www.samajalive.in
Sunday, December 14, 2025
26.1 C
Bhubaneswar

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

  • ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ
  • ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ ନାହିଁ

ଭୁବନେଶ୍ବର: ୬୦ ବର୍ଷ ପୂରଣ ପରେ ସୁଭଦ୍ରା ଯୋଜନାରୁ ବାଦ୍ ପଡୁଥିବା ମହିଳା ସ୍ବୟଂକ୍ରିୟ ଭାବେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ହୋଇପାରି‌େ‌ବ ନାହିଁ। ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ହେଲେ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯିବା ଆବଶ୍ୟକ। ଏଥିସହ ଗୋଟିଏ ଯୋଜନାରୁ ଆଉ ଏକ ଯୋଜନାକୁ ଯିବା ପାଇଁ ସ୍ବୟଂକ୍ରିୟ ସ୍ଥାନାନ୍ତର ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ବିଭାଗ ପକ୍ଷରୁ ଓକାକ୍‌କୁ କୁହାଯାଇଛି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବାର୍ଷିକ ଆୟ ଅଢ଼େଇ ଲକ୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ବାର୍ଦ୍ଧକ୍ୟ ଭତ୍ତା ପାଇବା ଲାଗି ବାର୍ଷିକ ଆୟ ୬୦ ହଜାର ହୋଇଥିବା ଜରୁରୀ। ସୁଭଦ୍ରାର ତୃତୀୟ କିସ୍ତି ସୁଦ୍ଧା ୯୩,୭୯୨ ହିତାଧିକାରୀ ୬୦ ବର୍ଷ ଅତିକ୍ରାନ୍ତ ପରେ ବାଦ୍ ପଡ଼ିଛନ୍ତି। ଏପରିସ୍ଥଳେ ସମସ୍ତଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରସ୍ତାବ ରଖିଥିଲା। ଏଥିସହ ସେମାନଙ୍କୁ ସ୍ବୟଂକୃତ ଭାବେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାପରେ ଗତ ୩୦ରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏସଏସଇପିଡି ବିଭାଗକୁ ପତ୍ର ଲେଖି ସୁଭଦ୍ରାରୁ ବାଦ୍ ପଡ଼ିଥିବା ୯୩ ହଜାର ୭୯୨ ଜଣଙ୍କ ମଧ୍ୟରୁ କେତେ ଜଣଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି ତାହାର ତଥ୍ୟ ମଗା ଯାଇଥିଲା। କିନ୍ତୁ ସ୍ବୟଂକୃତ ଭାବେ ସମସ୍ତଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ କୌଣସି ନିୟମ ନଥିବାରୁ ଏସ୍ଏସ୍ଇପିଡି ବିଭାଗ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଥିଲା। ଏପରିସ୍ଥଳେ ଗତ ୧୧ରେ ଏସ୍ଏସ୍ଇପିଡି ବିଭାଗ ପକ୍ଷରୁ ଓକାକ୍‌କୁ ପତ୍ର ଲେଖି ଦର୍ଶାଯାଇଛି ଯେ, ବିଭିନ୍ନ ପ୍ରକାର ଭତ୍ତା ଯୋଜନାରେ ସାମିଲ ହେବା ନିମନ୍ତେ ହିତାଧିକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ତେଣୁ ସାଧାରଣ ରାଜ୍ୟ ଭତ୍ତା ପୋର୍ଟାଲରେ ସ୍ବୟଂକ୍ରିୟ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉ। ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବହୁ ସାଧାରଣ ମହିଳାଙ୍କ ଆବେଦନ ଏ‌େ‌ବ ବି ବିଚାର ଅପେକ୍ଷାରେ ପଡ଼ି ରହିଛି। ଏପରିସ୍ଥଳେ ୬୦ ବର୍ଷରୁ ଅଧିକ ସୁଭଦ୍ରା ହିତାଧିକାରୀ ନିଜେ ଆବେଦନ କଲେ ସେମାନଙ୍କ ମଧ୍ୟରୁ ଯୋଗ୍ୟଙ୍କୁ ଚିହ୍ନଟ କରି ଭତ୍ତା ଦେବାରେ ବିଳମ୍ବ ହେବ। ତେଣୁ ସ୍ବୟଂକ୍ରିୟ ସ୍ଥାନାନ୍ତର ବ୍ୟବସ୍ଥା ଆରମ୍ଭ ହେଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ସହଜ ହେବ। ଅପରପକ୍ଷେ ଗତ ସେପ୍ଟେମ୍ବରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା, ଯୋଗ୍ୟତା ଦୃଷ୍ଟିରୁ ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେବେ ସେମାନଙ୍କୁ ପୂର୍ବ ଭଳି କିସ୍ତି ପ୍ରଦାନ କରାଯିବ। ଯଦି ଏପରି ହୁଏ ତା ହେଲେ ସୁଭଦ୍ରା ଯୋଜନାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରିବାକୁ ହେବ। ହେଲେ ଅଦ୍ୟାବଧି ଏ ସମ୍ପର୍କରେ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି ହୋଇନାହିଁ। ଏପରିସ୍ଥଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ମାନଦଣ୍ଡ ପୂରଣ କରୁନଥିବା ୬୦ ବର୍ଷରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ପୁନର୍ବାର ସୁଭଦ୍ରା କିସ୍ତି ମିଳିବ କି ନାହିଁ ତାକୁ ନେଇ ସଂଶୟ ଜାରି ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories