କାନାଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖଲିସ୍ତାନ ଆତଙ୍କବାଦୀ

0

ନୂଆଦିଲ୍ଲୀ : ସମ୍ପ୍ରତି ଭାରତ ଗସ୍ତରେ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ନିମନ୍ତେ ମୁମ୍ବଇ ଓ ଦିଲ୍ଲୀରେ ଆୟୋଜିତ ଦୁଇଟି କାର୍ଯ୍ୟକ୍ରମକୁ ଖଲିସ୍ତାନ ଆତଙ୍କବାଦୀ ଜସପାଲ ଅଟୱାଲଙ୍କ ନିମନ୍ତ୍ରଣକୁ ନେଇ ବିବାଦ ଆରମ୍ଭ ହୋଇଛି । ମୁମ୍ବଇ କାର୍ଯ୍ୟକ୍ରମରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ପତ୍ନୀ ଗ୍ରେଗୋରି ଟ୍ରୁଡୁଙ୍କ ସହ ଜସପାଲ ଅଟୱାଲ ଏକ ଫଟୋ ଉଠାଇଥିଲେ । ଏହି ଫଟୋ ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । ସେହିପରି ନୂଆଦିଲ୍ଲୀସ୍ଥିତ କାନାଡା ଉଚ୍ଚାୟୁକ୍ତ ନାଦିର ପଟେଲଙ୍କ ପକ୍ଷରୁ ଆୟୋଜିତ ରାତ୍ରି ଭୋଜନକୁ ବି ଅଟୱାଲଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିବାଦ ତେଜିବା ପରେ କାନାଡା ଉଚ୍ଚାୟୁକ୍ତ ଅଟୱାଲଙ୍କ ରାତ୍ରି ଭୋଜନ ନିମନ୍ତ୍ରଣକୁ ବାତିଲ କରିଦେଇଛନ୍ତି । ଏହି ସବୁ ଘଟଣାକୁ ନେଇ ଦ୍ୱିପାକ୍ଷିକ ଭାରତ ଗସ୍ତରେ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବିବାଦ ଘେରକୁ ଟାଣି ହୋଇଆସିଛନ୍ତି । ଏନେଇ ଜଷ୍ଟିନ ଟ୍ରୁଡୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ଘଟଣାକୁ ଆମେ ଗୁରୁତର ସହ ନେଉଛୁ । ତାଙ୍କୁ ନିମନ୍ତ୍ରଣ ଦେବାର କୌଣସି ଆବଶ୍ୟକତା ନଥିଲା ।

କାନାଡାର ଜଣେ ସାଂସଦ ନିମନ୍ତ୍ରଣରେ ଅଟୱାଲଙ୍କ ନାମକୁ ସାମିଲ କରିଦେଇଥିଲେ । କାନାଡା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏନେଇ ଅବଗତ ହେବା ମାତ୍ରେ କାର୍ଯ୍ୟକ୍ରମରୁ ଅଟୱାଲଙ୍କୁ ନିମନ୍ତ୍ରଣକୁ ବାତିଲ କରିଦେଇଛନ୍ତି । ପ୍ରକାଶ ଜସପାଲ ଅଟୱାଲ ଭାରତ ସରକାରଙ୍କ ଦ୍ୱାରା ନିଷେଧ ଘୋଷିତ ଶିଖ ଯୁବ ସଂଗଠନର ଜଣେ ସଦସ୍ୟ । ୧୯୮୬ରେ ଭାଙ୍କଭୋରଠାରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ମାଲକିଏତ ସିଂହ ସିନ୍ଧୁଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଟୱାଲଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ହୋଇଥିଲା । ପରେ ମାଲିକିଏତଙ୍କ ଉପରକୁ ଗୁଳି ଚଳାଇଥିବା ନେଇ ଅଟୱାଲ ସ୍ୱୀକାର କରିଥିଲା । ୧୯୮୬ରେ ଜେଲ ଦଣ୍ଡାଦେଶ ପାଇଥିବା ଅଟୱାଲଙ୍କ ଦଣ୍ଡ ଅବଧି ୨୦୦୬ରେ ଶେଷ ହୋଇଥିଲା । ତେବେ ଅଟୱାଲ କେତେକ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ କାନାଡା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କାନାଡା ସରକାରୀ ପ୍ରତିନିଧିରେ ଅଟୱାଲ ଜଣେ ସଦସ୍ୟ ନୁହଁନ୍ତି । ଅଟୱାଲ ଭାରତକୁ ବ୍ୟକ୍ତିଗତ କ୍ଷମତାରେ ବୁଲିବାକୁ ଆସିଛନ୍ତି ।

କାନାଡା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତାଙ୍କୁ କୌଣସି କାର୍ଯ୍ୟରେ ନିମନ୍ତ୍ରଣ କରିନାହିଁ । ସେହିପରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ଅଟୱାଲଙ୍କୁ କିପରି ଭିସା ମିଳିଲା ତାହା ଜାଣିବାକୁ ତନ୍ତ ଆରମ୍ଭ ହୋଇଛି । କାନାଡା ପ୍ରତିପକ୍ଷ ଅଟୱାଲଙ୍କ ନିମୟନ୍ତ୍ରଣକୁ ବାତିଲ କରିଥିବା ସୂଚନା ଦେଇଛନ୍ତି । ପ୍ରକାଶ ଯେ ଗୋଟି ଦିନ ପୂର୍ବରୁ ବୁଧବାର ଜଷ୍ଟିନ୍‌ ଅମୃତସରଠାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ କାନାଡାରେ ଖଲିସ୍ତାନ ଆତଙ୍କବାଦୀ ଆଶ୍ରୟ ନେଇଥିବା ନେଇ ଆଲୋଚନା ହୋଇଥିଲା । ଏହାର ଗୋଟିଏ ଦିନ ପରେ କାନାଡା ପ୍ରଧାନମନ୍ତ୍ରୀଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଖଲିସ୍ତାନ ଆତଙ୍କବାଦୀଙ୍କ ଯୋଗଦାନ କଥା ପଦାକୁ ଆସିବା ଘଟଣା ଭାରତ-କାନାଡା ଦ୍ୱିପାକ୍ଷିକ ସମ୍ପର୍କକୁ ତିକ୍ତ କରିବ ବୋଲି ଆଲୋଚନା ହେଉଛି ।

Leave A Reply