ପୁଣି ସମ୍ବଲପୁରରେ ଜଣ୍ଡିସ ଆତଙ୍କ: ଜଣେ ମୃତ

0

ସମ୍ବଲପୁର : ସମ୍ବଲପୁରର ଜନସାଧାରଣଙ୍କ ମନରୁ ୨୦୧୪ ଜଣ୍ଡିସର ଭୟାବହତା ଲିଭି ନଥିବା ବେଳେ ମାତ୍ର ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ସହରବାସୀ ଜଣ୍ଡିସ ଆତଙ୍କରେ ଆତଙ୍କିତ। ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ମହନଗର ନିଗମ ଅଞ୍ଚଳ ଅର୍ନ୍ତଗତ କ୍ଷେତରାଜପୁରର ଚନ୍ଦନ ନଗର ନିବାସୀ ଫୁଲଦେବୀ ବିଶ୍ୱକର୍ମା ଜଣ୍ଡିସରେ ଆକ୍ରାନ୍ତ ହୋଇ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରାୟ ତିନି ମାସ ତଳେ ଚନ୍ଦନ ନଗର ନିବାସୀ ଲାଲଜୀ ବିଶ୍ୱକର୍ମାଙ୍କ ଧର୍ମପତ୍ନୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ଦେହ ବିଗିଡିବାରେ ଲାଗିବାରୁ ତାଙ୍କୁ ଗୋଟିଏ ଘରୋଇ ଡାକ୍ତରଖାନାରେ ଏବଂ ଏହା ପରେ ବୁର୍ଲା ଭିମସାରରେ ଚିକିତ୍ସା କରାଯାଇଥିଲା। କିନ୍ତୁ ଦେହ ଠିକ ନ ହେବାରୁ ଫୁଲଦେବୀଙ୍କୁ କଟକ ବଡ ମେଡିକାଲୁ ସ୍ଥାନାନ୍ତର କରାଯାଇଥିଲା ବୋଲି ତାଙ୍କ ପୁଅ ଅଜୟ କହିଛନ୍ତି। କଟକ ବଡ ଡାକ୍ତରଖାନାରେ ଚିକିତ୍ସା ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବା ପରେ ଜଣ୍ଡିସ ମାରାତ୍ମାକ ରକ୍ତ କ୍ୟାନସର ଆଡ଼କୁ ଗତି କରୁଛି ବୋଲି ଜଣାପଡ଼ିଥିଲା। ତେଣୁ ବଡ ଡାକ୍ତରଖାନାରୁ ଫୁଲଦେବୀ ଙ୍କୁ ପୁଣି ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ପରେ ଫୁଲଦେବୀ କ୍ୟାନସରର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିବାରୁ ତାଙ୍କୁ ବଞ୍ଚାଇବା କଷ୍ଟକର ବୋଲି ଜାଣିବା ପରେ ପରିବାରବର୍ଗ ବାଧ୍ୟ ହୋଇ ଘରକୁ ଫେରାଇ ଆଣିଥିଲେ। ସେମାନେ ପଡାରେ ରହିଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାର୍ବଜନୀନ ନଳରେ ଆସୁଥିବା ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି ବୋଲି ଅଜୟ କହିଛନ୍ତି। ଏଣୁ ଏଥିରୁ ସ୍ପଷ୍ଟ ଯେ, ଏବେ ମଧ୍ୟ ସହରରେ ଜଣ୍ଡିସ ବ୍ୟାପିବାର ପ୍ରମୁଖ କାରଣ ହେଉଛି ପାଇପ ଜଳ। ପ୍ରଥମେ ୨୦୧୪ ଜଣ୍ଡିସ ସହରରେ ଭୟାଭହ ରୂପ ଦେଖାଇ ସାରିଥିବା ବେଳେ ୨୦୧୮ରେ ମଧ୍ୟ ପୁଣି ଥରେ ମୁଣ୍ଡ ଟେକି ଥିଲା। କିନ୍ତୁ କୌଣସି ପ୍ରକାରେ ପ୍ରଶାସନ ଜଣ୍ଡିସକୁ କାବୁ କରିବାରେ ସଫଳ ହେବାରୁ ଜଣ୍ଡିସ ୨୦୧୪ ଭଳି କୌଣସି ମୁଣ୍ଡ ଗଡାଇ ପାରି ନ ଥିଲା। କିନ୍ତୁ ପ୍ରାୟ ଏକ ବର୍ଷ ବ୍ୟବଧାନରେ ଜଣ୍ଡିସ ପୁଣି ଥରେ ମୁଣ୍ଡ ଟେକିବା ଜନପ୍ରତିନିଧି, ପ୍ରଶାସନ ଓ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିବା ପାଇଁ ସହରବାସୀଙ୍କୁ ବାଧ୍ୟ କରୁଛି।

