www.samajalive.in
Friday, December 5, 2025
27.1 C
Bhubaneswar

ସମ୍ପାଦକୀୟ : ଜିହାଦୀ ମୁକାବିଲା , ନିଯୁକ୍ତି ଓ ଗଠନମୂଳକ ଉଦ୍ୟମ ଲୋଡ଼ା

ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲା ନିକଟରେ ଘଟିଥିବା ବିସ୍ଫୋରଣ କେବଳ ଏକ ଆତଙ୍କବାଦୀ କାର୍ଯ୍ୟ ନୁହେଁ, ଏହା ଭାରତର ସୁରକ୍ଷା ଓ ସାମାଜିକ ସମନ୍ୱୟ ପ୍ରତି ଏକ ଚେତାବନୀ। ୨୦୦୬ ମୁମ୍ବଇ ଟ୍ରେନ ବିସ୍ଫୋରଣ ପରଠାରୁ ଏହା ଦେଶରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଭାବେ ଉଭା ହୋଇଛି। ଏହି ଘଟଣାରେ କାଶ୍ମୀର ଓ ଲକ୍ଷ୍ନୌର ପାଞ୍ଚଜଣ ଡାକ୍ତରଙ୍କ ସମ୍ପୃକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଛି ଯେ, ଉଚ୍ଚଶିକ୍ଷିତ ତଥା ବୃତ୍ତିଗତ ଭାବେ ସଫଳ ବ୍ୟକ୍ତିମାନେ କାହିଁକି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ହେଉଛନ୍ତି? ସାଧାରଣତଃ ବିଶ୍ୱାସ କରାଯାଏ ଯେ ଶିକ୍ଷା ମାନବିକତା ଜାଗ୍ରତ କରେ; କିନ୍ତୁ ବାସ୍ତବତା ଏହି ଧାରଣାକୁ ଅନେକ ସ୍ଥାନରେ ମିଥ୍ୟା ପ୍ରମାଣିତ କରିଛି। ଅଲ-କାଏଦାର ଆୟମାନ ଅଲ-ଜୱାହିରୀ ଜଣେ ସର୍ଜନ, ୧୯୯୩ ମୁମ୍ବଇ ବିସ୍ଫୋରଣରେ ଜଡ଼ିତ ଜଲିସ ଆନ୍ସାରୀ ଏବଂ ବ୍ରିଟେନ ଗ୍ଲାସଗୋ ବିମାନବନ୍ଦର ଆକ୍ରମଣ‌େ‌ର ଜଡ଼ିତ ବିଲାଲ ଅବଦୁଲ୍ଲା ଡାକ୍ତର ଥିଲେ। ଓସାମା ବିନ ଲାଦେନ ମଧ୍ୟ ଜଣେ ଇଞ୍ଜିନିୟର ଥିଲେ। ପ୍ରକୃତରେ, ଅନେକ ଆତଙ୍କବାଦୀ ଅଧିକ ଶିକ୍ଷିତ ହୋଇଥାନ୍ତି, କାରଣ ଯୋଜନା ପ୍ରସ୍ତୁତି, ବୋମା ନିର୍ମାଣ ଏବଂ ଅନ୍ତର୍ଜାତୀୟ ନେଟୱର୍କ ଗଠନ ପାଇଁ ବୁଦ୍ଧି ଓ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷିତ ଯୁବକମାନେ ଅଧିକ ଆଦର୍ଶବାଦୀ ହୋଇଥାନ୍ତି ଏବଂ ଅନ୍ୟାୟ, ଭେଦଭାବ କିମ୍ବା ଧର୍ମାନ୍ଧ ଜିହାଦୀ ନେତାମାନଙ୍କ ଦ୍ୱାରା ଭ୍ରମିତ ହୋଇ ଚରମ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୁଅନ୍ତି।
ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି କାଶ୍ମୀରରେ ଜିହାଦୀ କାର୍ଯ୍ୟକଳାପ ଚାଲିଥିଲେ ମଧ୍ୟ, ଭାରତର ଅନ୍ୟ ଅଞ୍ଚଳରେ ବଡ଼ ଆକ୍ରମଣଗୁଡ଼ିକ କମ୍ ଥିଲା; କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। କାଶ୍ମୀରରେ ନୂତନ ପିଢ଼ିର ଜିହାଦୀମାନେ ବିଶ୍ୱାସ କରୁଛନ୍ତି ଯେ କାଶ୍ମୀରକୁ ଭାରତରୁ ଅଲଗା କରିବାର ଚାବିକାଠି ଭାରତର ଅନ୍ୟ ଅଞ୍ଚଳରେ ଆକ୍ରମଣ କରିବାରେ ହିଁ ନିହିତ। ସାମ୍ପ୍ରତିକ ଘଟଣାରେ ଶ୍ରୀନଗରର ସରକାରୀ ମେଡିକାଲ କଲେଜର ପାରାମେଡିକ୍ ତଥା ଧର୍ମଗୁରୁ ଇରଫାନ ଅହମ୍ମଦ ୱାଗାୟ, ନିଜ ପଦର ଅପବ୍ୟବହାର କରି ମେଡିକାଲ ଛାତ୍ର ଓ ଡାକ୍ତରମାନଙ୍କୁ ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ କରିଥିଲେ। ଜାମ୍ମୁ-କାଶ୍ମୀର ପୁଲିସ ଅନୁଯାୟୀ, ଏହି ‘ଧଳା-କଲର‘ ଆତଙ୍କବାଦୀ ଗୋଷ୍ଠୀ ଉଗ୍ରବାଦୀ ସଂଗଠନ ସହ ସମ୍ପର୍କ ରଖିଥିଲେ ଏବଂ ବିସ୍ଫୋରକ ସାମଗ୍ରୀ, ବିଶେଷକରି ଆମୋନିୟମ ନାଇଟ୍ରେଟ, ବହୁ ପରିମାଣରେ ସଂଗ୍ରହ କରିଥିଲେ। ଜାମ୍ମୁ-କାଶ୍ମୀର ପୁଲିସ ଓ କେନ୍ଦ୍ରୀୟ ଗୁପ୍ତଚର ବିଭାଗର ମିଳିତ ଅଭିଯାନରେ ଅନେକ ସଦସ୍ୟଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ପାଖରୁ ପ୍ରାୟ ତିନି ଟନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଅଧିକାରୀମାନେ ଏହାକୁ ଏକ ଚିନ୍ତାଜନକ ଘଟଣା ଭାବେ ଦେଖୁଛନ୍ତି, ଯେଉଁଠାରେ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ଗୋପନ ଆତଙ୍କବାଦୀ ନେଟୱର୍କରେ ଜଡ଼ିତ ହେଉଛନ୍ତି।
ଆତଙ୍କବାଦକୁ ରୋକିବା ପାଇଁ କେବଳ ପୁଲିସ କିମ୍ବା ସେନା ଯଥେଷ୍ଟ ନୁହେଁ। ପ୍ରକୃତ କଥା ହେଉଛି ଜିହାଦୀମାନଙ୍କୁ ଯେଉଁ ରାଜନୈତିକ ସମର୍ଥନ ମିଳୁଛି, ତାହାକୁ ବନ୍ଦ କରିବା। ସରକାର ଏହି ବାସ୍ତବତାକୁ ସ୍ୱୀକାର କରିବା ଆବଶ୍ୟକ ଯେ, କାଶ୍ମୀରରେ ଅନେକ ଯୁବକ ନିଜ ଜୀବନରେ କିଛି କରିବାର ସୁଯୋଗ ପାଉନାହାନ୍ତି। ଫଳରେ କେତେକ ଅତ୍ୟଧିକ ଧାର୍ମିକ ହୋଇଯାଉଛନ୍ତି, ଆଉ କେତେକ ନିଶାସକ୍ତ ହୋଇ ନିଜ ଜୀବନ ନଷ୍ଟ କରୁଛନ୍ତି। କାଶ୍ମୀରର ଯୁବକମାନଙ୍କ ସହିତ ଭାରତ ସରକାରର ସମ୍ପର୍କ କେବଳ ସାମରିକ ଚେକ୍-ପୋଷ୍ଟ ପର୍ଯ୍ୟନ୍ତ ସୀମିତ ହୋଇ ରହିଛି। ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ହେଉଛି ଯୁବକମାନଙ୍କୁ ଆଶା, ସୁଯୋଗ ଓ ସମ୍ମାନ ଦେବା, ଯାହାଫଳରେ ସେମାନେ ଦେଶର ମୁଖ୍ୟ ସ୍ରୋତରେ ଯୋଗ ଦେଇ ପାରିବେ ଏବଂ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ନିର୍ମାଣରେ ସହାୟକ ହେବେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories