ମେଣ୍ଟ ଆଲୋଚନା ପାଇଁ ପ୍ରସ୍ତୁତ: ରାହୁଲ

ନୂଆଦିଲ୍ଲୀ : ନିର୍ବାଚନ ମେଣ୍ଟ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସର ଦ୍ବାର ସର୍ବଦା ଖୋଲା ରହିଛି ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଦିଲ୍ଲୀରେ ଆମ୍ ଆଦମୀ ସହିତ କଂଗ୍ରେସର ମେଣ୍ଟ ନିଷ୍ପତ୍ତି ଅନିଶ୍ଚିତତା ମଧ୍ୟରେ ରହିଥିବାବେଳେ ରାହୁଲ ମଙ୍ଗଳବାର ଏପରି କହିଛନ୍ତି। ସେ କହିଛନ୍ତି ଯେ ଦେଶବ୍ୟାପୀ ବିଭିନ୍ନ ଦଳ ସହିତ କଂଗ୍ରେସ ନିର୍ବାଚନ ପୂର୍ବ ମେଣ୍ଟ କରିବାରେ ସଫଳ ହୋଇଛି। ମେଣ୍ଟ ପ୍ରସଙ୍ଗରେ କଂଗ୍ରେସ ବେଶ କୋହଳ ମନୋଭାବ ପୋଷଣ କରିଥାଏ। ତେଣୁ ଏହାକୁ ନେଇ କୌଣସି ପ୍ରକାର ସନ୍ଦେହ କରାଯିବା ଉଚିତ ନୁହେଁ ବୋଲି ସେ ସାମ୍ବାଦିକଙ୍କୁ କହିଛନ୍ତି। କଂଗ୍ରେସ କେତେକ ରାଜ୍ୟରେ ମେଣ୍ଟ କରିବାରେ ବିଫଳ ହୋଇଥିବା ବିଷୟକୁ ରାହୁଲ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଦଳ ମହାରାଷ୍ଟ୍ର, ବିହାର, ଝାଡଖଣ୍ଡ, ତାମିଲନାଡୁ ଓ ଅନ୍ୟ କେତେକ ରାଜ୍ୟରେ ସମଭାବାପନ୍ନ ଦଳ ସହିତ ମେଣ୍ଟ କରିବାରେ ସଫଳ ହୋଇଛି। ମେଣ୍ଟ କରିବାରେ କଂଗ୍ରେସ କୌଣସି ଠାରେ ବିଫଳ ହୋଇ ନାହିଁ। ଦିଲ୍ଲୀରେ ଆପ୍ ସହିତ ମେଣ୍ଟ ନିଷ୍ପତ୍ତି ରାହୁଲଙ୍କ ଉପରେ ନ୍ୟସ୍ତ ରହିଥିବାବେଳେ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। ତେବେ ମେଣ୍ଟ ପ୍ରସ୍ତାବକୁ ରାହୁଲ ଅସ୍ବୀକାର କରିଥିବା ନେଇ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର କହିଥିଲେ। ଏହି ମେଣ୍ଟ ପ୍ରସଙ୍ଗରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦୀକ୍ଷିତ ଓ ପି ସି ଚାକୋ ମଙ୍ଗଳବାର ରାହୁଲଙ୍କୁ ଭେଟିଥିଲେ। ୨୦ମିନିଟ୍ ଆଲୋଚନା ହୋଇଥିବାବେଳେ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ।

Comments are closed.