ଲାଞ୍ଜିଗଡ:କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ଖଜୁରଗୁଡା ଗାଁ ମାଣ୍ଡିଆ ରୁଚା ନିକଟରେ ଏକ ସାଇକେଲ ଆରୋହୀ ମୁଖ୍ୟ ରାସ୍ତାରେ ପଡି ଗୁରୁତର ହୋଇପଡିଥିଲେ। କିନ୍ତୁ ତାଙ୍କୁ ଡାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସ ମିଳିନଥିଲା। ଯାହାଫଳରେ ୬ କିମି ଦୂର ବାଇକରେ ଆଣି ବିଶ୍ୱନାଥ ପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଳକ କୁମଖାଲ ପଞ୍ଚାୟତ ଟିମନବାଡ଼ି ଗାଁ ନିକଟରେ ଥିବା ଗାଁର ଟଙ୍କ ମାଝୀ(୩୫)ନାମକ ଜଣେ ଯୁବକ ନିଜ ସାଇକେଲରେ ନିଜ ଗାଁରୁ ଦିନ ସାଢେ ୧୨ ଟା ସମୟରେ ବିଶ୍ୱନାଥପୁର -ବିଜେପୁର ମୁଖ୍ୟ ରାସ୍ତା ଦେଇ ଲୁମା ଗାଁ ଛକକୁ ଯାଉଥିଲେ। ଖଜୁରଗୁଡା ଗାଁ ନିକଟସ୍ଥ ମାଣ୍ଡିଆ ରୁଚା ନିକଟରେ ନିଜ ସାଇକେଲରୁ ପଡିଯିବା ଫଳରେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଖବର ପାଇ ନିଜ ସ୍ତ୍ରୀ ସୂର୍ଯ୍ୟ ମାଝୀ ଓ ତାଙ୍କ ଭାଉଜ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଯୁବକମାନେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ମିଳିନଥିଲା । ଯାହା ଫଳରେ ସେହି ରାସ୍ତା ଦେଇ ଆସୁଥିବା ଦୁଇ ଜଣ ଯୁବକ ୬ କିମି ଦୂର ବାଇକରେ ଆଣିବା ପରେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ଯୋଗାଇବାରେ ବିଳମ୍ବ ଯୋଗୁଁ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।



