ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇଲେ ମୋଦି

0

ବିଜାପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବିଜାପୁରଠାରେ ଶନିବାର ‘ଚରଣପାଦୁକା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ସେ ଜଣେ ଆଦିବାସୀ ମହିଳାଙ୍କୁ ହଳେ ଚପଲ ପ୍ରଦାନ ପୂର୍ବକ ତାଙ୍କୁ ପିନ୍ଧାଇ ଦେଇଥିଲେ।
ଜଙ୍ଗଲରେ ସୁବିଧାରେ କେନ୍ଦୁ ପତ୍ର ସଂଗ୍ରହ କରିବା ଉଦ୍ଦେଶ୍ୟରେ କେନ୍ଦୁପତ୍ର ତୋଳାଳିଙ୍କୁ ପାଦୁକା ବା ଚପଲ ଯୋଗାଇ ଦେବା ଏହି ଯୋଜନାର ଆଭିମୁଖ୍ୟ। ମୋଦି ଏହି ଅବସରରେ ସ୍ଥାନୀୟ ଆଦିବାସୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜାପୁର ଆସିଛନ୍ତି। ଏଠାକାର ଜନତା ଏବଂ ପ୍ରଶାସନ ମନରେ କେନ୍ଦ୍ର ସରକାରଙ୍କ ପ୍ରତି ଆସ୍ଥା ସୃଷ୍ଟି କରିବା ତାଙ୍କ ଉଦ୍ଦେଶ୍ୟ। ଛତିଶଗଡ଼ରେ ଚଳିତବର୍ଷ ଶେଷ ଆଡକୁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମୋଦି ଇତିମଧ୍ୟରେ ଏଠାକୁ ଚାରିଥର ଗସ୍ତ କଲେଣି। ଶନିବାର ସେ ବିଜାପୁରଠାରେ ‘ଆୟୁଷ୍ମାନ ଭାରତ ଯୋଜନା’ ଅଧୀନରେ ପ୍ରଥମ ମୋବାଇଲ୍‍ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦ୍‍ଘାଟନ କରିଛନ୍ତି। ଏଥିସହ ବସ୍ତର ଇଣ୍ଟରନେଟ୍‍ ଯୋଜନାର ପ୍ରଥମ ପର୍ଯ୍ୟାୟକୁ ମଧ୍ୟ ସେ ଉଦ୍‍ଘାଟନ କରିଛନ୍ତି। ଏହି ଯୋଜନା ଅଧୀନରେ ଆଦିବାସୀ ବହୁଳ ଜିଲା ବିଜାପୁର, ନାରାୟଣପୁର, ବସ୍ତର, କାଙ୍କେର, କୋଣ୍ଡାଗାଓଁ, ସୁକମା ଏବଂ ଦାନ୍ତେୱାଡାରେ ୪୦,୦୦୦ କିଲୋମିଟର ଲମ୍ବ ଫାଇବର୍‍ ଅପ୍ଟିକ୍ସ କେବଲ୍‍ ବିଛାଯିବ। ଏହି ଅବସରରେ ମୋଦି ଗୁଡ଼ୁନ-ଭାନୁପ୍ରତାପପୁର ନୂତନ ରେଳଲାଇନ୍‍ ଏବଂ ଏକ ଯାତ୍ରୀବାହୀ ଟ୍ରେନ୍‍ ସମେତ ସାତୋଟି ଗ୍ରାମରେ ବ୍ୟାଙ୍କ ଶାଖାର ଉଦ୍‍ଘାଟନ ମଧ୍ୟ କରିଥିଲେ। ଏଥିସହ ସେ ୧,୭୦୦ କୋଟି ଟଙ୍କା ବ୍ୟୟବରାଦର ଏକ ରାସ୍ତାନିର୍ମାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

Leave A Reply