ହରିଦ୍ବାର: ଉତ୍ତରାଖଣ୍ଡ ହରିଦ୍ବାରର ଲକ୍ସର ଅଞ୍ଚଳରେ ଜଣେ ଚାଷୀ ଋଣ ଭାର ଯୋଗୁ ଆତ୍ମହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାରେ ଏକ ବ୍ୟାଙ୍କର ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି। କିନ୍ତୁ ଏହି ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି। ଚାଷୀ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଛାଡ଼ିଯାଇଛନ୍ତି, ଯେଉଁଥିରେ ସେ ବିଜେପିକୁ ଭୋଟ ନ ଦେବାକୁ ନିବେଦନ କରିଛନ୍ତି। ପୁଲିସ ଉକ୍ତ ସୁଇସାଇଡ୍ ନୋଟକୁ ଜବତ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆତ୍ମହତ୍ୟା ଚାଷୀଙ୍କ ନାଁ ଈଶ୍ଵରଚନ୍ଦ୍ର ଶର୍ମା। ସେ ଏକ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କର ଜଣେ ଏଜେଣ୍ଟ ଅଜିତ ସିଂହ ତାଙ୍କ ଲୋନ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲୋନ କରିବା ପୂର୍ବରୁ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଈଶ୍ଵରଚନ୍ଦ୍ରଙ୍କଠାରୁ ଅଜିତ ଏକ ବ୍ଲାଙ୍କ ଚେକ୍ ନେଇଯାଇଥିଲେ। ଈଶ୍ଵରଙ୍କ ନାମରେ ଲୋନ ମିଳିବା ପରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯାଇଥିଲା। ମାତ୍ର ଅଜିତ ଉକ୍ତ ବ୍ଲାଙ୍କ ଚେକ୍ ଜରିଆରେ ଈଶ୍ଵରଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଇ ନେଇଥିଲେ। ଏଥିରେ ହତୋତ୍ସାହିତ ହୋଇ ଈଶ୍ଵର ବିଷ ପିଇ ଆତ୍ମହତ୍ୟା କରିଥିଲେ।
ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ଈଶ୍ଵର ଉଲ୍ଲେଖ କରିଛନ୍ତି ଯେ, ୫ବର୍ଷରେ ବିଜେପି ସରକାର ଚାଷୀକୂଳଙ୍କୁ ନଷ୍ଟ କରିଦେଇଛି। ଏହି ଦଳକୁ କେହି ଭୋଟ ଦିଅନାହିଁ। ବିଜେପି ସରକାରକୁ ଆସିଲେ ଚାଷୀମାନଙ୍କୁ ଚା ବିକ୍ରି କରିବାକୁ ବାଧ୍ୟ କରାଇବ। ଆଜି ବିଜେପି ସରକାର ଉପରେ ଚାଷୀକୂଳ ଖୁସୀ ନୁହନ୍ତି। ଏହା ସହିତ ସୁଇସାଇଡ୍ ନୋଟରେ ଋଣ ଠକେଇ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।



