ଭୁବନେଶ୍ବର: ଡାକ୍ତରଙ୍କ ପରେ ଏବେ ଆୟୁଷ ଛାତ୍ର ସଙ୍ଗଠନ ସରକାରଙ୍କୁ ନିଶାଣ କରିଛି। ଦାବି ପୂରଣ ପାଇଁ ସ୍ବର ଶାଣିତ କରିଛି। ୮ ଦଫା ଦାବି ନେଇ ପୂର୍ବରୁ ଅନେକ ଥର ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇ ଥିବାବେଳେ ସରକାର ମଧ୍ୟ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଅାସନ୍ତା ୫ ତାରିଖ ମଧ୍ୟରେ ସରକାର ଦାବି ପୂରଣ ନକଲେ ଆୟୁଷ ଛାତ୍ର ସଙ୍ଗଠନ ୬ରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଉଭୟ ହୋମିଓପାଥି ଓ ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ଼ ସହିତ ଓପିଏସସି ଜରିଆରେ ନୂଆ ପଦ ସୃଷ୍ଟି, ସମସ୍ତ ଆୟୁଷ ମହାବିଦ୍ୟାଳୟରେ ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ, ଷ୍ଟାଇପେଣ୍ଡ ବୃଦ୍ଧି ସହିତ ସ୍ବତନ୍ତ୍ର ଆୟୁଷ ବିଭାଗ ଆଦି ୮ଦଫା ଦାବି କରିଛି ଅଲ୍ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ। ପୂର୍ବ ସରକାର ସମୟରେ ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲା। ଏମିତିକି ଲୋୟର ପିଏମ୍ଜିରେ ଧାରଣା ମଧ୍ୟ ଦିଆଯାଇଥିଲା। ସେ ସମୟରେ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା। ଏବେ ନୂଆ ସରକାର ଆସିବା ପରେ ମଧ୍ୟ ଏଦିଗରେ କୌଣସି ପଦେକ୍ଷପ ଗ୍ରହଣ କରାଯାଇନାହିଁ। ଯାହାକୁ ନେଇ ଛାତ୍ର ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିବା ସହିତ ଆସନ୍ତା ୬ରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି।



