୧୦୦ତମ ଏଟିପି ଟାଇଟଲ ଜିତିଲେ ଫେଡେରର

0

ଦୁବାଇ : ଦୁବାଇ ଡ୍ୟୁଟି ଫ୍ରି ଟେନିସ୍ ଚମ୍ପିଆନ୍‌ସିପରେ ପୁୁରୁଷ ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି ସ୍ବିଜରଲାଣ୍ଡର ରଜର ଫେଡେରର। ଶନିବାର ଖେଳା ଯାଇଥିବା ଫାଇନାଲରେ ଫେଡେରର ଗ୍ରୀସ୍‌ର ଷ୍ଟିଫାନସ୍ ସିସିପାସ୍‌ଙ୍କୁ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଫଳରେ ବିଶ୍ବର ୨ୟ ଖେଳାଳି ଭାବେ ଫେଡେରର ୧୦୦ତମ ଏଟିପି ଟାଇଟଲ ଜିତି ପାରିଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ଆମେରିକାର ଜିମ୍ମି କର୍ନର୍ସ ୧୦୦ ଏଟିପି ଟାଇଟଲ ଜିତିଥିଲେ। ଅବସର ନେବା ପୂର୍ବରୁ କର୍ନର୍ସ ମୋଟ ୧୦୯ଟି ଏଟିପି ଟାଇଟଲ ଜିତିଛନ୍ତି। ସିସିପାସ୍‌ଙ୍କୁ ଫାଇନାଲରେ ହରାଇବା ସହ ଫେଡେରର ଗ୍ରୀସ୍‌ର ଏହି ଖେଳାଳିଙ୍କଠାରୁ ଗତ ଅଷ୍ଟ୍ରେଲିଆନ୍ ଓପନ୍‌ର ୪ର୍ଥ ରାଉଣ୍ଡରେ ପରାଜୟର ପ୍ରତିଶୋଧ ନେଇ ପାରିଛନ୍ତି। ପୁଣି ଏଠାରେ ଚମ୍ପିଆନ୍ ହେବା ସହ ସୋମବାର ପ୍ରକାଶ ପାଇବାକୁ ଥିବା ନୂତନ ଏଟିପି ମାନ୍ୟତା ତାଲିକାରେ ଫେଡେରର ପୁରୁଷ ସିଙ୍ଗଲ୍‌ସରେ ୪ର୍ଥ ସ୍ଥାନକୁ ଉନ୍ନୀତ ହେବେ। ଗତବର୍ଷ ଅକ୍ଟୋବରରେ ତାଙ୍କ ନିଜ ସହରର ବାସେଲ୍‌ରେ ଫେଡେରର ୯୯ତମ ଏଟପି ଟାଇଟଲ ଜିତିଥିଲେ। ଫେଡେରର ଏବେ ବିଶ୍ବରେକର୍ଡ ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲର ବିଜେତା ଅଛନ୍ତି। ସୂଚନାଯୋଗ୍ୟ; ୨୦୦୩ ଅକ୍ଟୋବରରୁ ୨୦୦୫ ଅକ୍ଟୋବର ମଧ୍ୟରେ ଫେଡେରର କ୍ରମାଗତ ୨୪ଟି ଏଟିପି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳି ୨୪ଟିଯାକ ଟାଇଟଲ ଜିତି ପାରିଥିଲେ; ଯାହା ମଧ୍ୟ ଏକ ରେକର୍ଡ। ଫେଡେରର ଜିତିଥିବା ୧୦୦ଟି ଟାଇଟଲ ମଧ୍ୟରେ ରହିଛି ୨୦ଟି ଗ୍ରାଣ୍ଡସ୍ଲାମ୍, ୨୭ଟି ମାଷ୍ଟର୍ସ ଓ ୨୭ଟି ୱର୍ଲଡ ଟୁର୍ ଫାଇନାଲ୍‌ସ ଟାଇଟଲ। ଅଦ୍ୟାବଧି ଫେଡେରର କେବଳ ପୁରସ୍କାର ରାଶି ବାବଦରେ ୧୨୦ ନିୟୁତ ଡଲାର ଆୟ କରିଛନ୍ତି। ୨୦୦୧ରେ ତାଙ୍କ ପିଲାଦିନର ହିରୋ ପିଟ୍ ସାମ୍ପ୍ରାସ୍‌ଙ୍କୁ ପରାସ୍ତ କରିବା ସହ ଫେଡେରର ଆନ୍ତର୍ଜାତିକ ଟେନିସ୍‌ରେ ତାଙ୍କ ଉପସ୍ଥିତି ଜାହିର କରିଥିଲେ। ୨୦୦୪​‌େ​‌ର ପ୍ରଥମଥର ପାଇଁ ବିଶ୍ବର ୧ନଂ ସିଙ୍ଗଲ୍‌ସ ଖେଳାଳି ମାନ୍ୟତା ହାସଲ କରିଥିଲେ। ଉପରୋକ୍ତ କୃତିତ୍ବ ସହ ଫେଡେରର ୨ ଥର ଡେଭିସ୍ କପ୍ ଚମ୍ପିଆନ୍ ସ୍ବିଜରଲାଣ୍ଡ ଦଳର ସଦସ୍ୟ ଥିବା ବେଳେ ୨୦୦୮ ଅଲିମ୍ପିକ୍‌ସରେ ତାଙ୍କ ବନ୍ଧୁ ଷ୍ଟାନିଆସ୍ ୱାରିଙ୍କାଙ୍କ ସହ ମିଶି ଫେଡେରର ଡବଲ୍‌ସ ସ୍ବର୍ଣ୍ଣପଦକ ମଧ୍ୟ ଜିତିଥିଲେ।

kalyan agarbati
Leave A Reply