ଶ୍ରୀମହାପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହୃତ କାଠ, କୁଡୁଆ, ପରିବା, ମସଲା, ଡାଲି ଓ ଚାଉଳ ଆଦି ଆସୁଥିବା ବିଭାଗୀୟ ଯାନବାହନ, ବିଭିନ୍ନ ସ୍ଥାନରୁ ବରାଦୀ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରତିଦିନ ପ୍ରାୟ ୧୭୫୦ ସେବକ ଲାଗିପଡ଼ିଥାନ୍ତି। ସୁପକାର ୭୦୦, ନିଯୋଗର ସମସ୍ତ କର୍ମଚାରୀ-୧୦୦, ପାଣିଆ-୧୫୦ ତୁଣିଆ-୧୫୦, ଯୋଗାଣିଆ-୧୫୦, ମହାପ୍ରସାଦ ବୋହିବା ବୋଝିଆ-୩୦୦, କୁଡୁଆ ଓ କାଠ ବୋଝିଆ ୮୦ ଏବଂ ଆନନ୍ଦ ବଜାର କର୍ମଚାରୀ-୧୫୦ ଜଣ ରହିଥାନ୍ତି। ଏହା ସହିତ ବିଶେଷ ଦିନମାନଙ୍କରେ ଅଧିକ ପରୋକ୍ଷ ସେବାୟତ ନିୟୋଜିତ ରହି ରୋଷଘରେ ମହାପ୍ରଭୁଙ୍କ ସେବା କରନ୍ତି। ସୁଆରମାନଙ୍କର ରୋଷଶାଳାରେ ରାନ୍ଧିବାର ଅଧିକାର ରହିଛି। ରୋଷଶାଳା ରାସ୍ତାରେ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରହିଥିବା ବେଳେ ଦ୍ବାରରେ ରୋଷ ଗଣେଶଙ୍କ ଆସ୍ଥାନ ରହିଛି। ସୁଆରମାନେ ତାଙ୍କୁ ପୂଜା କରନ୍ତି ଓ ତାଙ୍କୁ ମୁଣ୍ଡିଆମାରି ରୋଷଘରେ ପ୍ରବେଶ କରିଥାନ୍ତି।।
ସୁଆର ମହାସୁଆର ନିଯୋଗ ରନ୍ଧାକାର୍ଯ୍ୟ ପୂର୍ବରୁ ପ୍ରଣବମନ୍ତ୍ରରେ ତଣ୍ଡୁଳ (ଅରୁଆ ଚାଉଳ) ପକାଇ ମା’ଲକ୍ଷ୍ମୀଙ୍କ ବିଜେ ସ୍ମରଣ କରି ଚୁଲା କାର୍ଯ୍ୟ ଆରମ୍ଭ କରନ୍ତି। ମହାପ୍ରଭୁଙ୍କ ନିକଟରେ ଏହି ଖାଦ୍ୟ ଭୋଗହେବା ପରେ ମା’ ବିମଳାଙ୍କୁ ସମର୍ପଣ କରାଯାଇ ମହାପ୍ରସାଦରେ ହୋଇଥାଏ। ଶ୍ରୀମନ୍ଦିରରେ ଶ୍ରୀମହାପ୍ରସାଦ ବ୍ୟବସ୍ଥା, ତା’ର ରନ୍ଧନ ଶୈଳୀ, ପୂଜାବିଧି ଓ ମାହାତ୍ମ୍ୟ ଅତ୍ୟନ୍ତ ପ୍ରାଚୀନ ତଥା ସମଗ୍ର ପୃଥିବୀରେ ଅନନ୍ୟ। ପାରମ୍ପରିକ ରୀତିରେ ଏହି ପ୍ରକ୍ରିୟା ଏବେ ବି ପ୍ରଚଳିତ ରହି ଏହି କ୍ଷେତ୍ରର ମାହାତ୍ମ୍ୟକୁ ଉଜ୍ଜୀବିତ କରୁଛି। ଶ୍ରୀମହାପ୍ରସାଦକୁ ‘ଅବଢ଼ା’ ମଧ୍ୟ କହିଥାନ୍ତି, ଯାହା ବଢ଼ାଯାଏ ନାହିଁ। ଏକାଠି ସାମୂହିକ ଭାବେ ମହାପ୍ରସାଦ ଭୋଜନ କରାଯାଇଥାଏ।
ପୃଥିବୀ ପ୍ରସିଦ୍ଧ ପୁରୀର ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ରୋଷଶାଳାରେ ପ୍ରସ୍ତୁତ ଶ୍ରୀମହାପ୍ରସାଦ କୋଟି କୋଟି ଭକ୍ତଜନଙ୍କ ବହୁ ଆକାଂକ୍ଷିତ। ହେଲେ ଏହା ପ୍ରସ୍ତୁତି ହେଉଥିବା ରୋଷଶାଳା କୌଣସି ଆଧୁନିକ ଖାଦ୍ୟ କାରଖାନାଠାରୁ କମ୍ ନୁହେଁ।
ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଏହା ସହିତ ସ୍ୱତନ୍ତ୍ର ଦିନମାନଙ୍କରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅବଢ଼ା ବା ଶ୍ରୀମହାପ୍ରସାଦ ସେବନ କରିଥାନ୍ତି। ବିଶ୍ୱାସ କରାଯାଏ, ଯେତେବେଳେ ମହାଲକ୍ଷ୍ମୀ ରୋଷେଇରେ ସନ୍ତୁଷ୍ଟ ହୋଇ ନଥାନ୍ତି ସେତେବେଳେ ମନ୍ଦିର ପ୍ରାଙ୍ଗଣରେ ରହସ୍ୟଜନକ ଭାବରେ ଏକ ‘କୁକୁର’ର ଆବିର୍ଭାବ ଘଟେ, ଯଦିଓ କୌଣସି ପରିସ୍ଥିତିରେ ସେଠାରେ କୁକୁର ନ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି। ଏଭଳି ପରିସ୍ଥିତିରେ କୁକୁର ଆବିର୍ଭାବ ମା’ଲକ୍ଷ୍ମୀଙ୍କର ଅସନ୍ତୋଷକୁ ପ୍ରକାଶ କରିଥାଏ। ସେଥିପାଇଁ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନ ମାଟିରେ ପୋତିଦିଆଯାଇ ପୁନର୍ବାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଏହି କୁକୁର ମନ୍ଦିର ପରିସରରେ ପୂଜା ପାଉଥିବା ଜଣେ ତାନ୍ତ୍ରିକ ଦେବୀ ‘କୁତ୍ତାମ ଚଣ୍ଡୀ’ ବୋଲି କହନ୍ତି, ଯିଏ ମହାପ୍ରଭୁଙ୍କ ରୋଷଶାଳରେ ପ୍ରସ୍ତୁତ ବ୍ୟଞ୍ଜନର ସ୍ୱଚ୍ଛତା ନିର୍ଦିଷ୍ଟ କରିବା ଦାୟିତ୍ୱରେ ନିୟୋଜିତ। ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ଚାରି ଭାଗରେ ବିଭକ୍ତ- ଭୀମପାକ, ନଳପାକ, ସୌରୀପାକ, ଗୌରୀପାକ। ଭୀମପାକରେ ପ୍ରସ୍ତୁତ ହୋଇଥାଏ ବଡ଼ତିଅଣ, ଗୁଡ଼ ଖୁଆରା, ପାକଲା ନଡ଼ିଆ ରସ, ପୋଡ଼ପିଠା, ବିରିପିଠା ଓ ଗୁଡ଼ କରଞ୍ଜି। ନଳପାକରେ ସାକର, ତିଅଣ ଲୋପରା, ଆଡ଼ଙ୍ଗ ଏବଂ ବିଭିନ୍ନ ପ୍ରକାରର ପଣା ପ୍ରସ୍ତୁତ ହେଉଥିବା ବେଳେ ସୌରୀପାକରେ ମହୁର, ଦେଶୀ ଆଳୁ ଭଜା, କଦଳୀ ଭଜା, ଅଦା ପାଚେଡ଼ି, ଘିଅ ଏବଂ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ।
ଗୌରୀପାକରେ ପ୍ରସ୍ତୁତ ହୁଏ ମୁଗ ତିଅଣ, ଲେଉଟିଆ ଶାଗ ଏବଂ କୋଶଳା ଶାଗ ପ୍ରଭୃ୍ତି। ଜଗନ୍ନାଥଙ୍କ ନୀତିକାନ୍ତି ଅନୁଯାୟୀ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଏହି ମହାପ୍ରସାଦରେ ଅନ୍ନ, ଖେଚୁଡ଼ି, କାନିକା, ମିଠା ଅନ୍ନ, ଡ଼ାଲି, ଡ଼ାଲମା, ମୁଗଡ଼ାଲି, ବେସର, ଶାଗ, ମହୁର, ମଧୁରୁଚି, ପୋଟଳରସା, ଜହ୍ନି ରାଇ, କଖାରୁ ଫୁଲ ମଞ୍ଚାବେସର, କାବୁଲି ଶୋଲା ମହୁର, କଦଳୀ ଦେଶୀଆଳୁ ରସା ପ୍ରଭୃତି ରହିଛି। ମହାପ୍ରଭୁଙ୍କ ପ୍ରିୟ ସେବକ ଭାବେ ସୁଆର ମହାସୁଆର ମହାପ୍ରଭୁଙ୍କ ପାଇଁ ମନଲାଖି ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରିଥାନ୍ତି। ଯେତେ ଖାଇଲେ ବି ମହାପ୍ରସାଦ ପାଇବାକୁ ଯେମିତି ବ୍ୟାକୁଳ ହୋଇଉଠନ୍ତି ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଭକ୍ତ।



