ନୂଆଦିଲ୍ଲୀ/ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି । ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ତିନିଦିନ ସମୟ ବାକିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ସାରା ଦେଶରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଏହି ପର୍ଯ୍ୟାୟରେ ଆସନ୍ତା ୧୧ ତାରିଖ ଦିନ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ରାଜ୍ୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସୁନ୍ଦରଗଡ଼ ଓ ସୋନପୁରଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ସୁନ୍ଦରଗଡ଼ଠାରେ ଏକ ରାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ତାଙ୍କ ସରକାର ସ୍ଥଳ, ମହାକାଶ ଓ
ଆକାଶପଥ ଭଳି ସବୁ ସ୍ଥାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ସାହସିକତାର ପରିଚୟ ଦେଇଛି। ସେ କହିଛନ୍ତି, ପୂର୍ବରୁ ସରକାରମାନେ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ କେବେ ଚିନ୍ତା କରିପାରୁ ନଥିଲେ। ସେ କହିଛନ୍ତି ଦେଶର ସ୍ଥିରତା ପାଇଁ ବର୍ତ୍ତମାନ ସମୟରେ ଏକ ମଜବୁତ ସରକାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନିର୍ବାଚନ ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ରାଜ୍ୟବାସୀ ବିଜେପିକୁ ନିର୍ବାଚନରେ ବିଜୟ କରାଇବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ସେ କହିଛନ୍ତି ତାଙ୍କ
ସରକାର ସବ୍ କା ସାଥ୍ ସବ୍ କା ବିକାଶ ନୀତିରେ ବିଶ୍ୱାସ କରନ୍ତି ଓ ଆଗାମୀ ନିର୍ବାଚନରେ ତାଙ୍କ ପାର୍ଟି କେନ୍ଦ୍ରରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବାକୁ ଯାଉଛି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବରଙ୍ଗପୁର ଜିଲ୍ଲାର ରାଇଘର ଓ ଝରିଗାଁଠାରେ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ଓଡ଼ିଶାରେ ବିଜେଡିର ବିକଳ୍ପ ନାହିଁ ବୋଲି କହିଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଜେଡି ହିଁ ଏକମାତ୍ର ବିକଳ୍ପ। ରାଜ୍ୟ ସରକାର ଲୋକଙ୍କ ସାମଗ୍ରୀକ ହିତପାଇଁ ସର୍ବଦା ବଦ୍ଧପରିକର। ସାରା ଓଡ଼ିଶାବାସୀ ମୋର ଅତି ନିଜର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କେନ୍ଦ୍ର ସରକାର କେବିକେ ଯୋଜନା ବନ୍ଦ କରି ଉପାନ୍ତ ଅଞ୍ଚଳର ବିକାଶକୁ ରୋକିବାରେ ଅପଚେଷ୍ଟା କରୁଛନ୍ତି ବୋଲି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। କିନ୍ତୁ ବିଜେଡି ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବଦ୍ଧପରିକର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ତେବେ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କନ୍ଧମାଳ ଗସ୍ତରେ ଯାଇ ଫୁଲବାଣୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ।
ସେହିଭଳି ଆସନ୍ତା ୯ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରରେ ଯୋଗଦେବା ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ଗାନ୍ଧୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଆୟୋଜିତ ହେବାକୁ ଥିବା ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।



