ଏବେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନ ଓ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନର ଫଳାଫଳ ବିସ୍ମୟକର ହେଲେ ବି ଅପ୍ରତ୍ୟାଶିତ ନୁହେଁ। ଏହା ଐତିହାସିକ ମଧ୍ୟ। ଏଥର ବହୁ ସଂଖ୍ୟକ ମହିଳା, କେତେକ ନିଜ ନିଜ ଛୋଟ ଛୁଆକୁ କୋଳରେ ଧରି, ଭୋଟଦାନ କେନ୍ଦ୍ରରେ, ଧାଡ଼ିରେ ଦୀର୍ଘ ସମୟ ଧରି ଛିଡ଼ା ହେବାର ଦୃଶ୍ୟ ଦେଖି ସେମାନଙ୍କ ରାଜନୈତିକ ସଚେତନତା ଓ ପରିପକ୍ୱତା ସମ୍ପର୍କରେ ଧାରଣା ଦୃଢୀଭୂତ ହେଲା। ଶାସକ ଦଳର ବିଜୟରେ ମହିଳା ଭୋଟରମାନେ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲେ। ପୁରୁଷମାନେ ନିଶାସକ୍ତ ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ପରିବାରର ମହିଳାମାନେ, ବିଶେଷ ଭାବେ ମଦ୍ୟପଙ୍କ ପତ୍ନୀ। ସ୍ବାମୀଙ୍କର ରୋଜଗାର ଟଙ୍କା ଘରକୁ ନ ଆସି ସର୍ବପ୍ରଥମେ ଯାଏ ବାକିରେ ପିଇଥିବା ମଦ ଦୋକାନକୁ। ଅର୍ଥ ଅଭାବରୁ ଘର ଚଳାଇବା ଯେ କେଡ଼େ କଷ୍ଟ, ସେକଥା ପତ୍ନୀ ଛଡ଼ା ଅଧିକ କିଏ ଜାଣେ ? ସେଥିପାଇଁ ମହିଳାମାନେ ଏକାଠି ହୋଇ ମଦ ଦୋକାନ ଭାଙ୍ଗି ଥାଆନ୍ତି। ତେଣୁ ନୀତୀଶ କୁମାରଙ୍କ ‘ସମ୍ପୂର୍ଣ୍ଣ ନିଶା ନିବାରଣ’ କାର୍ଯ୍ୟକ୍ରମ ଜାରି ରଖିବାକୁ ରେକର୍ଡ ସଂଖ୍ୟାରେ ଭୋଟ ଦେଲେ ବିହାରର ମହିଳାମାନେ। ଏହା ନିଶ୍ଚିତ ରୂପେ ସେମାନଙ୍କ ଲାଗି ଏକ ସାହସିକ ପଦକ୍ଷେପ। ବିକାଶ, ସୁଶାସନ ଓ ଜନ କଲ୍ୟାଣକାରୀ ଯୋଜନା (‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’, ଯେଉଁଥିରେ ଦେଢ଼ କୋଟିରୁ ଅଧିକ ମହିଳାଙ୍କ ଖାତାରେ ଦଶ ହଜାର ଟଙ୍କା ଜମା)କୁ ବାଛିଲେ ମହିଳା। ନୀତୀଶ କୁମାର ନିଶା ନିବାରଣ କାର୍ଯ୍ୟକ୍ରମ ଜାରି ରଖିବା କମ୍ ସାହସର କଥା ନୁହେଁ, କାରଣ ଏଥିରେ ରାଜ୍ୟର ରାଜସ୍ୱ ହ୍ରାସ ଘଟିଥାଏ। ବିକାଶ ଠାରୁ ବହୁ ଦୂରରେ ନୂଆପଡ଼ା। ଏଠାରେ ଦାଦନ ସମସ୍ୟା ଅତି ଉତ୍କଟ। ବେକାରୀ, ଦାରିଦ୍ର୍ୟ, ସ୍ୱଳ୍ପ ବୃଷ୍ଟିପାତରୁ ମରୁଡି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନର ଅଭାବ, ଅନାହାର – ଜିଲାର ଚିରନ୍ତନ ସମସ୍ୟା। ୧୯୮୪ ମସିହାର ଫନସ୍ ପୁଞ୍ଜି ଘଟଣା ଏବେ ବି ଜୀବନ୍ତ। ଅପ୍ରେଲ ୧୯୯୩ରେ ନୂଆପଡ଼ା ଜିଲା ଗଠନ ପରେ ସୁଦ୍ଧା, ରାସ୍ତା ଓ କିଛି କୋଠାବାଡ଼ି ନିର୍ମାଣକୁ ବାଦ୍ ଦେଲେ, ଜିଲାର ଲୋକଙ୍କ ଜୀବନ ଧାରଣ ମାନରେ ବିଶେଷ ପରିବର୍ତ୍ତନ ଘଟି ନାହିଁ। ବିକାଶର ସବୁ ସୂଚକାଙ୍କରେ ନୂଆପଡ଼ା ଜିଲା ସବା ପଛରେ। ମହିଳାମାନେ ଭୋଟ ଲାଗି ବ୍ୟବହାର ହେବାକୁ ଆଉ ଚାହିଁଲେ ନାହିଁ। ଲକ୍ଷ୍ୟ ତାଙ୍କର ବିକାଶ ପଥର ସହଯାତ୍ରୀ ହେବା। ‘ସୁଭଦ୍ରା’ ଯୋଜନା ଏବଂ ନୂଆପଡ଼ାର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ‘ଜୟ’ଙ୍କ ବିଜୟର ପ୍ରମୁଖ କାରଣ। ‘ଜୟ’ ଙ୍କ ଜୟରେ ଭରି ରହିଛି ନୂଆପଡାବାସୀଙ୍କ ଅୟୁତ ଆଶାର କିରଣ।
ପ୍ରତାପ ନାୟକ,
କଳିଙ୍ଗ ବିହାର , ଭୁବନେଶ୍ୱର -୧୯
ସମ୍ପାଦକୀୟ : ବିହାର ଓ ନୂଆପଡ଼ାରେ ବିଜୟ ହୋଇଛି ବିକାଶ ଏବଂ ସୁଶାସନର
Popular Categories



