ଗ୍ୟାସ ସିିଲିଣ୍ଡର ଫାଟି ଯୁବକ ମୃତ, ବାପା ମା’ ଗୁରୁତର

ଧର୍ମଗଡ: ରନ୍ଧନ ପାଇଁ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବାରୁ ଜଣେ ୨୦ବର୍ଷର ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତାଙ୍କ ବାପା ମା’ଙ୍କ ଅବସ୍ଥା ଗୁରୁତର ରହିଛି। ଏହା ସହ ତାଙ୍କ ଘର ମଧ୍ୟ ଜଳିଯାଇଛି। ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଟେମରି ଗାଁରେ ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଟେମରି ଗାଁର କପିଲ ପଟେଲ ଏକ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଦୋକାନକୁ ଲାଗି ଘରର ଏକ ଅଂଶକୁ ଷ୍ଟୋର ରୁମ ଭାବେ ବ୍ୟବହାର କରୁଥିଲେ। ଷ୍ଟୋର ରୁମରେ ଅନ୍ୟାନ୍ୟ ତେଜରାତି ସାମଗ୍ରୀ ସହ ପେଟ୍ରୋଲ ମଧ୍ୟ ଥିଲା। ସଂଧ୍ୟା ସମୟରେ କପିଳଙ୍କ ସ୍ତ୍ରୀ ରୋଷେଇ କରୁଥିବାବେଳେ ହଠାତ ଘରୁ ବିସ୍ଫୋରଣ ଶଦ୍ଦ ହେବା ସହ ଧୁଆଁ ବାହାରିବା ଦେଖିବାକୁ ମିଳିଥିଲା। ସଂଜୀବ କିଛି ବୁଝିବା ଆଗରୁ ନିଆଁର ବେଗ ଏତେ ପ୍ରବଳ ଥିଲା ଯେ ସଂଜୀବ ଘରୁ ବାହରିପାରିଲେ ନାହିଁ। କୌଣସି ମତେ ତାଙ୍କ ମା ଓ ବାପା ଘରୁ ବାହାରିବାକୁ ସକ୍ଷମ ହୋଇଥିଲେ। ବିସ୍ଫୋରଣ ଶଦ୍ଦ ଶୁଣି ଗାଁଲୋକେ ରୁଣ୍ଡ ହୋଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଦମକଳ ପାଇଁ ଜାରିଥିବା ଟୋଲ ଫ୍ରି ନମ୍ବର ୧୦୧ ଗୋଲାମୁଣ୍ଡା ଦମକଳ କେନ୍ଦ୍ର ସହ ସଂଯୋଗ ନାଁ ଥିବାରୁ ଫୋନ ଲାଗିନଥିଲା। ପରେ ଜଣକ ବ୍ୟକ୍ତିଗତ ନମ୍ବରକୁ ଫୋନ କରିବା ପରେ ଦମକଳ ବହୁ ବିଳମ୍ବରେ ପହଞ୍ଚି ଥିଲା। ଫଳରେ ଜଣେ ଶିକ୍ଷିତ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଦଶପୁର ଫାଣ୍ଡି ଅଧିକାରୀ ସମେତ ଗୋଲାମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପେଟ୍ରୋଲରେ ନିଆଁ ଲାଗିବାରୁ ଏଭଳି ହୋଇଥିବା କିଛି ଲୋକ କହୁଥିବାବେଳେ କିଛି ଲୋକ ସିଲିଣ୍ଡର ଫାଟି ନିଆଁ ଲାଗିଛି ବୋଲି କହୁଛନ୍ତି। ନିଆଁର ପ୍ରକୃତ କାରଣ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏ ସମ୍ପର୍କରେ ଦଶପୁର ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ସୁଚନା ଅନୁସାରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ଅଭିଯୋଗ ହୋଇଛି। ତଦନ୍ତ ପରେ ଅଧିକ ସୂଚନା ମିଳିବ ବୋଲି କହିଛନ୍ତି। ତେବେ ଖବର ଲେଖା ପର୍ଯ୍ୟନ୍ତ ଘର ଭିତରୁ ମୃତ ଦେହ ଉଦ୍ଧାର ହୋଇ ପାରିନାହିଁ।