www.samajalive.in
Saturday, December 6, 2025
16.1 C
Bhubaneswar

ଚିନ୍ତାକଳ୍ପ: ତିନିଟି ପ୍ରଶ୍ନ

ଦର୍ଶନ ଶାସ୍ତ୍ରର ଶ୍ରେଷ୍ଠ ବିଦ୍ବାନ ବୋଲାଉଥିବା ଜଣେ ବ୍ୟକ୍ତିଙ୍କୁ ରାଜା ଦରବାରକୁ ଆମନ୍ତ୍ରଣ କରି ତିନିଟି ପ୍ରଶ୍ନ ପଚାରିଥିଲେ- ଈଶ୍ବର କେଉଁଠାରେ ଅଛନ୍ତି, ସମସ୍ତେ ତାଙ୍କୁ ଦେଖିପାରୁ ନାହାନ୍ତି କାହିଁକି, ସେ କ’ଣ କରନ୍ତି? ଠିକ୍‌ ଉତ୍ତର ଦେଲେ ପର୍ଯ୍ୟାପ୍ତ ଅର୍ଥ ପୁରସ୍କାର ଦିଆଯିବ ବୋଲି ରାଜା ବିଦ୍ବାନଙ୍କୁ କହିଥିଲେ। ବିଦ୍ବାନ ବ୍ୟକ୍ତି ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ଥିଲେ ମଧ୍ୟ ଏହା ରାଜାଙ୍କ ମନକୁ ପାଇଲା ଭଳି ଉତ୍ତର ହେବ କି ନାହିଁ, ସେ ନେଇ ସନ୍ଦିହାନ ଥିଲେ। ଏ ନିମନ୍ତେ ଦୁଇଦିନ ସମୟ ନେଇଥିଲେ। ବିଦ୍ବାନଙ୍କ ପୁଅ ମଧ୍ୟ ଶାସ୍ତ୍ର ବିଶାରଦ ଥିଲେ। ତାଙ୍କ ସହିତ ଆଲୋଚନା କରି ରାଜଦରବାରକୁ ପୁଅକୁ ନେଇ ଯାଇଥିଲେ। ପିତାଙ୍କ ପକ୍ଷରୁ ସେ ପ୍ରଶ୍ନର ଉତ୍ତର ଦେବାକୁ ରାଜାଙ୍କ ଅନୁମତି ନେଇଥିଲେ।

ବିଦ୍ବାନଙ୍କ ପୁଅ ରାଜସେବକଙ୍କୁ କହିଥିଲେ ସିଝା ଯାଇଥିବା କିଛି ପରିମାଣରେ ଦୁଗ୍ଧ ଆଣିବା ନିମନ୍ତେ। ଏହା ଆସିବା ପରେ ବେଶ୍‌ କିଛି ସମୟ ଖୁଆଦଣ୍ଡରେ ଏହାକୁ ମନ୍ଥନ କରିବାକୁ କହିଥିଲେ। ମନ୍ଥନ ପରେ ସ୍ବାଭାବିକ ରୀତିରେ ଏଥିରେ ଲହୁଣି ଦୃଶ୍ୟମାନ ହୋଇଥିଲା। ବିଦ୍ବାନଙ୍କ ପୁଅ ରାଜାଙ୍କୁ ପ୍ରଶ୍ନ କରିଥିଲେ- ‘ମନ୍ଥନ ହେବା ପୂର୍ବରୁ ଲହୁଣି କେଉଁଠି ଥିଲା?’ ରାଜାଙ୍କ ଉତ୍ତର ଥିଲା- ଦୁଗ୍ଧ​‌େ​‌ର। ଦୁଗ୍ଧର କେଉଁ ଭାଗରେ ଥିଲା। ‘ସମ୍ପୂର୍ଣ୍ଣ ଦୁଗ୍ଧରେ ଥିଲା।’ ରାଜାଙ୍କର ଏହି ଉତ୍ତରରେ ବିଦ୍ବାନଙ୍କ ପୁଅ କହିଥିଲେ ଠିକ୍‌ ସେହିପରି ଈଶ୍ବର ଆମ ସମସ୍ତଙ୍କଠାରେ ଅଦୃଶ୍ୟ ଭାବରେ ଅଛନ୍ତି। ସେ ସବୁ ପ୍ରାଣୀଙ୍କଠାରେ ବିଦ୍ୟମାନ।’ ‘ଯଦି ବିଦ୍ୟମାନ ତା’ ହେଲେ ତାଙ୍କୁ ଆମେ ଦେଖିପାରୁନାହୁଁ କାହିଁକି’ ରାଜାଙ୍କର ଦ୍ବିତୀୟ ପ୍ରଶ୍ନର ଉତ୍ତରରେ ବିଦ୍ବାନଙ୍କ ପୁଅ କହିଥିଲେ- ‘ଏହି କାରଣରୁ ଦେଖି ପାରୁନାହାନ୍ତି ଯେ ତାଙ୍କୁ ଦେଖିବା ପାଇଁ ଯେଭଳି ନିଷ୍ଠା, ଅଧ୍ୟବସାୟ ଲୋଡ଼ା ତାହାର ଅଭାବ ରହୁଛି। ସ୍ବଚ୍ଛ ହୃଦୟରେ, ଏକନିଷ୍ଠ ଚିତ୍ତରେ ତାଙ୍କୁ ଧ୍ୟାନ କରିବାକୁ ହେବ।’ ‘ଆଚ୍ଛା, ଏବେ କୁହନ୍ତୁ ସେ କ’ଣ କରିଥାନ୍ତି-’ ତୃତୀୟ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଦ୍ବାନଙ୍କ ପୁଅ କହିଥିଲେ- ‘ଏଥିପାଇଁ ମୋତେ ସ୍ଥାନ ବଦଳାଇବାକୁ ପଡ଼ିବ। ଆପଣ ମୋ ସ୍ଥାନକୁ ଆସନ୍ତୁ ଓ ଆପଣଙ୍କ ସ୍ଥାନରେ କିଛି ମୁହୂର୍ତ୍ତ ପାଇଁ ମୋତେ ବସିବାକୁ ଦିଅନ୍ତୁ।’ ରାଜା ଏହି ପ୍ରାର୍ଥନାକୁ ସ୍ବୀକାର କରିନେଇଥିଲେ। ସିଂହାସନରେ ବସିବା ପରେ ବିଦ୍ବାନଙ୍କ ପୁଅ କହିଥିଲେ- ‘କିଛି କ୍ଷଣ ପୂର୍ବରୁ ମୁଁ ସିଂହାସନର ତଳେ ଥିଲି। ଆପଣ ସିଂହାସନରେ ଉପବେଶନ କରିଥିଲେ।

- Advertisement -

ଏବେ ଆପଣ ମୋ ସ୍ଥାନକୁ (ନିମ୍ନ)ଗଲେ ଓ ମୁଁ ଆପଣଙ୍କ ସ୍ଥାନକୁ ଆସିଲି। ବ୍ୟବସ୍ଥାରେ ଓଲଟପାଲଟ ହେଲା। ଈଶ୍ବର ଏହା ହିଁ କହିଥାନ୍ତି। ଏକ ଜନ୍ମରେ କାହାକୁ ଉଚ୍ଚ ପଦରେ ଅଧିଷ୍ଠିତ କରିଛନ୍ତି ତ କାହାକୁ ଅତି ନିମ୍ନ ସ୍ଥାନରେ। କେବେ କେବେ ଗୋଟିଏ ଜନ୍ମରେ ବି ସ୍ଥିତିରେ ଅଦଳବଦଳ କରିଦେଇଥାନ୍ତି। ଉପର ବାଲାକୁ ନିମ୍ନକୁ ନେଇ ଆସିଥାନ୍ତି। କ୍ଷମତା, ପଦମର୍ଯ୍ୟାଦା ବଳରେ ଅହଂକାରୀ ହୋଇ, ଗର୍ବୋନ୍ମତ୍ତ ଭାବରେ ନୀତିହୀନ କାର୍ଯ୍ୟକଲେ ବ୍ୟବସ୍ଥାରେ ତ୍ବରିତ ପରିବର୍ତ୍ତନ କରିଦେଇଥାନ୍ତି।’ ରାଜା ନିଜ ପ୍ରଶ୍ନର ଠିକ୍‌ ଉତ୍ତର ପାଇ ସମ୍ମାନିତ କରିଥିଲେ ବିଦ୍ବାନଙ୍କ ପୁଅକୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories