର୍ଟ ଦିଆଯାଇଛି ବୋଲି ସେ କହିଛନ୍ତି।
ପ୍ରଜ୍ଞା ସିଂହ ଠାକୁର ଏକ ସାକ୍ଷାତ୍କାର ସମୟରେ କହିଥିଲେ, “ଆମେ ରାମ ମନ୍ଦିର ତିଆରି କରିବୁ ଓ ନୂଆ ମନ୍ଦିର ନିର୍ମାଣ କରିବୁ, ଆମେ ବାବ୍ରି ମସଜିଦ ଭାଙ୍ଗିବାକୁ ଯାଇଥିଲୁ ଓ ମୁଁ ସେଥିପାଇଁ ବହୁତ ଗର୍ବିତ। ମୋତେ ଈଶ୍ୱର ଶକ୍ତି ଦେଇଥିଲେ , ଆମେ ଦେଶର କଳଙ୍କ ସଫା କଲୁ।” ନିର୍ବାଚନ କମିଶନଙ୍କ ନୋଟିସ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ ପଛଘୁଞ୍ଚା ଦେବେ ନାହିଁ, ସେହି ନିର୍ମାଣ ଭଙ୍ଗ ଯାଇଛି ଏବଂ ସେଠାରେ ନୂଆ ମନ୍ଦିର ନିର୍ମାଣ ହେବ। ନୂଆ ମନ୍ଦିର ନିର୍ମାଣ ପାଇଁ ମୋତେ କେହି ଅଟକେଇ ପାରିବେ ନାହିଁ।



