www.samajalive.in
Saturday, December 13, 2025
26.1 C
Bhubaneswar

ସୁନାବେଶ ଦେଖିଲେ ଲକ୍ଷାଧିକ ଭକ୍ତ

ଘଟଗାଁ/କେନ୍ଦୁଝରଗଡ଼ : ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୮୨ତମ ଚଇତିପର୍ବ ଚଳିତମାସ ୯ତାରିଖରୁ ପାଇଁ ବେଶ୍‍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି କ୍ରମରେ ପବିତ୍ର ପଣାସଂକ୍ରାନ୍ତିରେ ମା’ଙ୍କ ସାନିଧ୍ୟ ଲାଭ କଲେ ବହୁ ପୂଣ୍ୟ ମିଳିବା ସହ ସକଳ ଦୁଃଖ ଦୂର ହୋଇଥାଏ। ଏହି ବିଶ୍ୱାସରେ ଜିଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଶନିବାର ଭୋର୍‍ରୁ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ ସହ ଭୋଗଲାଗି କରିଛନ୍ତି। ମା’ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ସାଙ୍ଗକୁ ପଣାସଂକ୍ରାନ୍ତି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି ଭୋର ୪ଟାରୁ ମା’ଙ୍କ ସକାଳ ନୀତି ଶେଷ ପରେ ୫ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ରଖାଯାଇଥିଲା। ଶୃଙ୍ଖଳିତ ଭାବେ ଭକ୍ତଗଣ କିଭଳି ମା’ଙ୍କ ଦର୍ଶନ କରିବେ ସେ ନେଇ ମନ୍ଦିର ବେଢ଼ା ଭିତରେ ଓ ବାହାରେ ବ୍ୟାରିକେଡ ନିର୍ମାଣ କରାଯାଇ ପୁଲିସ ବାହିନୀ ସହ ସ୍ୱେଚ୍ଛାସେବୀ ମୁତୟନ ହୋଇ ଭକ୍ତଙ୍କୁ ଦର୍ଶନରେ ସହାୟତା କରିଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ପାଇଁ ଧାଡ଼ିର ବ୍ୟବସ୍ଥା କରାଯାଇଥିଲା। ତେବେ ଧାଡ଼ି(ଲାଇନ)ରେ ଯିବା ସମୟରେ ୭ଜଣ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏପରିକି ଶ୍ରଦ୍ଧାଳୁଙ୍କ ଏହି ଗହଳି ରାତ୍ରି ଆଳତି ପର୍ଯ୍ୟନ୍ତ ଲାଗି ରହିଥିଲା।
ଆଜି ପ୍ରତ୍ୟୁଷରୁ ୪ଟା ସମୟରେ ମାଙ୍କ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ରାଜକିଶୋର ଦେହୁରୀ, ପର୍ଶୁରାମ ଦେହୁରୀ, ପଦ୍ମଲୋଚନ ଦେହୁରୀ, ଯଯାତି ଦେହୁରୀ, ନଟବର ଦେହୁରୀ, ରବୀନ୍ଦ୍ର ଦେହୁରୀଙ୍କ ସମେତ ୩୦ରୁ ଊଦ୍ଧ୍ୱର୍ ପୂଜକ ଉପସ୍ଥିତ ରହି ମା’ଙ୍କ ନିକଟରେ ପାରମ୍ପରିକ ରୀତିରେ ମହାଶାବରୀ ମନ୍ତ୍ରରେ ପୂଜାର୍ଚ୍ଚନା କରିବା ସହ ମାଜଣା, ମଙ୍ଗଳଆଳତୀ, ବଡସିଂହାରବେଶପୂଜା କରିବା ପରେ ମା’ଙ୍କ ସୁନାବେଶ କରାଇଥିଲେ। ଭକ୍ତଙ୍କ ଭିଡକୁ ମନ୍ଦିର ପରିସରରେ ଏଡାଇବା ପାଇଁ ଜଣପ୍ରତି ଭକ୍ତଙ୍କୁ ସର୍ବାଧିକ ୩ଟି ନଡିଆ ମା’ଙ୍କ ନିକଟରେ ଭୋଗଲାଗି ପଦକ୍ଷେପ କିଛିମାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା। ପଣାସଂକ୍ରାନ୍ତି ଅବସରରେ ମା’ଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ସେହିଭଳି ପ୍ରତିବର୍ଷ ଭଳି ତାରିଣୀ ସେବା ସମିତି କେନ୍ଦୁଝର ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଶ୍ରୀ ସତ୍ୟସାଇ ସେବା ସମିତି ଓ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଗଠିତ ଆଦିତ୍ୟ ବାହିନୀ ସ୍ୱେଛାସେବୀଙ୍କ ଦ୍ୱାରା ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଶୃଙ୍ଖଳିତ ଭାବେ ଯାତାୟାତର ତଦାରଖ ବ୍ୟବସ୍ଥା ସହ ମନ୍ଦିର ବେଢ଼ା ଭିତରେ ଓ ବାହାରେ ସ୍ୱଛତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଘଟଗାଁ କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କି ପ୍ରଦର୍ଶନ ଏବଂ ଟ୍ରଷ୍ଟ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଜନ ସମାରୋହ କାର୍ଯ୍ୟକ୍ରମ ପରିବେଷଣ ଭକ୍ତଙ୍କୁ ବେଶ୍‍ ଆକୃଷ୍ଟ କରିଥିଲା। ଘଟଗାଁ ଏସ୍‍ଡିପିଓ ସିଲଭରିୟସ ଟପୋଙ୍କ ପ୍ରତ୍ୟକ୍ଷ ନେତ୍ତୃତ୍ୱରେ ପୁଲିସ ମୁତୟନ କରାଯାଇ ମା’ଙ୍କ ଦର୍ଶନ ପାଇଁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ଯାନକୁ ୨୦ନଂ ଜାତୀୟ ରାଜପଥର ଉଭୟ ଦିଗରେ ମନ୍ଦିର ପୁର୍ବରୁ ପାର୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories