ଇସଲାମାବାଦ: ଭାରତର ଜଣେ ବିଧାୟକ ଗୀତ ନକଲ କରିବା ସହ ସେଥିରେ କିଛି ପରିବର୍ତ୍ତନ କରି ସେନାକୁ ସମର୍ପଣ କରିଥିବା ପାକିସ୍ତାନ ସେନା ଅଭିଯୋଗ କରିଛି। ସମ୍ପୃକ୍ତ ବିଜେପି ବିଧାୟକଙ୍କୁ ପରାମର୍ଶ ଦେଇ ପାକିସ୍ତାନୀ ସେନା କହିଛି ଯେ ସତ କହିବା ବେଳେ ବି ପାକିସ୍ତାନକୁ ନକଲ କର। ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୨ରେ ତେଲେଙ୍ଗାନାର ଗୋଶାମହଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ବିଧାୟକ ଠାକୁର ରାଜା ସିଂହ ଲୋଧ ଟ୍ୱିଟ କରିଥିଲେ ଯେ ୧୪ ଏପ୍ରିଲରେ ମୁକ୍ତିଲାଭ କରିଥିବା ତାଙ୍କ ନୂଆ ଗୀତ ଭାରତୀୟ ସେନାକୁ ସମର୍ପଣ କରିଛନ୍ତି।
ସାମାଜିକ ଗଣମାଧ୍ୟମରେ ଗୀତର କିଛି ଅଂଶ ଅପଲୋଡ଼ ହେବା ପରେ ପାକ ସେନା ଦାବି କରିଥିଲା ଯେ ସେହି ଗୀତ ପାକିସ୍ତାନ ଦିବସ ପାଳନ ଅବସରରେ ମାର୍ଚ୍ଚ ୨୩ରେ ଜାରି କରାଯାଇଥିବା ପାକିସ୍ତାନି ସଙ୍ଗୀତକାର ସାହିର ଅଲ୍ଲୀ ବଗାଙ୍କ ଦ୍ୱାରା ଲିଖିତ ଗୀତ ‘ଦିଲ କି ହିମ୍ମତ ୱତନ, ଅପନା ଜସ୍ବ…’ର ନକଲ। ପରେ ବିଜେପି ବିଧ୍ୟାୟକ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ସେ ଜାଣି ନ ଥିଲେ ଯେ ସେ ଗୀତଟି ପାକିସ୍ତାନର ବୋଲି। ସେ କହିଛନ୍ତି ଯେ ସେ ପୂର୍ବରୁ ଏହି ଗୀତ ଶୁଣି ନ ଥିଲେ। ପାକିସ୍ତାନ ତାଙ୍କ ଗୀତକୁ ଶୁଣୁଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ପାକିସ୍ତାନ ଭଳି ଆତଙ୍କବାଦୀ ଦେଶରେ ଗାୟକ ଅଛନ୍ତି ବୋଲି ସମାଲୋଚନା କରିଛନ୍ତି।



