ବେଜିଂ : ଅରୁଣାଚଳ ପ୍ରଦେଶ ଏବଂ ତାଇୱାନକୁ ନିଜ ଅଞ୍ଚଳ ଭାବେ ଦେଖାଉନଥିବା ୩୦,୦୦୦ ମାନଚିତ୍ରକୁ ଚୀନ କଷ୍ଟମ ଅଧିକାରୀ ନଷ୍ଟ କରିଦେଇଛନ୍ତି। ଚୀନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର ପୂର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି ଦାବି କରିଆସୁଛି। ଚୀନ ନିଜ ଦାବିକୁ ବଳ ଦେବା ପାଇଁ ପ୍ରାୟ ସମୟ ଅରୁଣାଚଳ ପ୍ରଦେଶକୁ ଭାରତୀୟ ନେତାଙ୍କ ଗସ୍ତ ବିରୋଧରେ ଆପତ୍ତି ଜଣାଇ ଆସୁଛି।
ଭାରତ ପକ୍ଷରୁ କୁହାଯାଇଛି ଯେ ଅରୁଣାଚଳ ତାର ଅଭିନ୍ନ ଅଂଶ ଓ ଦେଶର ଅନ୍ୟ ଅଞ୍ଚଳକୁ ଯାତ୍ରା ଭଳି ସେଠାକୁ ମଧ୍ୟ ନେତାମାନେ ସମୟାନୁସାରେ ଯିବାଆସିବା କରିଥାନ୍ତି। ଭାରତ ଓ ଚୀନ ମଧ୍ୟରେ ୩,୪୮୮ କିଲୋମିଟର ବାସ୍ତବ ନିୟନ୍ତ୍ରଣ ରେଖାର ସୀମା ରହିଛି। ଭାରତ- ଚୀନ ସୀମା ବିବାଦକୁ ନେଇ ଏପର୍ଯ୍ୟନ୍ତ ୨୧ଟି ପର୍ଯ୍ୟାୟ ଆଲୋଚନା ହୋଇଛି। ହେଲେ ଏପର୍ଯ୍ୟନ୍ତ ସମାଧାନାର ବାଟ ବାହାରି ପାରିନାହିଁ। ଚୀନ ନିଜଠାରୁ ଅଲଗା ହୋଇଥିବା ତାଇୱାନ ଉପରେ ମଧ୍ୟ ଦାବି ଉପସ୍ଥାପନ କରିଆସୁଛି। ଚୀନ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନରେ ପ୍ରସ୍ତୁତ ଏହି ମାନଚିତ୍ରଗୁଡ଼ିକୁ ଅନ୍ୟ ଦେଶକୁ ପଠାଯିବାର ଥିଲା। ଚୀନର କିଙ୍ଗଦାଓଠାରେ ସୀମା ଶୁଳ୍କ (କଷ୍ଟମ) ଅଧିକାରୀ ମାନଚିତ୍ରକୁ ଦେଖିବା ପରେ ଏଗୁଡ଼ିକୁ ନଷ୍ଟ କରିବାକୁ ନିର୍ଦେଶ ଦେଇଥିଲେ। ଫଳରେ ପାଖାପାଖି ୩୦ ହଜାର ବିଶ୍ୱ ମାନଚିତ୍ରକୁ ନଷ୍ଟ କରିଦିଆଯାଇଛି।
ଅରୁଣାଚଳକୁ ନିଜ ଅଞ୍ଚଳ ଭାବେ ଦେଖାଉନଥିବା ୩୦,୦୦୦ ମାନଚିତ୍ର ନଷ୍ଟ କଲା ଚୀନ
Popular Categories



