ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜରୁ ବଞ୍ଚିତ

0

ଗୋଲଡ କୋଷ୍ଟ୍‍ : ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ହକି ଇଭେଣ୍ଟରେ ବ୍ରୋଞ୍ଜପଦକ ମୁକାବିଲାରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୨-୧ ଗୋଲରେ ଭାରତୀୟ ପୁରୁଷ ଦଳକୁ ଓ ୬-୦ ଗୋଲରେ ମହିଳା ଦଳକୁ ପରାସ୍ତ କରିଛି।
ଶନିବାର ପୁରୁଷ ଦଳର ଏହି ମ୍ୟାଚରେ ଇଂଲଣ୍ଡ ୨-୧ ଗୋଲରେ ଭାରତକୁ ହରାଇଛି। ଏହା ଏକ ବ୍ରୋଞ୍ଜପଦକ ମୁକାବିଲା ହୋଇଥିବାରୁ ଉଭୟ ଦଳ ପ୍ରାରମ୍ଭରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ତେବେ ପ୍ରଥମ କ୍ୱାର୍ଟରର ତିନି ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରରୁ ଗୋଲ ସ୍କୋର କରି ସାମ୍‍ ୱାର୍ଡ ଇଂଲଣ୍ଡକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟରର ୨୮ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ବରୁଣ କୁମାର ଏହାକୁ ଗୋଲରେ ପରିବର୍ତ୍ତନ କରିବା ସହ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ମଧ୍ୟାନ୍ତର ପରେ ଭାରତୀୟ ଦଳକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୩୮ ମିନିଟରେ ଇଂଲଣ୍ଡକୁ ମିଳିଥିବା ପେନାଲଟି କର୍ଣ୍ଣରରୁ ସାମ୍‍ ୱାର୍ଡ ଦ୍ୱିତୀୟ ଗୋଲ ସ୍କୋର କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତୀୟ ଦଳ ଗୋଲ ପରିଶୋଧ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ଫଳରେ ଭାରତକୁ ୨-୧ ଗୋଲରେ ପରାସ୍ତ କରି ଇଂଲଣ୍ଡ ବ୍ରୋଞ୍ଜପଦକ ବିଜେତା ହୋଇପାରିଛି।
ମହିଳା ହକି ବ୍ରୋଞ୍ଜ ମୁକାବିଲାରେ ଇଂଲଣ୍ଡ ୬-୦ ଗୋଲରେ ଭାରତକୁ ପରାସ୍ତ କରିଛି। ଲିଗ୍‍ ପର୍ଯ୍ୟାୟରେ ଭାରତ ୨-୧ ଗୋଲରେ ଇଂଲଣ୍ଡକୁ ହରାଇଥିଲେ ସୁଦ୍ଧା ଆଜିର ମ୍ୟାଚରେ ସେହି ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ସୋଫି ଗ୍ରେ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଲରା ଉନ୍‍ସୱର୍ଥ, ହୋଲି ୱେବ୍‍ ଓ ଆଲେକ୍‍ଜାଣ୍ଡ୍ରା ଡାନ୍‍ସନ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ଭାରତକୁ ୫ଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ସେଗୁଡିକ କାର୍ଯ୍ୟକାରୀ ହୋଇପାରିନଥିଲା। ଏଥରକୁ ମିଶାଇ ଭାରତୀୟ ମହିଳା ହକି ଦଳ କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକଶୂନ୍ୟ ଅବସ୍ଥା ଭୋଗିଛି। ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ରୌପ୍ୟପଦକ ଜିତିଥିଲା।

Leave A Reply