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଜଣ୍ଡିସ ମହାମାରୀ ରୂପ ନେବା ପରେ ମୁଖ୍ୟମନ୍ତ୍ରୀ ଏକ ଦିନିଆ ତୁଫାନୀ ଗସ୍ତରେ ସମ୍ବଲପୁର ଆସି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନୟନମୁଳକ ଯୋଜନା ଘୋଷଣା କରି ଶତାଧିକ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ସମ୍ବଲପୁରକୁ ଦେଇଥିଲେ। ସେଥି ମଧ୍ୟରେ ସମ୍ବଲପୁର ସହରର ସମସ୍ତ ଜଳ ଯୋଗାଣକାରୀ ପାଇପ ଗୁଡିକୁ ବଦଳା ଯାଇ ନୁତନ ପାଇପ ବିଛାଇବା ପାଇଁ ୧୦୦ କୋଟି ଟଙ୍କା ସ୍ୱତନ୍ତ୍ର ଭାବରେ ଘୋଷଣା କରିଥିଲେ। କିନ୍ତୁ ବାସ୍ତବତା ହେଉଛି ଯେ, ଏ ପର୍ଯ୍ୟନ୍ତ ସହରର ଜଳ ଯୋଗାଣ ପାଇପ ଗୁଡିକ ଏ ପର୍ଯ୍ୟନ୍ତ ବଦଳା ଯାଇ ପାରି ନ ଥିବା ବେଳେ ଏବେ ମଧ୍ୟ ପ୍ରାୟ ସମସ୍ତ ଅଞ୍ଚଳରେ ପାନୀୟ ଜଳ ପାଇପ ନାଳ ମଧ୍ୟ ଦେଇ ଯାଇଛି। ବହୁ ସ୍ଥାନରେ ପୁରୁଣା ହୋଇଯାଇଥିବା ପାଣି ପାଇପ ଗୁଡିକ ଫାଟି ଯାଇଥିବାରୁ ସେ ଗୁଡିକରେ ନର୍ଦ୍ଦମା ପାଣି ପଶୁଛି। ଏହାହିଁ ୨୦୧୪ ମସିହାରେ ଜଣ୍ଡିସ ବ୍ୟାପିବାର ପ୍ରମୁଖ କାରଣ ହୋଇଥିବା ବେଳେ ପୁରୁଣା ପାଇପ ବଦଳାଯାଇ ନଥିବାରୁ ଜଣ୍ଡିସ ବାରମ୍ବାର ମୁଣ୍ଡ ଟେକୁଛି ବୋଲି ସହରବାସୀଙ୍କ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହା ସହିତ ପୁରୁଣା ପାଇପ ବଦଳାଯିବାରେ ବହୁ ଦୁର୍ନୀତି ହୋଇଥିବା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଜନପ୍ରତିନିଧି ଓ ପ୍ରଶାସନର ଅବହେଳା ଯୋଗୁଁ ସହରବାସୀ ଅଯଥା ଦୁର୍ଦ୍ଦଶା ଭୋଗ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply