www.samajalive.in
Friday, December 5, 2025
26.1 C
Bhubaneswar

ସମ୍ପାଦକୀୟ : ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମି, ଦୂରଦର୍ଶୀ ପଦକ୍ଷେପ ଅଦୂର ଦର୍ଶୀ ନ ହେଉ

ରାଉରକେଲାରେ ଅନୁଷ୍ଠିତ ଚତୁର୍ଥ ଜାତୀୟ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଅନୁସାରେ, ରାଜ୍ୟର ପ୍ରତ୍ୟେକ ବ୍ଲକରେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ଏକ ଦୂରଦର୍ଶୀ ପଦକ୍ଷେପ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି କ୍ରୀଡ଼ା ଭିତ୍ତିଭୂମିର ସୁଯୋଗକୁ କେବଳ ସହରୀ ପିଲାମାନଙ୍କ ମଧ୍ୟରେ ସୀମିତ ନ ରଖି ଗ୍ରାମାଞ୍ଚଳର ପିଲାମାନଙ୍କୁ ମଧ୍ୟ ସମାନ ସୁଯୋଗ ପ୍ରଦାନ କରିବା। ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ, କେବଳ ଷ୍ଟାଡିୟମ୍ ନିର୍ମାଣ କରିଦେଲେ ହେବ ନାହିଁ, ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ବ୍ୟବହାର ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡ଼ାର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ। ଏହା କେବଳ ଶାରୀରିକ ଶକ୍ତି ବୃଦ୍ଧି କରେ ନାହିଁ, ବରଂ ଅନୁଶାସନ, ମନୋବଳ, ଦଳଗତ କାର୍ଯ୍ୟର ମହତ୍ତ୍ୱ ଏବଂ ଜୀବନରେ ଜୟ-ପରାଜୟକୁ ସାମ୍ନା କରିବାର କ୍ଷମତା ସୃଷ୍ଟି କରେ; କିନ୍ତୁ ବାସ୍ତବତା ହେଉଛି ଯେ ଗ୍ରାମାଞ୍ଚଳର ଅଧିକାଂଶ ବିଦ୍ୟାଳୟରେ ସାମାନ୍ୟ କ୍ରୀଡ଼ା ସୁବିଧା ମଧ୍ୟ ନାହିଁ। ଖେଳ ପଡ଼ିଆ ଥାଇ ମଧ୍ୟ ଆନୁଷଙ୍ଗିକ କ୍ରୀଡ଼ା ଉପକରଣ, ପ୍ରଶିକ୍ଷକ ଏବଂ ପ୍ରତିଯୋଗିତା ପାଇଁ ଯାତାୟାତ ସୁବିଧାର ଘୋର ଅଭାବ ରହିଛି।

ଗ୍ରାମାଞ୍ଚଳରେ କ୍ରୀଡ଼ା ବିକାଶର ସମସ୍ୟା ଆହୁରି ଗଭୀର ଓ ବହୁମୁଖୀ। ଆର୍ଥିକ ଅସୁବିଧା ଏକ ବଡ଼ କାରଣ; ଗରିବ ପରିବାରର ପିଲାମାନେ କ୍ରୀଡ଼ା ସାମଗ୍ରୀ କିଣିବାକୁ ସମର୍ଥ ନୁହନ୍ତି। ଜୋତା, ଜର୍ସି, ବ୍ୟାଟ୍, ବଲ୍ – ଏସବୁ ସେମାନଙ୍କ ପାଇଁ ଦୁର୍ମୂଲ୍ୟ ସାମଗ୍ରୀ। ସାମାଜିକ ମାନସିକତା ମଧ୍ୟ ଏକ ବଡ଼ ବାଧା ସୃଷ୍ଟି କରେ। ଅନେକ ଅଭିଭାବକ କ୍ରୀଡ଼ାକୁ ସମୟ ନଷ୍ଟ ବୋଲି ଭାବନ୍ତି। କେବଳ ପାଠ ପଢ଼ି ଚାକିରି କରିବା ଅନେକଙ୍କ ଲକ୍ଷ୍ୟ ହୋଇଥିବାବେଳେ କ୍ରୀଡ଼ାରେ କ୍ୟାରିୟର ସମ୍ଭାବନା ବିଷୟରେ ସଚେତନତାର ଅଭାବ ରହିଛି। ଗ୍ରାମାଞ୍ଚଳରେ ଲିଙ୍ଗଗତ ଅସମାନତା ମଧ୍ୟ ଅତ୍ୟନ୍ତ ଅଧିକ। ଏବେ ବି ଗାଁର ବାଳିକାମାନଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଏ ନାହିଁ। ସାମାଜିକ ପ୍ରତିବନ୍ଧକ, ସୁରକ୍ଷା ଚିନ୍ତା ଏବଂ ମହିଳା ପ୍ରଶିକ୍ଷକଙ୍କ ଅଭାବ ଏହାକୁ ଆହୁରି କଷ୍ଟସାଧ୍ୟ କରିଦିଏ। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଅପାର ସମ୍ଭାବନାର ରାଜ୍ୟ। ହକି, ଫୁଟବଲ, ଆଥଲେଟିକ୍ସ ଭଳି କ୍ଷେତ୍ରରେ ଗ୍ରାମାଞ୍ଚଳର ପିଲାମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଦିଲୀପ ତିର୍କୀ, ବୀରେନ୍ଦ୍ର ଲାକ୍ରାଙ୍କ ଭଳି ଖେଳାଳିମାନେ ପ୍ରମାଣ କରିଛନ୍ତି ଯେ ଉପଯୁକ୍ତ ସୁଯୋଗ ମିଳିଲେ ଗ୍ରାମାଞ୍ଚଳରୁ ମଧ୍ୟ ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହୋଇପାରିବେ। ବ୍ଲକ୍ ସ୍ତରରେ ଉନ୍ନତ ଭିତ୍ତିଭୂମି ପ୍ରତିଭା ଚିହ୍ନଟ ଓ ବିକାଶରେ ଅତ୍ୟନ୍ତ ସହାୟକ ହେବ। ତେବେ, କେବଳ ଘୋଷଣା ଓ ଷ୍ଟାଡିୟମ ନିର୍ମାଣ ଯଥେଷ୍ଟ ନୁହେଁ।

- Advertisement -

ଅତୀତରେ ଅନେକ କ୍ରୀଡ଼ା ଭିତ୍ତିଭୂମି ତିଆରି ହୋଇ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି। ମୁଖ୍ୟ ଆହ୍ବାନ ହେଉଛି ରକ୍ଷଣାବେକ୍ଷଣ- ଏହାର ଦାୟିତ୍ୱ କିଏ ନେବ ଏବଂ ବଜେଟ୍ କେଉଁଠୁ ଆସିବ? ସେହିପରି ଷ୍ଟାଡିୟମ୍ ତିଆରି ହେଲେ ମଧ୍ୟ ପ୍ରଶିକ୍ଷିତ କୋଚ୍ କେଉଁଠୁ ଆସିବେ, ପ୍ରତିଯୋଗିତା ଓ ପ୍ରଦର୍ଶନର ସୁଯୋଗ କିପରି ସୃଷ୍ଟି ହେବ, ଗ୍ରାମାଞ୍ଚଳର ପିଲାମାନେ ପାଠପଢ଼ା ସହିତ କ୍ରୀଡ଼ାକୁ କିପରି ସମନ୍ବିତ କରିବେ, ଏମିତି ଅନେକ ପ୍ରଶ୍ନ ରହିଛି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଯେଉଁ ପିଲାମାନେ କ୍ରୀଡ଼ାରେ ଉତ୍କର୍ଷ ହାସଲ କରିବେ, ସେମାନଙ୍କ ଭବିଷ୍ୟତର ନିରାପତ୍ତା କିପରି ସୁନିଶ୍ଚିତ ହେବ?

ସରକାରଙ୍କୁ କେବଳ ଭିତ୍ତିଭୂମି ନିର୍ମାଣରେ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବାକୁ ପଡ଼ିବ। ଏଥିପାଇଁ ପ୍ରତ୍ୟେକ ଷ୍ଟାଡିୟମ୍ ପାଇଁ ନିର୍ଦିଷ୍ଟ ରକ୍ଷଣାବେକ୍ଷଣ ବଜେଟ୍ ଓ କର୍ମଚାରୀ ନିଯୁକ୍ତି ଅତ୍ୟନ୍ତ ଆବଶ୍ୟକ। ସ୍ଥାନୀୟ ଯୁବକମାନଙ୍କୁ ତାଲିମ ଦେଇ ନିଯୁକ୍ତି ଦେବା ସହିତ ବ୍ଲକ୍, ଜିଲା ଓ ରାଜ୍ୟସ୍ତରୀୟ ନିୟମିତ ପ୍ରତିଯୋଗିତାର ବ୍ୟବସ୍ଥା କରାଯିବା ଉଚିତ। କ୍ରୀଡ଼ା ଛାତ୍ରବୃତ୍ତି ଏବଂ କ୍ୟାରିୟର ପାଇଁ ଏକ ସ୍ପଷ୍ଟ ଖସଡ଼ା ତିଆରି କରିବା ସହିତ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡ଼ାକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ କେବଳ ଖେଳାଳି ସୃଷ୍ଟି କରିବା ନୁହେଁ, ବରଂ ଏକ ସୁସ୍ଥ, ଅନୁଶାସିତ ଓ ଆତ୍ମବିଶ୍ୱାସୀ ପିଢ଼ି ତିଆରି କରିବ। ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ସରକାରଙ୍କୁ ଏକ ସୁସଂଗଠିତ ଏବଂ ଦୂରଗାମୀ ଯୋଜନା ନେଇ ଆଗକୁ ବଢ଼ିବାକୁ ପଡ଼ିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories