www.samajalive.in
Friday, December 5, 2025
26.1 C
Bhubaneswar

ପିଞ୍ଜରାବଦ୍ଧ ଶୁଆ : ସିବିଆଇ ସ୍ବାଧୀନ ଭାବେ କାର୍ଯ୍ୟ କରୁ

ସୁପ୍ରିମକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହା ନିରପେକ୍ଷ ଭାବେ କାର୍ଯ୍ୟ କରିବା ବଦଳରେ ‘ରାଜନୈତିକ ଲଢ଼େଇ’ର ଏକ ଅସ୍ତ୍ର ସାଜିଛି। ଝାଡ଼ଖଣ୍ଡ ବିଧାନସଭା ସଚିବାଳୟର ଏକ ମାମଲାରେ ସିବିଆଇର ପ୍ରାଥମିକ ତଦନ୍ତ ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୪ ସେପ୍ଟେମ୍ବର ୨୩ ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟ ରାଜ୍ୟ ବିଧାନସଭାର କେତେକ ନିଯୁକ୍ତି ଓ ପଦୋନ୍ନତି ଅନିୟମିତତା ଅଭିଯୋଗ ଉପରେ ସିବିଆଇକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଯାହାକୁ ସୁପ୍ରିମକୋର୍ଟ ଅଟକାଇଥିଲେ। ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବଂ ସରକାର ଏ ବିଷୟରେ ଚିନ୍ତା କରିବା ନିହାତି ଜରୁରୀ। ସରକାରୀ ଅନୁଷ୍ଠାନ ଉପରେ ସାଧାରଣ ଲୋକଙ୍କ ଭରସା କମୁଥିବାରୁ କୋର୍ଟ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି।
ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ନିହାତି ଆବଶ୍ୟକ; ମାତ୍ର ଯେତେବେଳେ ଏହାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠେ, ସେତେବେଳେ କେବଳ ସଂସ୍ଥାର ଅପମାନ ହୁଏ ନାହିଁ, ବରଂ ନ୍ୟାୟ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ୱାସ ମଧ୍ୟ ତୁଟିଯାଏ। ନିକଟ ଅତୀତରେ ଦେଖାଯାଇଛି ଯେ ନିର୍ବାଚନ କିମ୍ବା ରାଜନୈତିକ ବିବାଦ ସମୟରେ ସିବିଆଇ ବେଶି ସକ୍ରିୟ ହୋଇଯାଉଛି। ଏହାଦ୍ୱାରା ଲୋକେ ଭାବୁଛନ୍ତି ଯେ ବିରୋଧୀଙ୍କୁ ଦମନ କରିବା ପାଇଁ ସିବିଆଇର ବ୍ୟବହାର କରାଯାଉଛି। ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଏହି ଅଭିଯୋଗକୁ ପରୋକ୍ଷରେ ସମର୍ଥନ କରୁଛି। ଏହାର ଅର୍ଥ ନୁହେଁ ଯେ ସରକାରୀ ଅଫିସରେ ଦୁର୍ନୀତି ନାହିଁ କିମ୍ବା ସିବିଆଇ କରୁଥିବା କେସ୍‌ଗୁଡ଼ିକ ମିଛ; କିନ୍ତୁ ମନେରଖିବା ଉଚିତ୍ ଯେ, ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେବଳ ତଦନ୍ତ କଲେ ଚଳିବ ନାହିଁ, ଏହା ନିରପେକ୍ଷ ବୋଲି ଲୋକଙ୍କୁ ଲାଗିବା ମଧ୍ୟ ଦରକାର। ଯେତେବେଳେ ରାଜନୈତିକ ଉଦ୍ଦେଶ୍ୟରେ ସିବିଆଇର ବ୍ୟବହାର ହେବାର ଅଭିଯୋଗ ଆସେ, ସେତେବେଳେ ସଂସ୍ଥାର ନିଜସ୍ୱ ସମ୍ମାନ ହାନି ହୁଏ। ଏହା ଦ୍ୱାରା ସଚ୍ଚୋଟ ଅଧିକାରୀମାନଙ୍କ ମନୋବଳ ଭାଙ୍ଗିଯାଏ ଏବଂ ପ୍ରକୃତ ତଦନ୍ତ ବାଧାପ୍ରାପ୍ତ ହୁଏ।
ବର୍ତ୍ତମାନ ସମୟରେ ସରକାର ବୁଝିବା ଦରକାର ଯେ ଥରେ ବିଶ୍ୱାସ ଭାଙ୍ଗିଗଲେ ତାହା ଫେରାଇ ଆଣିବା ବହୁତ କଷ୍ଟକର। ତେଣୁ ସିବିଆଇ ତଦନ୍ତ ପ୍ରକ୍ରିୟାରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି। ସିବିଆଇକୁ କାମ କରିବାର ପୂର୍ଣ୍ଣ ସ୍ୱାଧୀନତା ଦେବା ଉଚିତ। ଏହି ଅନୁଷ୍ଠାନରେ ନିଯୁକ୍ତି, ବଦଳି ଆଦି ଉପରେ ସଂସଦର ନଜର ରହିଲେ ରାଜନୈତିକ ହସ୍ତକ୍ଷେପ କମିବ। ବଡ଼ ବଡ଼ ଦୁର୍ନୀତି ମାମଲାର ତଦାରଖ ପାଇଁ ଲୋକପାଳକୁ ମଧ୍ୟ ସକ୍ରିୟ କରିବା ସହ ଅଧିକ କ୍ଷମତା ଦେବା ଆବଶ୍ୟକ, ଯାହାଦ୍ୱାରା ସ୍ୱଚ୍ଛତା ବଜାୟ ରହିବ। ଭାରତୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକର ବିଶ୍ୱସନୀୟତା ବଜାୟ ରହିବା ନିହାତି ଆବଶ୍ୟକ। ଲୋକଙ୍କ ହଜିଯାଇଥିବା ଭରସାକୁ ପୁନଃ ସ୍ଥାପନ କରିବାକୁ ପଡ଼ିବ। ସୁପ୍ରିମକୋର୍ଟଙ୍କ ଏହି ହସ୍ତକ୍ଷେପକୁ ଏକ ଆକ୍ଷେପ ନଭାବି ସୁଧାରିବାର ସୁଯୋଗ ଭାବେ ଗ୍ରହଣ କରିବା ଉଚିତ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories