ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନିକୋ ପାର୍କ ଓ ତାହାର ପରିବେଶର ସମଗ୍ର ଉନ୍ନତି ସହିତ ଭୁବନେଶ୍ୱରର ଝଡ଼ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକରେ ବିଧାୟକ ଶ୍ରୀ ବାବୁ ସିଂହ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ , ବିଏମସି କମିଶନର-କମ୍-ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରଣା ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସମୀକ୍ଷା ସମୟରେ ମନ୍ତ୍ରୀ ଗଙ୍ଗୁଆ ଉନ୍ନତି କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇ, ଆସନ୍ତା ବର୍ଷା ପୂର୍ବରୁ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ଉପରେ ଜୋର ଦେଇଛନ୍ତି । ସେ ଏହାକୁ ଏକ ସମନ୍ୱୟିତ ପ୍ରୟାସରେ ପରିଣତ କରି, ନିକୋ ପାର୍କ ଅଞ୍ଚଳର ମନୋରଞ୍ଜନ ଓ ସାମାଜିକ ସୁବିଧା ବୃଦ୍ଧି, ଗଙ୍ଗୁଆ ନଳାର ପୁନରୁଦ୍ଧାର ଓ ସ୍ଵଚ୍ଛ ଜଳରାଶି ପ୍ରବାହ ସୁନିଶ୍ଚିତକରଣ କାମଗୁଡ଼ିକୁ ଏକାସଙ୍ଗରେ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀମତୀ ପାଢୀ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ନିୟୋଜିତ ବିଭିନ୍ନ ଏଜେନ୍ସୀଙ୍କ ସମନ୍ଵୟ ଆବଶ୍ୟକ ବୋଲି କହିଛନ୍ତି। ବିଏମସି କମିଶନର ଶ୍ରୀ ଚଞ୍ଚଳ ରଣା ଚାଲୁ ରହିଥିବା କାର୍ଯ୍ୟ, ସମସ୍ୟା ଓ ପ୍ରସ୍ତାବିତ ଟାଇମଲାଇନ ବିଷୟରେ ବିସ୍ତୃତ ଅବଗତ କରିଛନ୍ତି ।



